ବ୍ରହ୍ମପୁର:  ସୂଚନା ମୁତାବକ, ଆଜି ସକାଳ ୧୧ଟା ବେଳେ ଜଣେ ନାବାଳିକା ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ସମୁଦ୍ରକୂଳରେ ବୁଲିସାରିବା ପରେ ଜଣକ ଘରକୁ ୨ ଘଣ୍ଟା ପାଇଁ ଭଡ଼ାରେ ମାଗିଥିଲେ। ସେ ମନା କରିବା ପରେ ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ। ତେବେ ନାବାଳିକା ହୋଇଥିବାରୁ ତୁରନ୍ତ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ନାବାଳିକାଙ୍କ ବାପା ଖବର ପାଇ ଥାନାରେ ପହଞ୍ଚି ଘଟଣା ବିଷୟରେ ଜାଣିବାକୁ ଚାହିଥିଲେ। ତେବେ ଥାନାରେ ବାପାଙ୍କୁ ଦେଖି ନାବାଳିକା ଚିନ୍ତାରେ ପଡ଼ି ଯାଇଥିଲେ। ଭୟ କିମ୍ବା ଅନ୍ୟ କୌଣସି କାରଣରୁ ସେ ଥାନା ଭିତରେ ଫିନାଇଲ୍‌ ପିଇ ଦେଇଥିଲେ। 

Advertisment

ପୁଲିସ ଏହା ଜାଣିବା ପରେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜିରେ ଭର୍ତ୍ତି କରିଥିଲା। ଏମ୍‌କେସିଜି ଆଶୁ ଚିକିତ୍ସା ବିଭାଗର ମେଡିସିନ ୱାର୍ଡରେ ତାଙ୍କ ଚିକିତ୍ସା ଚାଲିଛି। ଦୁଇ ଜଣିଆ ଡାକ୍ତରୀ ଟିମ୍‌ ତାଙ୍କୁ ଚିକିତ୍ସା କରୁଛନ୍ତି। ଯଦିଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି, ତଥାପି ୨୪ ଘଣ୍ଟା ପର୍ଯ୍ୟନ୍ତ ସେ ନିରୀକ୍ଷଣରେ ରହିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଘଟଣା ସମ୍ପର୍କରେ ଏସ୍‌ପି ଡା.ଶରବଣା ବିବେକ ଏମ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ପରିସ୍ଥିତିରେ ନାବାଳିକା ଥାନାରେ ଫିନାଇଲ୍‌ ପିଇଲେ ତାହାର ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବ୍ରହ୍ମପୁର ଏସ୍‌ଡିପିଓଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ‌ ତଦନ୍ତ ରିପୋର୍ଟ ମିଳିବା ପରେ ପୁଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଏସ୍‌ପି କହିଛନ୍ତି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ ଏନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ପୁଲିସ ପୀଡ଼ିତାଙ୍କ ପୁରୁଷବନ୍ଧୁକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।