ବ୍ରଜରାଜନଗର : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ବୁଧବାର ଦିନ କ୍ରାଇମବ୍ରାଞ୍ଚ ଆଉ ୫ଦିନ ରିମାଣ୍ଡରେ ନେଇଛି। ତା’ର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ପୁଲିସ ଦଳ ତାକୁ ଗୁଜରାଟ ନେଇଛନ୍ତି। ବୁଧବାର ସନ୍ଧ୍ୟାରେ କ୍ରାଇମ୍ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପ୍ରଥମେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ। ପରେ ପରେ ଗୋପାଳକୁ ଧରି ଏହି ସ୍ୱତନ୍ତ୍ର ଟିମ୍ ବିମାନବନ୍ଦରରେ ଯାଇଥିଲା। ଗୋପାଳକୁ କୋଲକାତା ଦେଇ ଗୁଜରାଟ ନିଆଯାଇଛି।
ଅନ୍ୟପକ୍ଷରେ ନବ ଦାସଙ୍କୁ ଗୋପାଳ ଯେଉଁ ସ୍ଥାନରେ ହତ୍ୟା କରିଥିଲା, ଆଜି ଅବସରପ୍ରାପ୍ତ ଜଷ୍ଟିସ୍ ଜେ ପି ଦାସ ଓ ପୁଲିସ ଡିଜି ସୁନୀଲ ବଂଶଲ ସେ ଅଞ୍ଚଳ ପରିଦର୍ଶନ କରିବା ସହିତ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ। ବୁଧବାର ସକାଳ ୯.୪୫ରେ ପୁଲିସ ଡିଜି ଶ୍ରୀ ବଂଶଲ ଘଟଣାସ୍ଥଳରେ ପହଞ୍ଚିବା ପରେ ଆଇଜି ଦୀପକ କୁମାର କେଉଁଠି କିଭଳି ମନ୍ତ୍ରୀଙ୍କୁ ହତ୍ୟା କରାଗଲା, ସେ ନେଇ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଏହି ସମୟରେ ଗୁଇନ୍ଦା ବିଭାଗ ଡିଜି ସଞ୍ଜୀବ ପଣ୍ଡା, ଆଇନ ଓ ଶୃଙ୍ଖଳା ଅତିରିକ୍ତ ଡିଜି ଆର୍. କେ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।
ଘଟଣାସ୍ଥଳ ବୁଲି ଦେଖିଲେ ଜଷ୍ଟିସ୍ ଦାସ ଓ ଡିଜିପି
ତଦନ୍ତ ଠିକ୍ ବାଟରେ ଚାଲିଛି: ଜଷ୍ଟିସ୍ ଦାସ
ତଦନ୍ତକୁ ଆଉ କିଛି ସମୟ ଲାଗିବ: ଡିଜି
/sambad/media/post_attachments/wp-content/uploads/2023/02/jharsuguda-gggg-687x430.jpg)
ପରେ ଦ୍ବିତୀୟ ପର୍ଯ୍ୟାୟରେ ହତ୍ୟା ମାମଲାର ତଦନ୍ତର ତଦାରଖ କରୁଥିବା ଜଷ୍ଟିସ ଜେ.ପି ଦାସ, ଏଡିଜି କ୍ରାଇମ୍ବ୍ରାଞ୍ଚ ଅରୁଣ ବୋଥ୍ରା, ଝାରସୁଗୁଡ଼ା ଏସ୍ପି ପରମାର ସ୍ମିତ୍ ପୁରୁଷୋତ୍ତମ ଦାସ ଘଟଣାସ୍ଥଳରେ ପୂର୍ବାହ୍ନ ୧୦.୧୦ରେ ପହଞ୍ଚିଥିଲେ। ମନ୍ତ୍ରୀଙ୍କ ଉପରକୁ ହୋଇଥିବା ଗୁଳିମାଡ଼, ପଡ଼ିଥିବା ରକ୍ତ ଛିଟା ଏବଂ ଗୋପାଳକୁ କିଭଳି କାବୁ କରାଯାଇଥିଲା ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଜଷ୍ଟିସ ଦାସଙ୍କୁ ଏହି ଟିମ୍ ଅବଗତ କରିଥିଲେ। ଜଷ୍ଟିସ ଶ୍ରୀ ଦାସ ଏଠାରେ ୫ ମିନିଟ୍ ରହିବା ପରେ ଫେରିଯାଇଥିଲେ। ତଦନ୍ତର ଅଗ୍ରଗତି ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନରେ ଜଷ୍ଟିସ୍ ଦାସ କହିଲେ, ସେ ତଦନ୍ତ କରୁନାହାନ୍ତି କେବଳ ତଦନ୍ତକୁ ସୁପରଭାଇଜ କରୁଛନ୍ତି। ତଦନ୍ତ ଠିକ୍ ବାଟରେ ଚାଲିଥିବା ସେ ଗଣମାଧ୍ୟମକୁ କହିଥିଲେ। ପୁଲିସ ଡିଜି ଶ୍ରୀ ବଂଶଲ ମଧ୍ୟ ଘଟଣାସ୍ଥଳ ପରେ ଭୁବନେଶ୍ୱର ଫେରିବା ସମୟରେ ବିମାନ ବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଗୋପାଳର ରିମାଣ୍ଡ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଥିଲେ ଓ ଘଟଣା ସଂପର୍କରେ ସ୍ପଷ୍ଟ ଚିତ୍ର ପାଇଁ ଆଉ କିଛି ସମୟ ଲାଗିବ ବୋଲି କହିଥିଲେ।
ଅନ୍ୟପକ୍ଷରେ ନବ ଦାସ ହତ୍ୟାକାଣ୍ଡକୁ ଆଜି ୧୧ ଦିନ ବିତିଛି। ଦ୍ବିତୀୟ ଦଫା ରିମାଣ୍ଡ ଅବଧି ସରିବା ପରେ ବୁଧବାର ତାକୁ କଡ଼ା ସୁରକ୍ଷା ସହିତ କୋର୍ଟରେ ହାଜର କରାଯାଇଥିଲା। କ୍ରାଇମ୍ବ୍ରାଞ୍ଚ ଗୋପାଳର ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ ଅନୁମତି ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହି କାରଣରୁ ଆଉ ୫ ଦିନ ରିମାଣ୍ଡରେ ନେବାର ଆବଶ୍ୟକତା ଥିବା କୋର୍ଟଙ୍କୁ କୁହାଯାଇଥିଲା। ବିଚାରପତି ଏ ସଂକ୍ରାନ୍ତରେ ଗୋପାଳର ମତ ନେଇଥିଲେ ଓ ଗୋପାଳ ହଁ ମାରିବା ପରେ କୋର୍ଟ କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ପାଞ୍ଚଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/gopal-das-naba-das-murderder-1.jpg)