ଗୋଳନ୍ଥରା: ଏବେ ବିଜେଡିର ଜନସଂପର୍କ ପଦଯାତ୍ରା ଚାଲିଛି। ଠିକ୍ ଏହି ସମୟରେ ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମର୍ଥିତ ଗୋଷ୍ଠୀ ଗଢ଼ିଥିବା ‘ପ୍ରଦୀପ ସେନା’ର ସମାନ୍ତରାଳ ଜନସଂପର୍କ ପଦଯାତ୍ରାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଆଜିର ପଦଯାତ୍ରା ପୂର୍ବରୁ ବିଧାୟକଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରତିପକ୍ଷ ଗୋଷ୍ଠୀର ଆକ୍ରମଣରେ ବିଧାୟକଙ୍କ ସମର୍ଥକ ତଥା ଉକ୍ତ ଗ୍ରାମର ରୁପାଙ୍ଗ ସାହୁ ଆହତ ହୋଇଥିବା ଜଣାପଡ଼ିଛି। ରୁପାଙ୍ଗଙ୍କ ଏତଲା କ୍ରମେ କେସ୍ ନମ୍ବର ୪୦୧ ଅନୁସାରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ, ଗୋପାଳପୁର ବିଧାୟକଙ୍କ ଗସ୍ତ କାର୍ଯ୍ୟକ୍ରମ ବିଷୟରେ ରୁପାଙ୍ଗ ଗତକାଲି ରାତିରେ ଘରକୁ ଘର ବୁଲି ସୂଚନା ଦେଉଥିଲେ। ଏହିସମୟରେ ପୂର୍ବତନ ସରପଞ୍ଚ ଦଣ୍ଡପାଣି ସାହୁ ଉତ୍ତ୍ୟକ୍ତ ହୋଇ ରୁପାଙ୍ଗଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ। ଏନେଇ ଥାନାରେ ଏତଲା ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ରୁପାଙ୍ଗ ଓ କିଛି ଗ୍ରାମବାସୀ ଆଜି ଥାନାରେ ଏତଲା ଦେବା ସହ ଦଣ୍ଡପାଣିଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଥାନାଧିକାରୀ ବିବେକାନନ୍ଦ ମହନ୍ତଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ, ଦଣ୍ଡପାଣି ସାହୁଙ୍କ ପାଲଟା ଏତଲା କ୍ରମେ କେସ୍ ନମ୍ବର ୪୦୨ ଅନୁସାରେ ମାମଲା ରୁଜୁ ହୋଇଛି। ନଟବର ସାହୁ ଓ ରୁପାଙ୍ଗ ତାଙ୍କୁ ଧମକଚମକ ଦେବା ସହ ମାଡ଼ ମାରିଥିବା ଏଥିରେ ସେ ଦର୍ଶାଇଛନ୍ତି। ଉଭୟ ଏତଲାକୁ ଗ୍ରହଣ କରି ତଦନ୍ତ ଜାରି ରହିଥିବା ଥାନାଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ, ବିଧାୟକ ଶ୍ରୀପାଣିଗ୍ରାହୀ ଆଜି ଇନ୍ଦ୍ରାକ୍ଷୀ ପଞ୍ଚାୟତରେ ଆୟୋଜିତ ପଦଯାତ୍ରାରେ ସାମିଲ୍ ହୋଇଥିଲେ। ଏହି ଅବସରରେ ସେ କହିଥିଲେ, ଖୋଦ୍ ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିଲେ ହେଁ, କାଣିଚାଏ ପ୍ୟାକେଜ୍ ଘୋଷଣା କରାଯାଉନି। ଉପନିର୍ବାଚନକୁ ନଜରରେ ରଖି ସରକାର ଧାମନଗର ପାଇଁ ପାଣି ଭଳି ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଆଉ ଧାମନଗର ନିର୍ବାଚନରୁ ହିଁ ଅସଲ ଖେଳ ଆରମ୍ଭ ହେବ। ଏହାର ଫଳାଫଳକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି ବୋଲି ସେ କହିଛନ୍ତି। ଗତକାଲିର ହିଂସାକାଣ୍ଡ ଏବଂ ବିଧାୟକଙ୍କ ମନ୍ତବ୍ୟ ଆଜି ଏଠାକାର ରାଜନୈତିକ ବାତାବରଣକୁ ସରଗରମ କରିଛି। ବିଧାୟକ ପ୍ରତିନିଧି ବାଲ୍ୟରାମ ଦଳେଇ, ପ୍ରତାପ ମିଶ୍ର, ଲଲାଟେନ୍ଦୁ ସାହୁ, ବୁଚେଶ୍ୱର ସାହୁ ଓ ନଟବର ସାହୁଙ୍କ ସମେତ ବହୁ ସମର୍ଥକ ଉପସ୍ଥିତ ଥିଲେ।
ସେପେଟ ବିଜେଡି ପକ୍ଷରୁ ଆଜି ରଙ୍ଗେଇଲୁଣ୍ଡା ବ୍ଲକ୍ କମଳାପୁର ପଞ୍ଚାୟତର ହାତୀପାଦ କମଳାପୁର ଗ୍ରାମ ଏବଂ ଗୋଳାବନ୍ଧ ପଞ୍ଚାୟତରେ ଜନସଂପର୍କ ପଦଯାତ୍ରା ଆୟୋଜନ ସହ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ବିଷୟରେ ସଚେତନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗୋପବନ୍ଧୁ ଦାଶ, ବ୍ଲକ୍ ବିଜେଡି ସଭାପତି ଅଜିତ କୁମାର ଦାଶ, ଜିଲ୍ଲା ପରିଷଦ ଉପସଭାନେତ୍ରୀ ରାଜେଶ୍ୱରୀ ଦୋରା, ବ୍ଲକ୍ ଅଧ୍ୟାକ୍ଷା ସିଏଚ.ଉଷାରାଣୀ, ଏସ.ଧର୍ମରାଜୁ ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ ଓ ଅଜିତ ରାଉଳ ପ୍ରମୁଖ ସାମିଲ ହୋଇଥିଲେ।