ପୁରୀ : ଭାରତମାଳ ପ୍ରକଳ୍ପରେ ଭଣ୍ଡେଇଲେ। ଏବେ ନୂଆ ଗୋପାଳପୁର-ସାତପଡ଼ା ଜାତୀୟ ରାଜପଥରେ ବି ଭଣ୍ଡଉଛନ୍ତି। ପରିବେଶ ଆଳରେ ଏହି ପ୍ରକଳ୍ପକୁ ୨ ବର୍ଷ ହେଲାଣି ଝୁଲାଇ ରଖାଯାଇଛି। ଏ ସମ୍ପର୍କିତ ଅଭିଯୋଗ ନେଇ ଆଜି ଜହ୍ନିକୁଦା-ସାତପଡ଼ା ସେତୁ ନିର୍ମାଣ ସମିତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଭେଟିବା ସହ ତୁରନ୍ତ ଏହି ଜାତୀୟ ରାଜପଥକୁ ପୂର୍ଣ୍ଣରୂପ ଦେବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଏହି ଦାବି ଶୁଣିବା ପରେ ଆସନ୍ତା ୨୦ ତାରିଖ ସଂସଦ ଅଧିବେଶନ ପୂର୍ବରୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଆଲୋଚନା କରିବେ। ଏଥିସହ ପରିବେଶ ଦିଗ ପ୍ରତି ଥିବା ସମସ୍ୟା ଉପରେ ଏକ ଟିମ ଆସି ଅନୁଧ୍ୟାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ସମିତି ଅଭିଯୋଗ କରିଛି, ଉପକୂଳ ଜାତୀୟ ରାଜପଥ(ଭାରତମାଳା ପ୍ରକଳ୍ପ)ର ଦିଗ ବଦଳିଲା ପରେ ଗଞ୍ଜାମ ଜିଲ୍ଲା ଗୋପାଳପୁରରୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ସାତପଡ଼ା ପର୍ଯ୍ୟନ୍ତ ଆଉ ଏକ ଜାତୀୟ ରାଜପଥର ପରିକଳ୍ପନା କରାଯାଇଥିଲା। ୭୨ କିଲୋମିଟର ଏହି ଜାତୀୟ ରାଜପଥ ପାଇଁ କେନ୍ଦ୍ର ପରିବେଶ ବିଭାଗ ୨୦୨୧ ମସିହାରେ ଏକ ଡିପିଆର୍ ପ୍ରସ୍ତୁତ କରିଥିଲା। ଡିପିଆର୍ ଅନୁଯାୟୀ, ଏହି ଜାତୀୟ ରାଜପଥ ନିର୍ମାଣ ପାଇଁ ୬୫୯ କୋଟି ଟଙ୍କାର ପ୍ରାଥମିକ ଖର୍ଚ୍ଚ ଆକଳନ କରାଯାଇଥିଲା। ଏହି ଜାତୀୟ ରାଜପଥ ଜରିଆରେ ଜହ୍ନିକୁଦାରୁ ସାତପଡ଼ା ବ୍ରିଜ୍ ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା। ଯଦ୍ବାରା କୃଷ୍ଣପ୍ରସାଦର ଦ୍ବୀପାଞ୍ଚଳ ଭାବେ ପରିଗଣିତ ଜହ୍ନିକୁଦା, ସାତପଡ଼ା ଆଦି ଅଞ୍ଚଳକୁ ଗମନାଗମନ ସ୍ବାଭାବିକ ହୋଇପାରିବ।
୭୨ କିମି ରାସ୍ତା ପାଇଁ ୬୫୯ କୋଟି ଖର୍ଚ୍ଚ ଅଟକଳ
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ କୃଷ୍ଣପ୍ରସାଦ ଅଞ୍ଚଳବାସୀ
ସଂସଦ ଅଧିବେଶନ ପୂର୍ବରୁ ଆସିବେ ଟିମ୍: ବିଶ୍ବେଶ୍ବର ଟୁଡୁ
କିନ୍ତୁ ଚିଲିକା ଭିତରେ ଥିବା ‘ପକ୍ଷୀ ଅଭୟାରଣ୍ୟ’ର ମାତ୍ର ୭ କିଲୋମିଟର ଦୂରରେ ପ୍ରକଳ୍ପ ରାସ୍ତା ଯାଉଥିବା ଓ ଏହା ପ୍ରାକୃତିକ ପରିବେଶ ନଷ୍ଟ କରିବାର ଆଶଙ୍କା ଥିବା ଆଳରେ ଏହାକୁ ଝୁଲାଇ ରଖାଯାଇଛି। କିନ୍ତୁ ଯେଉଁ ଜାଗାରେ ବ୍ରିଜ୍ ନିର୍ମାଣ ହେବ, ସେ ସ୍ଥାନ ପକ୍ଷୀ ଅଭୟାରଣ୍ୟଠାରୁ ପ୍ରାୟ ୨୪ କିଲୋମିଟର ଦୂର ବୋଲି ସମିତି ଦାବି କରିଛି। ଜହ୍ନିକୁଦାରୁ ମଏଁସା ଓ ବ୍ରହ୍ମପୁରରୁ ସାତପଡ଼ା ମଝିରେ ଥିବା ଦୁଇ ନାଳ ଉପରେ ଦୁଇଟି ଛୋଟ ବ୍ରିଜ ନିର୍ମାଣ ହେଲେ, ଚିଲିକାର ଜୈବ ବିବିଧତାକୁ ଏହା ପ୍ରଭାବିତ କରିବ ନାହିଁ ବୋଲି ସମିତି ଦାବି କରିଛି। ଏହି ଦାବି ସମ୍ପର୍କରେ ସମିତିର ସଭାପତି ଅଭିମନ୍ୟୁ ଜେନା, ସମ୍ପାଦକ ଶରତ କୁମାର ରାୟଗୁରୁ, ଦେବେନ୍ଦ୍ର ନାଥ ତରେଇ, ବାବୁଲି ମାଝୀ ପ୍ରମୁଖ ପୁରୀ ସର୍କିଟ୍ ହାଉସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡୁଙ୍କ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ର ଗ୍ରହଣ ପରେ ଶ୍ରୀ ଟୁଡୁ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର ଚାହିଲେ ଏହି ପ୍ରକଳ୍ପ ପୂର୍ଣ୍ଣରୂପ ନେଇପାରିବ। ଏହି ପ୍ରକଳ୍ପ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ବାସ୍ତବରେ ପ୍ରକଳ୍ପର ରୂପରେଖ କ’ଣ ଥିଲା, ତାହା ଦେଖିବାକୁ ପଡ଼ିବ। କୃଷ୍ଣପ୍ରସାଦ ଅଞ୍ଚଳବାସୀଙ୍କ ଏହି ପ୍ରକଳ୍ପ ପଛରେ ସ୍ବାର୍ଥ ଜଡ଼ିତ ଥିବାରୁ ସରକାର ନିଶ୍ଚିତ ଭାବେ କୌଣସି ବିକଳ୍ପ ପନ୍ଥା ବାହାର କରିବା ଦରକାର। ଆଜି ପ୍ରକଳ୍ପ ସମ୍ପର୍କିତ ଦାବିପତ୍ର ପାଇଲି। ଆସନ୍ତା ସଂସଦ ଅଧିବେଶନ ପୂର୍ବରୁ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବି। ସମିତିର କିଛି କାର୍ଯ୍ୟକତ୍ତା ବି ଏହି ଆଲୋଚନାରେ ଯୋଗଦେବେ। ୨୦ ତାରିଖରୁ ସଂସଦ ଅଧିବେଶନ ଆରମ୍ଭ ହେଉଛି। ଯଦି ସମ୍ଭବ ତା ପୂର୍ବରୁ ଏକ ଟିମ୍ ଗଠନ ହେବ ଓ ଏହି ଟିମ ଏହି ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବ ବୋଲି ଶ୍ରୀ ଟୁଡୁ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/p95.jpg)