ଗୋପାଳପୁର-ସମ୍ବଲପୁର ରେଳଲାଇନ୍ ପ୍ରକଳ୍ପ ପାଇଁ ଜମି ଚିହ୍ନଟ; ଭଞ୍ଜନଗରରେ ଖୁଣ୍ଟ ପୋତିଲା ଓରିଡିଏଲ୍‌

ଭଞ୍ଜନଗର: ଦକ୍ଷିଣ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ରେଳଲାଇନ୍ ଦ୍ବାରା ସଂଯୋଗୀକରଣ କରିବା ପାଇଁ ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥ ନିମନ୍ତେ ଦୀର୍ଘବ‌ର୍ଷ ଧରି ଦାବି ହୋଇ ଆସୁଛି। ଚଳିତ ରେଳ ବଜେଟ୍‌ରେ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ମାତ୍ର ୧୦ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ଫଳରେ ରେଳପଥର ଭବିଷ୍ୟତକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ଲୋକେସନ୍‌ ସର୍ଭେ ଆରମ୍ଭ ହୋଇଛି।

ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ପରେ ଭଞ୍ଜନଗର ଓ ଏହାର ଆଖପାଖ ଇଲାକାରେ ଓରିଡିଏଲ୍‌ ପକ୍ଷରୁ ରେଳଲାଇନ୍‌ ପାଇଁ ଜମି ଚିହ୍ନଟ କରି ଖୁଣ୍ଟ ପୋତାଯାଇଥିବା ଦେଖିବାକୁ ମିଳିଛି। ଫଳରେ ଏହି ପ୍ରକଳ୍ପ କାମ ତୁରନ୍ତ ଆରମ୍ଭ ହେବା ଆଶା ଉଜ୍ଜୀବୀତ ହୋଇଛି। ଭଞ୍ଜନଗର ଉପକଣ୍ଠ ମଳାସପଦର, ଚାକୁଣ୍ଡାପଲ୍ଲୀ, ବଡ଼କୋଦଣ୍ଡା, ରାଜକୁଣ୍ଡ ଓ ମୁଜାଗଡ଼ ଆଦି ଅଞ୍ଚଳ ଦେଇଯିବାକୁ ଥିବା ରେଳପଥ ପାଇଁ ସର୍ଭେ ଚାଲିଥିବା ଜଣାପଡ଼ିଛି। ଚିହ୍ନଟ କରାଯାଉଥିବା ସ୍ଥାନରେ ଓରିଡିଏଲ୍‌ ପକ୍ଷରୁ ଖୁଣ୍ଟ ପୋତାଯାଇଛି।

ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଗଠିତ ହୋଇଥିବା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍‌ (ଓରିଡିଏଲ୍‌) ସଂସ୍ଥା ପକ୍ଷରୁ ଏହି ନୂତନ ରେଳପଥ ପାଇଁ ଫାଇନାଲ୍‌ ଲୋକେସନ୍‌ ସର୍ଭେ କାମ ଚାଲିଛି। କେନ୍ଦ୍ର ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଓରିଡିଏଲ୍‌ କମ୍ପାନିକୁ ଏହି ପ୍ରକଳ୍ପର ଦାୟିତ୍ବ ପ୍ରଦାନ କରାଯାଇଛି। ତେବେ ରେଳପଥ ପାଇଁ ପ୍ରକଳ୍ପର ଚୂଡ଼ାନ୍ତ ସର୍ଭେ ରିପୋର୍ଟ ପ୍ରଦାନରେ ବିଳମ୍ବ ହେଉଥିବାରୁ ବଜେଟ୍‌ରେ ପୂର୍ଣ୍ଣାଙ୍ଗ ଅନୁଦାନ ବରାଦ ହୋଇପାରୁ ନଥିବା ସୂଚନା ଅଧିକାର କର୍ମୀ ବି.ଶଙ୍କର ପାତ୍ର କହିଛନ୍ତି। ବଜେଟ୍‌ରେ ଅର୍ଥ ମଞ୍ଜୁର ପରେ ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ କରାଯିବ। ଏହାପରେ ଜଙ୍ଗଲ ଜମି ଅଧିଗ୍ରହଣ କରାଯାଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ।

ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଠାରୁ ଆରମ୍ଭ କରି କନ୍ଧମାଳ, ବୌଦ୍ଧ ଓ ‌ସମ୍ବଲପୁର ଜିଲ୍ଲାବାସୀ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହୋଇପାରିବେ। ଏହାସହିତ ରେଳ ମାନଚିତ୍ରରୁ ବାଦ୍‌ ପଡ଼ିଥିବା କନ୍ଧମାଳ ଓ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗ ସ୍ବପ୍ନ ସାକାର ହୋଇପାରିବ। ଏହି ରେଳପଥ ଗୋପାଳପୁରରୁ ବାହାରି ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନ୍‌କୁ ସଂଯୋଗ କରିବ। ସେଠାରୁ କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଆସିକା, ଖଣ୍ଡରାବଳି, ବାସୁଦେବପୁର, ଭଞ୍ଜନଗର, ମୁଜାଗଡ଼ ଓ ବଦାଙ୍ଗୀ ଦେଇ ଚକାପାଦରେ କନ୍ଧମାଳ ଜିଲ୍ଲାକୁ ପ୍ରବେଶ କରିବ। ଫାଇନାଲ୍‌ ଲୋକେସନ୍‌ ‌ସର୍ଭ‌େ ସରିବା ପରେ ଡିପିଆର୍ ପ୍ରସ୍ତୁତ କରି ନୀତି ଆୟୋଗ ନିକଟରେ ଦାଖଲ କରାଯିବ। ନୀତି ଆୟୋଗର ମଞ୍ଜୁର ପରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ଏହି ରେଳ ପ୍ରକଳ୍ପ ଦ୍ବାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ସିଧାସଳଖ ଯୋଡ଼ି ହେବା ସହ ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବ। କଦଳୀଗଡ଼ ୱାଇ ଲିଙ୍କ୍‌ ଦ୍ବାରା ତାଳଚେର କୋଇଲା ଖଣିରୁ ଗୋପାଳପୁର ବନ୍ଦରକୁ ସିଧାସଳଖ ପରିବହନ ସୁଗମ ‌ହୋଇପାରିବ। ୨୦୧୯-୨୦ ବଜେଟ୍‌ରେ ଏହି ପ୍ରକଳ୍ପକୁ ମଞ୍ଜୁର ମିଳିଥିଲା। ୨୦୨୧ ମସିହା ନଭେମ୍ବର ମାସରେ ହେଲିକପ୍ଟର୍‌ ଏବଂ ଡ୍ରୋନ୍‌ ଦ୍ବାରା ସର୍ଭେ ଶେଷ ହୋଇଥିଲା। କିନ୍ତୁ ଏହାପରେ ଏହି ପ୍ରକଳ୍ପ ଶୀତଳଭଣ୍ଡାରରେ ପଡ଼ିଯାଇଥିଲା। ଏଣୁ ପ୍ରକଳ୍ପ କାମ ତ୍ବରାନ୍ବିତ କରିବା ପାଇଁ ଭଞ୍ଜନଗରରେ ଭଞ୍ଜନଗର ସମେତ ଗଞ୍ଜାମ, କନ୍ଧମାଳ, ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାର ଆଇନଜୀବୀମାନେ ଏକଜୁଟ ହୋଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ ଗଠନ କରି ଜ‌ୋରଦାର ଆନ୍ଦୋଳନ କରିଥିଲେ।

ସମ୍ବନ୍ଧିତ ଖବର