ବ୍ରହ୍ମପୁର : ଗୁନ୍ ଗୁନାନେ କି ୱଜା ତୁମ୍ ହୋ..., ଜିୟାନା ଯାଏନା ଯାଏନା..., ବୋଲ୍ ଦେ ତୁ ଜାରା ଜାରା ... ଆଦି ଗୋଟିଏ ପରେ ଗୋଟିଏ ସୁପରହିଟ୍ ଗୀତ ଗାଇ ଶ୍ରୋତା ଓ ଦର୍ଶକଙ୍କ ମନ ମୋହି ନେଇଥିଲେ ବଲିଉଡ୍ କଣ୍ଠଶିଳ୍ପୀ ଅର୍ମାନ୍ ମଲ୍ଲିକ। ଗୋପାଳପୁର ବେଳାଭୂମି ମହୋତ୍ସବର ଆଜି ଚତୁର୍ଥ ରଜନୀରେ ମୁଖ୍ୟ ଆକର୍ଷଣ ଥିଲେ କଣ୍ଠଶିଳ୍ପୀ ଅର୍ମାନ୍। ମତୁଆଲା କରି ଦେଇଥିଲେ ଦର୍ଶକ ଓ ଶ୍ରୋତାଙ୍କୁ। ଶ୍ରୋତାଙ୍କୁ ଆଦୌ ନିରାଶ କରି ନଥିଲେ। ଅର୍ମାନ୍ଙ୍କ ସଂଗୀତ ସହ ଗଞ୍ଜାମ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାରୁ ଆସିଥିବା ସାଂସ୍କୃତିକ ଦଳ ଗୁଡ଼ିକ ବି ସେମାନଙ୍କ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ମନୋରଂଜନ ଯୋଗାଇଥିଲେ। ବ୍ରହ୍ମପୁର ସ୍ଥିତ ଗଂଜାମ କଳା ପରିଷଦ ପକ୍ଷରୁ ଓଡ଼ିଶୀ, ଛତ୍ରପୁରର ଡିଏସ୍ଆର୍ ଡେନ୍ସ ଇନ୍ଷ୍ଟିଚ୍ୟୁଟ୍, ଜୟ ଗଣେଶ କଳା ବିକାଶ କେନ୍ଦ୍ର, ଶ୍ରୀ ଜଗନ୍ନାଥ କଳା ନିକେତନ, ଡିଡିଏସ୍ ଡେନ୍ସ ଷ୍ଟିଡ଼ିଓର କଳାକାରଙ୍କ ସମେତ କୋରାପୁଟ, କଳାହାଣ୍ଡି, ସମ୍ବଲପୁର ଓ ପଶ୍ଚିମବଙ୍ଗର କଳାକାରଙ୍କ ଦ୍ବାରା ନୃତ୍ୟ ପରିବେଷିତ ହୋଇଥିଲା।
ଆଜି ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାସ ବେହେରା, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇଙ୍କ ସମେତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ବ୍ରହ୍ମପୁର ଏସ୍.ପି ଡା. ଶରବଣା ବିବେକ.ଏମ୍ ଅଂଶଗ୍ରହଣ କରିଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବ କଳା, ସଂସ୍କୃତି ଓ ପର୍ଯ୍ୟଟନର ଅପୂର୍ବ ମିଳନ ସ୍ଥଳ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ବେଳାଭୂମି ମହୋତ୍ସବ ଜିଲ୍ଲାର ଲକ୍କାୟିତ ପ୍ରତିଭା ଗୁଡ଼ିକର ବିକାଶ ଦିଗରେ ସୁଯୋଗ ସୃଷ୍ଟି କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ମେୟର ଶ୍ରୀମତୀ ଦଳେଇ ଆସନ୍ତା ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁରରେ ଏଭଳି ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ। ଆଜି ବେଳାଭୂମି ମହୋତ୍ସବରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥିଲା। ମଧ୍ୟାହ୍ନରୁ ଲୋକେ ସପରିବାରେ ଗୋପାଳପୁର ବେଳାଭୂମି ମହୋତ୍ସବ ଦେଖିବା ପାଇଁ ଭିଡ଼ ଲଗାଇବା ସହ ପଲ୍ଲିଶ୍ରୀ ମେଳାକୁ ବି ମନଭରି ଉପଭୋଗ କରିଥିଲେ। ଚତୁର୍ଥ ରଜନୀରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।