ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରହୀ

ଜମା ଦେଲେ ୫୯ ଲକ୍ଷ, ୬ ମାସ ୯ ଦିନ ଜେଲ୍‌ରେ ରହିଲେ

ଭୁବନେଶ୍ବର/ବ୍ରହ୍ମପୁର : ବହୁଚର୍ଚ୍ଚିତ ଟାଟା ମୋଟର୍ସରେ ଚାକିରି ନାଁରେ ଅର୍ଥ ଆଦାୟ ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରହୀ ଶନିବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ‌୬୯ ଲକ୍ଷ ଟଙ୍କା ଦାଖଲ କରିବା ଲାଗି କୋର୍ଟ ନିର୍ଦେଶ ରହିଥିବା ବେଳେ ପ୍ରଦୀପ ୫୯ ଲକ୍ଷ ଟଙ୍କା ଦାଖଲ କରି ମୁକୁଳିଛନ୍ତି।

କ୍ରାଇମବ୍ରାଞ୍ଚ ମାମଲାରେ ତାଙ୍କୁ ଭୁବନେଶ୍ବରସ୍ଥିତ ଜେଏମ୍‌ଏଫ୍‌ସି ତଥା ବିଧାୟକ ଏବଂ ସାଂସଦଙ୍କ ମାମଲାର ଶୁଣାଣି ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର କୋର୍ଟରେ ଜୁଲାଇ ଶେଷ ସୁଦ୍ଧା ୪୭ ଲକ୍ଷ ୪୫ ହଜାର ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏବେ ସୁଦ୍ଧା ସେ ୩୯ ଲକ୍ଷ ଟଙ୍କା ଦାଖଲ କରି ସାରିଛନ୍ତି। ସେହିପରି ବୈଦ୍ୟନାଥପୁର ଥାନା ମାମଲାରେ ୬ଲକ୍ଷ, ଗୋଳନ୍ଥରା ଥାନା ମାମଲାରେ ଯଥାକ୍ରମେ ୬ ଲକ୍ଷ, ୫ ଲକ୍ଷ ଓ ୩ ଲକ୍ଷ ଟଙ୍କା କୋର୍ଟରେ ଦାଖଲ କରି ସାରିଥିବା ଆଇନଜୀବୀ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି।

ପର୍ଯ୍ୟାୟକ୍ରମେ ୫ଟି ମାମଲାରେ କୋର୍ଟରୁ ଜାମିନ ମିଳିବା ପରେ ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଶେଷ ମାମଲାରେ ଗତକାଲି ସର୍ତ୍ତମୂଳକ ଜାମିନ ପାଇଥିଲେ। କିନ୍ତୁ ରିଲିଜ୍ ଅର୍ଡ଼ର ଆସି ନ ଥିବାରୁ ତାଙ୍କୁ ଆଉ ଗୋଟିଏ ରାତି ଜେଲ ଭିତରେ କଟାଇବାକୁ ପଡ଼ିଥିଲା। ଦୀର୍ଘ ସାଢ଼େ ୬ ମାସ ୯ ଦିନ ରହିବା ପରେ ଆଜି ସେ ଜେଲରୁ ବାହାରିଛନ୍ତି।

ଅପରାହ୍ନ ପ୍ରାୟ ୪ଟା ୧୫ରେ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ଏକ ଫର୍ଚୁନର ଗାଡ଼ିରେ ଜେଲ ନିକଟରେ ପହଞ୍ଚିଥିଲେ। ଏହା ପରେ କୋର୍ଟର ଜଣେ କର୍ମଚାରୀ ରିଲିଜ୍ ଅର୍ଡର ନେଇ ଜେଲକୁ ଯାଇଥିଲେ। ରିଲିଜ୍ ଅର୍ଡର ଦାଖଲ ହେବାର ପ୍ରାୟ ଅଧଘଣ୍ଟାଏ ପରେ ଅର୍ଥାତ୍ ୪ଟା ୫୦ ସୁଦ୍ଧା ବିଧାୟକ ଜେଲରୁ ମୁକୁଳିଥିଲେ। ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ କିମ୍ବା ତାଙ୍କ ପତ୍ନୀ କିଛି କହି ନ ଥିଲେ। ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କୁ ହାତ ଯୋଡ଼ି ସିଧା ଯାଇ ଗାଡ଼ି ଭିତରେ ବସିଥିଲେ। ଏହା ପରେ ସେ ଭୁବନେଶ୍ବର ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ ବୋଲି ଜଣାପଡ଼ିଛି।

ଟାଟା ମୋଟର୍ସରେ ଚାକିରି ନାଁରେ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ସହ ମିଶି ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଠକେଇ ଓ ଅର୍ଥ ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ପ୍ରଥମେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନଭେମ୍ବର ମାସରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ତଥା ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କର ଭାବି ଜ୍ବାଇଁ ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏହା ପରେ ଟାଟା ମୋଟର୍ସ ନାଁରେ ଠକେଇ ଅଭିଯୋଗରେ ତାଙ୍କ ନାଁ ଆସିବାରୁ କ୍ରାଇମବ୍ରାଞ୍ଚ ଶ୍ରୀ ପାଣିଗ୍ରାହୀଙ୍କୁ ଅଭିଯୁକ୍ତ ଦର୍ଶାଇ ମାମଲା ରୁଜୁ କରିଥିଲା ଏବଂ ଗତ ଡିସେମ୍ବର ୩ ତାରିଖରେ ତାଙ୍କୁ ଗିରଫ କରିଥିଲା। କୋର୍ଟଚାଲାଣ ପରେ ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିଲା। ସେ ଜେଲରେ ଥିବା ବେଳେ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ ଯେ ପ୍ରଦୀପଙ୍କ ନାମରେ ଗଞ୍ଜାମ ଜିଲ୍ଲାର ଦୁଇଟି ଥାନାରେ ରୁଜୁ ହୋଇଥିବା ମୋଟ ୫ଟି ମାମଲାରେ ତାଙ୍କୁ ଜାମିନ୍‌ ମିଳିଛି। ପ୍ରତ୍ୟେକ ମାମଲାରେ ଜାମିନ୍‌ ପ୍ରଦାନ ବେଳେ କୋର୍ଟ କିଛି ନିର୍ଦ୍ଦିଷ୍ଟ ପରିମାଣ ଟଙ୍କା ‌ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଧାୟକ ପ୍ରଦୀପ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୨୦ଲକ୍ଷ ଟଙ୍କା ଜମା କରି ସାରିଛନ୍ତି। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ପ୍ରଥମ ମାମଲାରେ ୬ଲକ୍ଷ ଟଙ୍କା, ଦ୍ବିତୀୟ ମାମଲାରେ ୪ଲକ୍ଷ ଟଙ୍କା, ତୃତୀୟ ମାମଲାରେ ୪ଲକ୍ଷ ଟଙ୍କା ଓ ‌ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଗୋଟିଏ ମାମଲାରେ ୬ଲକ୍ଷ ଟଙ୍କା ଜମା କରିଛନ୍ତି। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ପଞ୍ଚମ ମାମଲାରେ ମଧ୍ୟ ୨ଲକ୍ଷ ଟଙ୍କା ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାମିନ୍‌ ପାଇବାର ୨୦ଦିନ ମଧ୍ୟରେ ଏହି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ରହିଥିବା ତାଙ୍କର ଓକିଲ କହିଛନ୍ତି।

ଜାମିନରେ ଥିଲାବେଳେ ଶ୍ରୀ ପାଣିଗ୍ରାହୀ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବେ ନାହିଁ, ଧାର୍ଯ୍ୟ ତାରିଖ ଅନୁସାରେ କୋର୍ଟରେ ହାଜର ହେବେ, ତଦନ୍ତରେ ପୁଲିସକୁ ସହଯୋଗ କରିବେ, କୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ, ଗଣମାଧ୍ୟମକୁ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ୭ଟି ସର୍ତ୍ତ ରହିଛି। ଉଲ୍ଲେଖଯୋଗ୍ୟ ଯେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ପାସପୋର୍ଟକୁ ପୂର୍ବରୁ କ୍ରାଇମବ୍ରାଞ୍ଚ ନିକଟରେ ଦାଖଲ କରିସାରିଛନ୍ତି।

ସମ୍ବନ୍ଧିତ ଖବର