ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲାର ବିଚାରଣା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବର୍ତ୍ତମାନ ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ) ରିତିକା ଜେନାଙ୍କ କୋର୍ଟରେ କମିଟ୍‌ମେଣ୍ଟ୍‌ ପରେ ବିଚାରଣା ପାଇଁ ଜିଲ୍ଲା ଦୌରାଜଜ୍‌ କୋର୍ଟକୁ ମାମଲା ସ୍ଥାନାନ୍ତର କରାଯାଇଛି। କିଛିଦିନ ମଧ୍ୟରେ ମାମଲାର ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରି ଚାର୍ଜଫ୍ରେମ୍‌ କରାଯିବ। ଏହାପରେ ବିଚାରଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ସେହିପରି ଚାର୍ଜସିଟ୍‌ରୁ ବାଦ୍‌ ପଡ଼ିଥିବା ଅଭିଯୁକ୍ତର ନାଁ ମାମଲାରୁ କାଟିବା ପାଇଁ ଦାଖଲ ହୋଇଥିବା ଡିସ୍‌ଚାର୍ଜ ପିଟିସନ୍‌କୁ ଜେଏମ୍‌ଏଫ୍‌ସି ଖାରଜ କରିଛନ୍ତି। ଏହି ପିଟିସନ୍‌ର ଶୁଣାଣି ବେଳେ ଜେଏମ୍‌ଏଫ୍‌ସି କୋର୍ଟର ଏପିପି ଆଲୋକ କଦମ ମାମଲାରୁ ଅଭିଯୁକ୍ତର ନାଁ କାଟିବାକୁ ଦୃଢ଼ ବିରୋଧ କରିବା ସହିତ ବଳି‌ଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ଏଣୁ ସେହି ପିଟିସନ୍‌ ଖାରଜ ହୋଇଛି।

Advertisment

ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଗତ ଜୁନ୍ ୧୫ ତାରିଖ ସଂଧ୍ୟାରେ ଜଣେ ଯୁକ୍ତତିନି ଶେଷବର୍ଷ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ଗଣଦୁଷ୍କର୍ମ ହୋଇଥିଲା। ଏହି ଘଟଣାରେ ଗୋପାଳପୁର ଥାନା ପୁଲିସ କେସ୍ ନମ୍ବର ୧୮୬/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣା ରାତିରେ ହିଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬ଜଣ ଯୁବକଙ୍କୁ ଧରିଥିଲା। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହୁଣ୍ଡତ ଗ୍ରାମର ପ୍ରମୋଦ ନାୟକ, ହିଂଜିଳିକାଟୁ ଥାନା ବୁରୁପଡ଼ାର ବାବୁରାମ ଦଳାଇ, ପାଟପୁର ଥାନା ବେଲଗାଁର କୁନାଲ ପ୍ରଧାନ, ହିଂଜିଳିକାଟୁ ଥାନା ସିକିରିର ଓମ୍ ପ୍ରଧାନ, ବୁରୁପଡ଼ାର ଲକ୍ଷ୍ମଣ ପ୍ରଧାନ ଓ ଦୀପକ ତରାଇ। ପରବର୍ତ୍ତୀ ସମୟରେ ପୁଲିସ ଅନ୍ୟ ୪ଜଣ ନାବାଳକଙ୍କୁ ମଧ୍ୟ କାବୁ କରିଥିଲା। ୧୭ତାରିଖରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।     

କ୍ରାଇମ୍‌ବ୍ରାଞ୍ଚ ଆଇଜି ଏସ୍. ସାଇନିଙ୍କ ନେତୃତ୍ୱରେ ଏକ ଟିମ୍ ଗୋପାଳପୁରରେ କ୍ୟାମ୍ପ୍‌ କରି ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲା। ପୀଡ଼ିତାଙ୍କ ବୟାନ, ମାମଲାର ତଦନ୍ତ ରିପୋର୍ଟ ଓ ସାଇଣ୍ଟିଫିକ୍ ପ୍ରମାଣକୁ ଆଧାର କରି କ୍ରାଇମ୍‌ବ୍ରାଞ୍ଚ ୫ଜଣ ଯୁବକ ଓ ୪ଜଣ ନାବାଳକଙ୍କ ବିରୋଧରେ ଜୁଲାଇ ୨୮ତାରିଖରେ ଚାର୍ଜସିଟ୍ ଦାଖଲ କରିଥିଲା। କିନ୍ତୁ ଜଣେ ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇ ନଥିଲା। ଘଟଣା ଘଟିବାର ମାତ୍ର ୪୪ ଦିନ ଭିତରେ ଅଭିଯୁକ୍ତଙ୍କ ନାମରେ ମୋଟ ୫୭୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିବା କ୍ରାଇମ୍‌ବ୍ରାଞ୍ଚ। ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ) କୋର୍ଟରେ ୫ଜଣ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍ ଦାଖଲ ହୋଇଥିବା ବେଳେ ଜୁଭେନାଇଲ୍ ଜଷ୍ଟିସ୍‌ ବୋର୍ଡ (ଜେଜେବି) ନିକଟରେ ୪ଜଣ ନାବାଳକଙ୍କ ନାମରେ ଚାର୍ଜସିଟ୍ ଦାଖଲ ହୋଇଥିଲା।