ଗୋଳନ୍ଥରା : ବିଜେଡିରୁ ବିତାଡ଼ିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗତକାଲି ନିଜ ନିର୍ବାଚନମଣ୍ଡଳୀରେ ‘ପ୍ରଦୀପ ସେନା’ ବ୍ୟାନର୍ରେ ପଦଯାତ୍ରା ଆରମ୍ଭ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସରକାରଙ୍କ ବିଫଳତା ଓ ଅଫିସର୍ରାଜ୍ ଓ ଦୁର୍ନୀତି ସମ୍ପର୍କରେ ସଭାରେ ପ୍ରଚାର କରିଥିଲେ। ଏହାର ଦିନକ ପରେ ବିଜେଡି ପକ୍ଷରୁ କଡ଼ା ଚ୍ୟାଲେଞ୍ଜ୍ ଦିଆଯାଇଛି। ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ବାରେ ଥିବା ପ୍ରଦୀପ କୁମାର ଅମାତ ବୁଧବାର ଦିନ ଦିନିକିଆ ଗୋପାଳପୁର ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜନସଂପର୍କ ପଦଯାତ୍ରାରେ ସାମିଲ୍ ହୋଇଥିଲେ। ସେ ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ ଫୁଲ୍ଟା ଗ୍ରାମରେ ଆୟୋଜିତ ବିଜେଡି ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି, ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପୁରସ୍କୃତ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ବିକାଶଧାରା ବଜାୟ ରହିଛି। ସମସ୍ତ ଯୋଜନା ବିଷୟରେ ଲୋକେ ଯେଭଳି ଠିକ୍ ଭାବେ ଅବଗତ ହୋଇପାରିବେ, ଏଥିପାଇଁ ସଚେତନ କରିବାକୁ ଏକମାସ ବ୍ୟାପୀ ପଦଯାତ୍ରା ଜାରି ରହିଛି ବୋଲି ଶ୍ରୀ ଅମାତ କହିଥିଲେ। ଅନ୍ୟତମ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ.ଗୋପବନ୍ଧୁ ଦାଶ ଯୋଗ ଦେଇଥିଲେ। ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାଶଙ୍କ ନେତୃତ୍ୱରେ ବହୁ ଦଳୀୟ କର୍ମୀ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପଦଯାତ୍ରାରେ ମନ୍ତ୍ରୀ ଗ୍ରାମର ବିଭିନ୍ନ ସାହି ପରିକ୍ରମା କରିଥିଲେ।
ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ମନ୍ତ୍ରୀ ଶ୍ରୀ ଅମାତ, ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀଙ୍କ ସମେତ ଜିଲ୍ଲା ପରିଷଦ ଉପସଭାପତି ଏସ୍.ରାଜେଶ୍ବରୀ ଦୋରା, ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ସିଏଚ୍.ଉଷାରାଣୀ, ଜିଲ୍ଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ପି.କମଳା ରେଡ୍ଡୀ, ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର କୋଠିଆ ଓ ପ୍ରକାଶ ସାମନ୍ତଙ୍କ ସମେତ ବହୁ ନେତା ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶଶିଭୂଷଣ ମହାନ୍ତି, ବ୍ଲକ୍ ବିଜେଡି ଉପସଭାପତି ପ୍ରକାଶ ଚନ୍ଦ୍ର ସାମନ୍ତ, ଯୁବନେତା କେ.ସନ୍ତୋଷ ପାତ୍ର, ଗୋପାଳପୁର ଏନ୍ଏସି ଅଧକ୍ଷ ଏମ.ଜାନକୀରାମ, ହଳଦିଆପଦର ସରପଞ୍ଚ ଦଣ୍ଡପାଣି ବେହେରା, ସମିତିସଭ୍ୟ କେ.ପ୍ରବୀଣ କୁମାର, ରଣ୍ଢା ସରପଞ୍ଚ ଅଜିତ କୁମାର ରାଉଳ, ସମିତିସଭ୍ୟା ବିଷ୍ଣୁପ୍ରିୟା ନାୟକ ଓ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।