ଗୋପାଳପୁର : ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ରଜନୀରେ ଆଜି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଆଧୁନିକ ନୃତ୍ୟ, ସଂଗୀତ ଦର୍ଶକଙ୍କ ମନୋରଂଜନ କରିଥିବା ବେଳେ ବଲିଉଡ଼ର ଜଣାଶୁଣା ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର୍ ତାଙ୍କର କମେଡ଼ିରେ ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିଲେ। ସୁନୀଲ ଜଣେ ମହିଳା ବେଶରେ ମଞ୍ଚକୁ ଆସିବା କ୍ଷଣି ଦର୍ଶକଙ୍କ ତାଳିରେ କମ୍ପି ଉଠିଥିଲା ମହୋତ୍ସବ ଅଞ୍ଚଳ। ଠିକ୍ ସେହିପରି ଇଣ୍ଡିଆଜ୍ ଗଟ୍ ଟାଲେଣ୍ଟ୍ ସୋ’ର ବିଜେତା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ଆକର୍ଷଣୀୟ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା। ସେହିପରି ଭି. କମ୍ପାନି ଓ ରାପର୍ ବିଗ୍ ଡିଲ୍ଙ୍କ କମାଲ୍ ଦେଖିବାକୁ ମିଳିଥିଲା।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଖଣିମନ୍ତ୍ରୀ ତଥା ଗଞ୍ଜାମ ଜିଲ୍ଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଯାହାର ଝଲକ୍ ଏହି ମହୋତ୍ସବରେ ଦେଖିବାକୁ ମିଳିଛି। ଗଞ୍ଜାମ ହେଉଛି ଦକ୍ଷିଣାଞ୍ଚଳର ଗେଟ୍ୱେ। ଗୋପାଳପୁରର ବହୁ ପୁରୁଣା ଇତିହାସ ରହିଛି। ଏଠାରୁ ବ୍ରିଟିସ୍ ଅମଳରୁ ନୌବାଣିଜ୍ୟ ଆରମ୍ଭ ହୋଇଥିଲା। ଗୋପାଳପୁର ସହର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଞ୍ଜାମ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ପାରଳା ମହାରାଜା, ବିଶ୍ବନାଥ ଦାସ, ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ବିକାଶଧାରା ଆଗେଇ ଚାଲିଥିଲା। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି ବିକାଶଧାରାକୁ ତ୍ବରାନ୍ବିତ କରି ଓଡ଼ିଶାକୁ ସାରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି। କଳା, ସଂସ୍କୃତି, ପର୍ଯ୍ୟଟନ ସହିତ କ୍ରୀଡ଼ା କ୍ଷେତ୍ରକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଯାହାକି ଓଡ଼ିଶାକୁ ଏକ ଆଦର୍ଶ ରାଜ୍ୟ ଭାବେ ପରିଣତ କରିଛି ବୋଲି ମନ୍ତ୍ରୀ କହିଥିଲେ।
ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ବାଇଁ, ବ୍ରହ୍ମପୁର ଏସ୍.ପି. ଡା. ଶରବଣା ବିବେକ ଏମ୍, ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ. ଜାନକୀ ରାମ, ରଂଗେଇଲୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷା ଅନିତା ମହାଙ୍କୁଡ଼ ଉପସ୍ଥିତ ଥିଲେ। ପଲ୍ଲିଶ୍ରୀ ମେଳାରେ ଏସ୍ଏଚ୍ଜିର ବିଭିନ୍ନ ଷ୍ଟଲ୍ ଲାଗିଥିବା ବେଳେ ପ୍ରାୟ ୩୦ଟି ଖାଦ୍ୟ ଷ୍ଟଲ୍ ରହିଛି। ଗତ ଦୁଇଦିନରେ ଓରମାସ୍ର ମେଳା ଜରିଆରେ ପ୍ରାୟ ସାଢ଼େ ୩୧ଲକ୍ଷ ଟଙ୍କାର କାରବାର ହୋଇଥିବା ସୂଚନା ଦିଆଯାଇଛି।