ଗୋପାଳପୁର ପଂଚାୟତ ଭତ୍ତା ଦୁର୍ନୀତି: ପଞ୍ଚାୟତ ଅଧିକାରୀ ନିଲମ୍ବିତ

ଜଗତସିଂହପୁର ଟାଉନ୍: ତିର୍ତୋଲ ବ୍ଲକ୍ ଗୋପାଳପୁର ପଂଚାୟତର ଭତ୍ତା ଦୁର୍ନୀତି ଘଟଣାରେ ଗୋପାଳପୁର ପଂଚାୟତ ଅଧିକାରୀ ହିମାଂଶୁ ଭୁଷଣ ନାୟକଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ନିଲମ୍ବନ ଅବଧିରେ ଶ୍ରୀ ନାୟକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜିରା ଦେବାକୁ କୁହାଯାଇଛି। ତେବେ ଏହି ଭତ୍ତା ଦୁର୍ନୀତିରେ ଉପର ଠାରୁ ତଳ ପର୍ଯ୍ୟନ୍ତ ଅଧିକାରୀ, ରାଜନେତାଙ୍କ ସଂପୃକ୍ତି ଥିଲେ ମଧ୍ୟ କେବଳ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନରେ କାର୍ଯ୍ୟାନୁ‌ଷ୍ଠାନ ସୀମିତ ରହିଛି। ସବୁ ଦୁର୍ନୀତିର ପ୍ରମାଣ ହାତରେ ଲାଗିବା ପରେ ପ୍ରଶାସନର ଏହି ସୀମିତ କାର୍ଯ୍ୟାନୁଷ୍ଠାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃ‌ଷ୍ଟି ହୋଇଛି। ଗୋପାଳପୁର ପଞ୍ଚାୟତର ସରପ‌ଞ୍ଚ ଓ ପିଇଓଙ୍କ ମଧୁଚନ୍ଦ୍ରିକାରେ ଇନ୍ଦିରାଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଯୋଜନା, ମଧୁବାବୁ ପେନ୍‌ସନ୍ ଯୋଜାନ, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତାରେ ବୟସ ଜାଲିଆତି କରି ଶତାଧିକ ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଇଥିଲା।

ଏମିତିକି କେତେକ ସଧବା ବିଧବା ଭତ୍ତା ଉଠାଇଥିବା ଘଟଣା ସୂଚନା ଅଧିକାର ଆଇନ୍ ତଥ୍ୟ ବଳରେ ସାମ୍ନାକୁ ଆସିଥିଲା। ଡିସେମ୍ବର ୨୦୧୯ରେ ସମ୍ବାଦରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପଂଚାୟତରେ ୨୦୧୭ରେ ନିଲମ୍ବିତ ପିଇଓ ଶ୍ରୀ ନାୟକଙ୍କ ଦ୍ବାରା ପ୍ରସ୍ତୁତ ବୟସ ତାଲିକା ଓ ଭୋଟର ବୟସ ତାଲିକାରେ ତାଳ ମେଳ ନଥିଲା। ଗୋଟିଏ ପଞ୍ଚାୟତରେ ୩୧୪ ଜଣ ହିତାଧିକାରୀଙ୍କ ମଧ୍ୟରୁ ୫୨ ଜଣ ଯୋଗ୍ୟ ଓ ଅବଶିଷ୍ଟ ୨୬୨ ଜଣ ଅଯୋଗ୍ୟଙ୍କୁ ନିଜେ ଭତ୍ତା ବାଣ୍ଟି ବାହାବା ନେଇଥିଲେ। ୱାର୍ଡ ମେମ୍ବର ଓ ତାଙ୍କ ପତ୍ନୀ ମଧ୍ୟ ବୟସ ଜାଲିଆତି କରି ଭତ୍ତା ଉଠାଇଥିବା ପ୍ରମାଣ ମିଳିଥିଲା। ଘଟଣାରେ ପଂଚାୟତରୁ ବ୍ଲକ୍ ଓ ଜିଲ୍ଲାସ୍ତରର ଅଧିକାରୀ ଏବଂ ରାଜନେତାମାନେ ସଂପୃକ୍ତ ଥିବା ବେଳେ କେବଳ ଜିଲ୍ଲାପ୍ରଶାସନ ପିଇଓଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର