ଗୋପାଳପୁର ବେଳାଭୂମିରୁ
ରାକେଶ ରୋଷନ ମହାନ୍ତି
ବ୍ରହ୍ମପୁର: ରାତି ପାହିଲେ ଗୋପାଳପୁର ବେଳାଭୂମିକୁ ଛୁଟି ଆସୁଥିଲେ ହଜାର ହଜାର ପର୍ଯ୍ୟଟକ। ବିସ୍ତୀର୍ଣ୍ଣ ବେଳାଭୂମିରେ ଭିଡ଼ ସାଙ୍ଗକୁ ପର୍ଯ୍ୟଟନ ଶିଳ୍ପରେ ବି କୋଟି କୋଟି ବେପାର ହେଉଥିଲା। ହେଲେ ଏବେ ଗୋପାଳପୁରର ଶିରୀ ଯେମିତି ତୁଟି ଯାଇଛି। ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ପରଠୁ ସତେ ଯେମିତି ବଦଳି ଯାଇଛି ଗୋପାଳପୁରର ମନଲୋଭା ନୀଳାଭ ସମୁଦ୍ର ବେଳାଭୂମି। ପର୍ଯ୍ୟଟକଙ୍କ ସଂଖ୍ୟା ବର୍ତ୍ତମାନ ଅଧା ଖସି ଯାଇଥିବା ବେଳେ ସଞ୍ଜ ହେଲେ ପର୍ଯ୍ୟଟକଙ୍କୁ ବେଳାଭୂମିରୁ ବିଦା କରି ଦେଉଛି ପୁଲିସ। ଏବେ ପ୍ରଶାସନ ଲାଗି ବେଳାଭୂମି ସୁରକ୍ଷା ଯେତିକି ଗୁରୁତ୍ବପୂର୍ଣ୍ଣ, ସେତିକି ଆହ୍ବାନ ଗୋପାଳପୁର ପ୍ରତି ପର୍ଯ୍ୟଟକଙ୍କ ବିଶ୍ବାସ ଫେରାଇ ଆଣିବା।
ଆଉ ୫ ଦିନ ପରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ମାସେ ପୂରିବ। ଏତେ ବଡ଼ କାଣ୍ଡ ପରେ ଉପମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟମାନେ ବେଳାଭୂମି ସୁରକ୍ଷାକୁ ଗୁରୁତ୍ବ ଦେଇଥିଲେ। ବେଳାଭୂମିରେ ସୁରକ୍ଷା, ଅଧିକ ଆଲୋକୀକରଣ ଓ ସିସିଟିଭି କ୍ୟାମେରା ଲଗାଇବାକୁ ସରକାର ଜୋର ଦେଇଥିଲେ। ଗୋପାଳପୁର ପୌରପାଳିକା ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ବିଡ଼ମ୍ବନା, ଇତିମଧ୍ୟରେ ମାସେ ପୂରିବାକୁ ବସିଥିଲେ ମଧ୍ୟ ଏହା ଆରମ୍ଭ ହୋଇନାହିଁ। ସେପଟେ ପର୍ଯ୍ୟଟନର ସିଂହଭାଗ ଏଠାକାର ହୋଟେଲ ଶିଳ୍ପକୁ ଆସୁଥିଲା। ସାନବଡ଼ ହୋଇ ଏଠାରେ ୨୮ଟି ହୋଟେଲ ରହିଛି। ପର୍ଯ୍ୟଟନ ଋତୁରେ ଦିନକୁ ପ୍ରାୟ ୬୦୦ ରୁମ୍ ବୁକ୍ ହୋଇଥାଏ। ଏବେ ୬୦ ରୁମ୍ ବି ବୁକ୍ ହୋଇପାରୁନଥିବା ହୋଟେଲ ମାଲିକ କହୁଛନ୍ତି। ଫଳରେ ଏ ବାବଦରେ ଦିନକୁ ହାରାହାରି ୩ଲକ୍ଷରୁ ଅଧିକ ଟଙ୍କା କ୍ଷତି ହେଉଛି। ତେଣେ ସନ୍ଧ୍ୟା ହେଲା ମାତ୍ରେ ବେଳାଭୂମି ଖାଲି କରିଦେଉଛି ପୁଲିସ। ପାଟ୍ରୋଲିଂ ଗାଡ଼ି ସାଇରନ୍ ବଜାଇ ଘନଘନ ପଇଁତରା ମାରୁଛି। ଖାଲି ସେତିକି ନୁହେଁ, ପୁଲିସ କର୍ମଚାରୀ ଟର୍ଚ୍ଚ ମାରି ନିର୍ଜନ ତଥା ଅନ୍ଧାରିଆ ସ୍ଥାନକୁ ଗୋଟି ଗୋଟି କରି ଦେଖୁଛନ୍ତି। ଯିଏ ଯେଉଁଠି ଥିଲେ ବି ଘଉଡ଼ାଇ ଦିଆଯାଉଛି। ଏପରିକି ଏକ ପ୍ରତିଷ୍ଠିତ ହୋଟେଲ୍ର ପଛପଟ ଗେଟ୍ରେ ବି ତାଲା ପଡ଼ୁଛି ରାତି ୮ଟା ପୂର୍ବରୁ। ଯେଉଁ ସମୟରେ ଭିଡ଼ ଜମିବା କଥା, ଠିକ୍ ସେତିକି ବେଳକୁ ସୁରକ୍ଷାର ଦ୍ବାହି ଦେଇ ପର୍ଯ୍ୟଟକଙ୍କୁ ବିଦା କରିଦିଆଯାଉଛି। ଯାହାଫଳରେ ଟଙ୍କା ଖର୍ଚ୍ଚ କରି ବେଳାଭୂମି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ଅପରାଧୀଙ୍କୁ ଜଗିବା ବଦଳରେ ସେମାନଙ୍କୁ ତଡ଼ିଲେ କ’ଣ ଲାଭ ବୋଲି ପର୍ଯ୍ୟଟକ କହିଛନ୍ତି।
ଅଘଟଣା ପରଠୁ ହୋଟେଲ୍ ଶିଳ୍ପ ସହ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଖାଦ୍ୟ, ପାନୀୟଠାରୁ ନେଇ ସଫେଇ ଓ ଅନ୍ୟ ସେବାଗୁଡ଼ିକ ପ୍ରଭାବିତ ହୋଇଛି। ବେଳାଭୂମି ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଦୋକାନୀମାନେ ମଧ୍ୟ ଭୀଷଣ କ୍ଷତି ସହିଲେଣି। ସମୁଦ୍ରକୂଳରେ ଶଙ୍ଖମାଳି, ଖେଳଣା, ପଇଡ଼, ଝାଲ୍ ମୁଢ଼ି, ଫାଷ୍ଟ୍ଫୁଡ୍ ଓ ଅନ୍ୟାନ୍ୟ ଦୋକାନ ଖୋଲିଥିବା ଛୋଟ ବ୍ୟବସାୟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଫଟୋଉଠା ଓ ବେଳାଭୂମି କ୍ରୀଡ଼ାରେ ପେଟ ପୋଷୁଥିବା ଲୋକେ ଆଗକୁ କ’ଣ ହେବ ଭାବି ଚିନ୍ତାରେ। ମୋଟାମୋଟି ଭାବେ ଗତ ୨୦/୨୨ ଦିନ ଭିତରେ ଗୋପାଳପୁର ପର୍ଯ୍ୟଟନ ଶିଳ୍ପ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୫ କୋଟିରୁ ଅଧିକ କ୍ଷତି ସହିଲାଣି।
ଏ ପ୍ରସଙ୍ଗରେ ଗଞ୍ଜାମଜିଲ୍ଲା ହୋଟେଲ୍ ଆସୋସିଏସନ୍ର ସଭାପତି ଉମାଶଙ୍କର ପାଣିଗ୍ରାହୀ ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗୋପାଳପୁର ବେଳାଭୂମି ସୁରକ୍ଷିତ ଓ ଏଠାକୁ ପର୍ଯ୍ୟଟକ ଆସନ୍ତୁ ବୋଲି ପ୍ରଶାସନ ଦୃଢ଼ତାର ସହ କହିବା ଦରକାର। ପର୍ଯ୍ୟଟକଙ୍କ ବିଶ୍ବାସ ନ ଜିତିଲେ ଆଗକୁ ପର୍ଯ୍ୟଟନ ଶିଳ୍ପ ବୁଡ଼ିଯିବ ବୋଲି ସେ କହିଛନ୍ତି। ତେବେ ବେଳାଭୂମି ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିବା ବ୍ରହ୍ମପୁର ଏସ୍ପି ସର୍ବଣା ବିବେକ ଏମ୍ କହିଛନ୍ତି। ବିଚ୍ ପାଟ୍ରୋଲିଂ ଗାଡ଼ି ସହ କର୍ମଚାରୀମାନେ ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି। ପର୍ଯ୍ୟଟକ ପୁଣିଥରେ ଗୋପାଳପୁର ବୁଲିବାକୁ ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।