୩୪ ବର୍ଷରେ ଗୋପାଳପୁର ବନ୍ଦର: ୪ ବର୍ଷ ହେଲା ବିକାଶ ପଥରେ

୨୦୨୫ ସୁଦ୍ଧା‌ ପଣ୍ୟ କାରବାର ୫୫ ମିଲିୟନ ମେଟ୍ରିକ ଟନ୍‌ ଲକ୍ଷ୍ୟ

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଏକମାତ୍ର ବନ୍ଦର ‘ଗୋପାଳପୁର ବନ୍ଦର’ ପ୍ରତିଷ୍ଠାକୁ ୩୪ ବର୍ଷ ହେଲାଣି। ଦେଶର ଦୁଇ ବୃହତ ବନ୍ଦର, ଉତ୍ତରରେ ପାରାଦ୍ବୀପ ଏବଂ ଦକ୍ଷିଣରେ ବିଶାଖାପଟଣା ବନ୍ଦରର ମଧ୍ୟସ୍ଥଳୀରେ ଏହି ବନ୍ଦର ରହିଛି। କିନ୍ତୁ ଅନ୍ୟ ବନ୍ଦର ସହ ତୁଳନା କଲେ ଏହି ସମୟ ମଧ୍ୟରେ ଗୋପାଳପୁର ବନ୍ଦରର ଯେତିକି ବିକାଶ ହେବା କଥା ତାହା ଦେଖିବାକୁ ମିଳୁନାହିଁ। ଏହି ବନ୍ଦର ଦେଶର ପୂର୍ବତଟ ପଣ୍ୟ କାରବାର କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବନ୍ଦରର ପଣ୍ୟ କାରବାର କ୍ଷମତା ଗତ ୩ବର୍ଷ ମଧ୍ୟରେ ୨୦ ନିୟୁତ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଥିବା ବେଳେ ୨୦୨୫ ସୁଦ୍ଧା ଏହା ୫୫ ନିୟୁତ ମେଟ୍ରିକ ଟନ୍‌ରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି।

ସ୍ବାଧୀନ ଭାରତରେ ୧୯୬୩ ମସିହାରେ ଓଡ଼ିଶାର ପ୍ରଥମେ ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୮୬-୮୭ ମସିହାରେ ଗୋପାଳପୁର ବନ୍ଦର ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଏହା ପ୍ରଥମେ ଋତୁକାଳୀନ ବନ୍ଦର ଭାବେ ୨୦୦୩-୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିଲା। ଏହାକୁ ସବୁଦିନିଆ ବନ୍ଦରରେ ପରିଣତ କରିବା ଲାଗି ୨୦୦୬ ମସିହାରେ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଘରୋଇ-ସରକାରୀ ସହଭାଗିତାରେ ଏହାର ଉନ୍ନତି ଲାଗି ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷଙ୍କ ସହ ସରକାର ‌ସେହି ବର୍ଷ ୧୪ ସେପ୍ଟେମ୍ବରରେ ଚୁକ୍ତି ସ୍ବାକ୍ଷର କରିଥିଲେ। ଓଡ଼ିଶା ଷ୍ଟିଭେଡରସ୍‌ ଲିଃ, ସାରା ଇଣ୍ଟରନ୍ୟାସ୍‌ନାଲ୍‌ ଓ ହଂକଂର କମ୍ପାନି ନୋବେଲ ଗ୍ରୁପ୍‌ ଜରିଆରେ ଏହା ବିକାଶ ହାତକୁ ନିଆ ଯାଇଥିଲା। ବୁଷ୍ଟ୍‌ ପ୍ରକ୍ରିୟାରେ ଋତୁକାଳୀନ ବନ୍ଦରକୁ ସବୁଦିନିଆ ବନ୍ଦରରେ ପରିଣତ କରିବା ଲକ୍ଷ୍ୟ ଥିଲା। ବୁଷ୍ଟ(boost)ର ଅର୍ଥ ଥିଲା ବିଲ୍ଡ଼୍‌, ଓନ୍‌, ଅପରେଟ୍‌, ସେୟାର ଓ ଟ୍ରାନ୍ସଫର। କିନ୍ତୁ ୨୦୧୦ ମସିହାରେ ନୋବଲ୍‌ ଗ୍ରୁପ୍‌ ଓ ପରବର୍ତ୍ତୀ ସମୟରେ ସାରା ଗ୍ରୁପ୍‌ ମଧ୍ୟ ଏଥିରୁ ଓହରି ଯାଇଥିଲା। ଆଉ ୨୦୧୩ ଫାଇଲିନ୍‌ ଓ ୨୦୧୪ ହୁ୍ଡ୍‌ହୁଡ଼୍‌ ବାତ୍ୟାରେ ବନ୍ଦରର ଭିତ୍ତିଭୂମି ବ୍ୟାପକ ପ୍ରଭାବିତ ହୋଇଥିଲା। ପୁଣି କିଛି ବର୍ଷ ପଛକୁ ଫେରି ଯାଇଥିଲା ଏହି ବନ୍ଦରର ବିକାଶ। ୨୦୧୫ରେ ବନ୍ଦର ସ୍ଥିତି ସ୍ବାଭାବିକ ହେବାରୁ ୨୦୧୬ରେ ବାଣିଜ୍ୟ କାରବାର ଆରମ୍ଭ କରିଥିଲା।

ଘରୋଇ ସଂସ୍ଥା ମାଲିକାନାରେ ରହି ଦୀର୍ଘ ୧୦ବର୍ଷ ଧରି ଆଖି ଦୃଶିଆ ବିକାଶ କରି ପାରି ନ ଥିଲା। କ୍ରମାଗତ ଦୁଇଟି ବାତ୍ୟା ଏହାକୁ ବେଶି ପ୍ରଭାବିତ କରିଥିଲା। ୨୦୧୭ରେ ସାପୁର୍ଜୀ ପାଲୋଞ୍ଜି ଗ୍ରୁପ୍ ଗୋପାଳପୁର ବନ୍ଦରର ପ୍ରମୁଖ ଅଂଶୀଦାର(୫୧ ପ୍ରତିଶତରୁ ଅଧିକ ସେୟାର) ଭାବେ ୨ ହଜାର କୋଟି ଅଟକଳ‌ରେ ସଂପ୍ରସାରଣ କାର୍ଯ୍ୟ ହାତକୁ ନେଇଥିଲା। ଏବେ ସାପୁର୍ଜୀ ପାଲୋଞ୍ଜି ‌ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ ଲିଃ କମ୍ପାନିଙ୍କ ତତ୍ତ୍ବାବଧାନରେ ଗୋପାଳପୁର ବନ୍ଦର ପରିଚାଳିତ ହେଉଛି। ପୂର୍ବରୁ ଗୋଟିଏ ବର୍ଥ ଥିବା ବେଳେ ଏହି ସଂସ୍ଥା ହାତକୁ ନେବା ପରେ ଆଉ ୨ଟି ଅତିରିକ୍ତ ବର୍ଥ ନିର୍ମାଣ କରାଯାଇଛି। ୨୦୧୯ ଫେବ୍ରୃଆରି ୨୮ତାରିଖରେ ବନ୍ଦରର ୨ଟି ନୂତନ ବର୍ଥ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହୋଇ କାର୍ଯ୍ୟକ୍ଷମ ହୋଇଥିଲା। ପୂର୍ବରୁ ଗୋଟିଏ ବର୍ଥର ପରିବହନ କ୍ଷମତା ମାତ୍ର ୫ ନିୟୁତ ମେଟ୍ରିକ ଟନ୍ ଥିଲା। ବର୍ଥ ବର୍ତ୍ତମାନ ପଣ୍ୟ କାରାବାର କ୍ଷମତା ୨୦ ନିୟୁତ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି।

ଏବେ ଗୋପାଳପୁର ବନ୍ଦରର ଗଭୀରତା ୧୫ମିଟର ରହିଛି। ୬୬ହଜାର ବର୍ଗମିଟର ପରିମିତ ଅଞ୍ଚଳରେ ଷ୍ଟକ୍‌ୟାର୍ଡ ବି ନିର୍ମାଣ ହୋଇଛି। ବର୍ତ୍ତମାନ ଜାହାଜରେ ଲୋଡିଂ ଅନଲୋଡ଼ିଂ ଲାଗି ୪ଟି ହାର୍ବର୍‌ ମୋବାଇଲ କ୍ରେନ୍‌ ରହିଛି। ସାପୁର୍ଜୀ ପାଲୋଞ୍ଜି ଗ୍ରୁପ୍ ୨୦୨୫ ମସିହା ସୁଦ୍ଧା ଗୋପାଳପୁର ବନ୍ଦରର ବାର୍ଷିକ ପଣ୍ୟ କାରବାର କ୍ଷମତା ୫୫ ନିୟୁତ ମେଟ୍ରିକ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି। ଯାହାଫଳରେ ଏହି ବନ୍ଦରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୮ ହଜାର ଲୋକ ରୋଜଗାରର ସୁଯୋଗ ପାଇବେ ବୋଲି ଆକଳନ ହୋଇଛି। ବନ୍ଦରର ପଣ୍ୟ କାରାବାର କ୍ଷମତା ବୃଦ୍ଧି ପରେ ପ୍ରଥମ ଥର ଲାଗି ୨୦୧୯ ଅକ୍ଟୋବର ୧୨ ତାରିଖରେ ୧,୦୫,୦୦୦ ଟନ୍‌ ଚୁନ ପଥର ବୋଝେଇ କେପାସାଇଜ୍‌ ଭେସେଲ(ବୃହତ ଯାହାଜ) ଲାଗିଥିଲା। କରୋନା ମହାମାରୀ ସମୟରେ ବି ଗୋପାଳପୁର ବନ୍ଦର କାରବାର ସ୍ବଭାବିକ ରହିଥିଲା। ଆଗାମୀ ଦିନରେ ଏହି ବନ୍ଦରରେ ଆଉ ଅତିରିକ୍ତ ନୂତନ ବର୍ଥ ନିର୍ମାଣ କରାଯିବାର ଯୋଜନା ରହିଛି। ଗତ ଦୁଇ ବର୍ଷ ହେଲା ବନ୍ଦରର ପଣ୍ୟ କାରାବାର ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ବନ୍ଦର ପଣ୍ୟ କାରବାର ୧୦ମିଲିୟନ ମେଟିକ୍ ଟନ୍‌ ହେବ ବୋଲି ଆଶା କରାଯାଉଛି। କିନ୍ତୁ ବର୍ତ୍ତମାନ ବନ୍ଦରକୁ ସଂଯୋଗ କରୁଥିବା ସଡ଼କ ଓ ରେଳ ପରିବହନ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଏହାର ବିକାଶ ହୋଇପାରିଲେ ବନ୍ଦର କାରବାରରେ ସହାୟକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର