ଗୋପାଳପୁର: କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ବର୍ଷ ପୁଣି ଆରମ୍ଭ କରାଯାଇଛି। ଆଜି ମହୋତ୍ସବର ପ୍ରଥମ ଦିନରେ ଉଦ୍‌ଘାଟନ ପୂର୍ବରୁ ହିଁ ଗୋପାଳପୁର ଏନ୍ଏସିର ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। ସ୍ଥାନୀୟ ଲୋକଙ୍କୁ ଅବହେଳା କରାଯାଇଥିବା ନେଇ ସମସ୍ତ କାଉନସିଲର ଏନ୍‌ଏସି ଅଫିସ ଫାଟକ ବନ୍ଦ କରି ଧାରଣା ଦେଇଥିଲେ। ଚଳିତ ବର୍ଷ ପ୍ରଶାସନ ବେଳାଭୂମି ମହୋତ୍ସବ କରୁଥିବା ବେଳେ ସ୍ଥାନୀୟ ଲୋକ ଏବଂ କାଉସିଲରମାନଙ୍କ ସହ କୌଣସି ଆଲୋଚନା କରି ନଥିବା, ଗୋପାଳପୁର ଏନ୍‌ଏସି ଅଧ୍ୟକ୍ଷ ଏ. ଜାନକୀ ରାମଙ୍କ ନାମ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରାଯାଇ ନଥିବା, ସ୍ଥାନୀୟ ଲୋକଙ୍କୁ ଦୋକାନ କରିଥିବା ସ୍ଥାନକୁ ବାରମ୍ବାର ଉଠାଇବା, ମହିଳା ସଂଘକୁ ଷ୍ଟଲ୍‌ ଦିଆ ନଯିବା, ଲୋକଙ୍କୁ ନିମନ୍ତ୍ରଣ ପତ୍ର ଓ ପାସ୍‌ ଦିଆଯାଇ ନଥିବା କିମ୍ବା ସ୍ଥାନୀୟ ଲୋକଙ୍କ ଯିବା ଆସିବା କୌଣସି ନିଷ୍ପତି ନିଆଯାଇ ନଥିବା ଆଦି ସମସ୍ୟା ନେଇ ସମସ୍ତ କାଉନସିଲର ପ୍ରାୟ ୨ଘଣ୍ଟା ଧରି ଏନ୍‌ଏସି କାର୍ଯ୍ୟାଳୟର ଫାଟକ ବନ୍ଦ କରି ଧାରଣାରେ ବସିଥିଲେ।

Advertisment

କାର୍ଯ୍ୟାଳୟ ପରିସରରେ ଥିବା କର୍ମଚାରୀ ଫାଟକ ବନ୍ଦ ରଖିବା ଫଳରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତୁରନ୍ତ ଦାବି ଗୁଡ଼ିକର ସମାଧାନ କରାନଗଲେ ସମସ୍ତ କାଉନସିଲର ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ। ଶେଷରେ ବରିଷ୍ଠ ନେତା ଏସ୍‌. ଧର୍ମରାଜ ରେଡ୍ଡୀ ଏବଂ ସାଂସଦଙ୍କ ପ୍ରତିନିଧି ଏମ୍‌. ଚନ୍ଦ୍ରଶେଖର ଆନ୍ଦୋଳନରତ କାଉନସିଲରଙ୍କ ସହ କଥାବାର୍ତ୍ତା କରି ବୁଝାସୁଝା କରିବା ପରେ ଧାରଣାରୁ ଓହରିଥିଲେ। ଖବର ପାଇ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାଶ ଗୋପାଳପୁରରେ ପହଞ୍ଚି କଲେଜ ନିକଟସ୍ଥ ଆଇବିରେ ସମସ୍ତ କାଉନସିଲରଙ୍କ ସହ ଆଲୋଚନା କରିଥିଲେ। ସମସ୍ତ ସମସ୍ୟାର ସମାଧାନ କରାଯିବ ଏବଂ ପ୍ରତ୍ୟେକ ୱାର୍ଡ଼ର ମହିଳା ସଂଘକୁ ୧୧ଟି ଷ୍ଟଲ୍‌ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଥଣ୍ଡା ପଡ଼ିଥିଲା।