ଗୋପାଳପୁର: ତୁ ମେରୀ ଅଧୁରୀ ପ୍ୟାସ୍‌ ପ୍ୟାସ୍‌.., କେହେନେ କୋ’ ଜସ୍‌ନେ ବାହାରା ହେ.., ତୁ ଜୋ’ ମିଲା ହୋଗୟା ମେ’ କାବିଲ୍‌.., ଚାନ୍ଦ୍‌ ଛୁପା ବାଦଲ୍‌ ମେ.., ବିନ୍‌ ତେରେ ସନମ୍‌ ମର୍‌ ମିଟେଙ୍ଗେ ହେମ୍‌ ଭଳି ବିଭିନ୍ନ ମନମୋହକ ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଛନ୍ତି ବଲିଉଡ଼ର ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଜାଭେଦ୍‌ ଅଲ୍ଲୀ। ଗୋପାଳପୁର ବେଳାଭୂମିର ଉଦ୍‌ଯାପନୀ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଜାଭେଦ୍‌ଙ୍କ ମେଗା ସୋ’ ଦର୍ଶକଙ୍କୁ ବିମୋହିତ କରିଥିଲା। ତାଙ୍କ କଣ୍ଠରୁ ଭାସି ଆସିଥିବା ଗୋଟିଏ ପରେ ଗୋଟିଏ ହିନ୍ଦୀ ଗୀତ ଦର୍ଶକଙ୍କୁ ନଚାଇଥିଲା। ଏଭଳି ବିଭିନ୍ନ ମନଛୁଆଁ ଗୀତରେ ଦର୍ଶକଙ୍କ ମନ କିଣି ନେଇଥିଲେ କଣ୍ଠଶିଳ୍ପୀ ଜାଭେଦ୍‌। ଏପରିକି ସେ ତେଲଗୁ ଭାଷାରେ ମଧ୍ୟ ଏକ ଗୀତ ଗାଇଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବର ଶେଷ ରଜନୀ ତଥା ଉଦ୍‌ଯାପନୀ ଦିବସରେ ପ୍ରବଳ ଜନସମାଗ ହୋଇଥିଲା। ‌

Advertisment

ଦର୍ଶକଙ୍କ ଅସମ୍ଭାଳ ଭିଡ଼ରେ ଗୋପାଳପୁର ଏକ ପ୍ରକାର ଜନସମୁଦ୍ର ପାଲଟିଥିଲା। ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଲକ୍ଷ୍ୟରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ଟ୍ରାଫିକ୍‌ ନିୟନ୍ତ୍ରଣକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା।

ଆଜିର ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ, ବିଏମ୍‌ସି କମିସନର୍‌ ଜେ. ସୋନାଲ, ମେୟର ସଂଘମିତ୍ର ଦଳେଇଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମନ୍ତ୍ରୀ ଅମାତ କହିଲେ ଯେ, ଆଜି ଏହି କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି।

ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତି ସହିତ ବିଭିନ୍ନ ଜିଲ୍ଲା ଓ ରାଜ୍ୟର କଳା ସଂସ୍କୃତିକ ସହିତ ସମସ୍ତେ ପରିଚିତ ହୋଇ ପାରିଛେ। ଗୋପାଳପୁର ମାଟି ବ୍ରିଟିସ୍‌ ସରକାରଙ୍କୁ କେବଳ ଆକୃଷ୍ଟ କରି ନାହିଁ। ବିଭିନ୍ନ ଅଞ୍ଚଳବାସୀ ପର୍ଯ୍ୟଟନସ୍ଥଳୀ ଗୋପାଳପୁର ପ୍ରତି ଆକୃଷ୍ଟ ହେଉଛନ୍ତି। ଗୋପାଳପୁରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଇକୋ ରିଟ୍ରିଟ୍‌ ଓ ଇକୋ ଟୁରିଜିମ୍‌ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହାକି ଓଡ଼ିଶାର ବିକାଶ ଦିଗରେ ସହାୟକ ହେଉଛି ବୋଲି କହିଥିଲେ। କଳାକାରଙ୍କ ବିକାଶ ପାଇଁ ଏଭଳି ମହୋତ୍ସବର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ମହୋତ୍ସବ ଆୟୋଜନ କରାଯାଉଛି। ଏହା ଜରିଆରେ ଆମେ ନୂତନ କଳାକାର ସୃଷ୍ଟି କରିପାରୁଛେ ବୋଲି କହିଥିଲେ। ଏହି ଅବସରରେ ହକି ବିଶ୍ବକପ ଟ୍ରଫିକୁ ସ୍ବାଗତ କରାଯାଇଥିଲା। ସେହିପରି ବେଳାଭୂମି ମହୋତ୍ସବର ସ୍ମରଣିକା ‘ସାମୁକା’ ଉନ୍ମୋଚନ କରାଯାଇଥିଲା।