ବ୍ରହ୍ମପୁର/ଗୋପାଳପୁର: ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ୮ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିଛି। ସେଥିରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମି ରହିଛି। ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା ପାଇ ରାଜ୍ୟ ପାଇଁ ଅନ୍ତର୍ଜତୀୟ ସ୍ତରରେ ଗୌରବ ଆଣିଥିବା ବେଳେ ରାଜ୍ୟର ଆହୁରି ୧୦ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ରେ ପରିଣତ କରିବା ଲାଗି ଯୋଜନା ରହିଛି। ଏଥିରୁ ପ୍ରଥମ ପର୍ଯ୍ୟାୟରେ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ରେ ପରିଣତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ତାଲିକାରେ ପୁରୀର ଜାହାନିଆ ବେଳାଭୂମି ଓ ବାଲେଶ୍ବର ଜିଲ୍ଲାର ଏକ ବେଳାଭୂମି, ଗଞ୍ଜାମ ଜିଲ୍ଲାର ଗୋପାଳପୁର ସହର ନିକଟ ହରିପୁର ବେଳାଭୂମି ଓ ଚିକିଟି ବ୍ଲକ ସୁନାପୁର ବେଳାଭୂମି ରହିଛି। ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ରେ ପରିଣତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିବା ଜଣାପଡ଼ିଛି।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନରେ ଥିବା ସମନ୍ବିତ ଉପକୂଳ ପରିଚାଳନା ପ୍ରକଳ୍ପ ବିଶେଷଜ୍ଞ ଦଳ ଗୋପାଳପୁର ଓ ସୁନାପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଏହି ଟିମ୍ର ଅନୁଧ୍ୟାନ ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତି ଭାସନ୍.ଭି ଏବଂ ଗୋପାଳପୁର ଏନ୍ଏସି ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ଡେନ୍ମାର୍କ ସ୍ଥିତ ଫାଉଣ୍ଡେସନ୍ ଫର୍ ଏନ୍ଭିରମେଣ୍ଟାଲ୍ ଏଡୁକେସନ (ଏଫ୍ଇଇ) ପ୍ରଦାନ କରିଥାଏ।
ଏଫ୍ଇଇ ହେଉଛି ଏକ ବେସରକାରୀ ସଂସ୍ଥା, ଏଥିରେ ଅନ୍ତାର୍ଜାତୀୟ ସ୍ତରର ୬୫ ଅନୁଷ୍ଠାନ ଓ ୬୦ ଦେଶ ସଦସ୍ୟ ରହିଛନ୍ତି। ବ୍ଲୁ ଫ୍ଲାଗ୍ ବିଚ୍ ହେଉଛି ବିଶ୍ବର ସବୁଠାରୁ ପରିବେଶ ଅନୁକୂଳ ଓ ସୁରକ୍ଷିତ ବେଳାଭୂମି। ପରିବେଶ, ପାଣିର ମାନ, ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ମାନର ସେବା, ସୁରକ୍ଷା ଆଦି ୩୩ଟି ସର୍ତ୍ତାବଳୀ ପୂରଣ କରୁଥିବା ବେଳାଭୂମିକୁ ଏଫ୍ଇଇ ବ୍ଲୁ ଫ୍ଲାଗ୍ ମାନ୍ୟତା ପ୍ରଦାନ କରିଥାଏ। ବିଶ୍ବର ୫୦ଟି ଦେଶର ୪୫ଶହ ବେଳାଭୂମିକୁ ଇତିମଧ୍ୟରେ ବ୍ଲୁ ଫାଗ୍ ମାନ୍ୟତା ମିଳିସାରିଛି।
ସ୍ପେନ୍ରେ ସବୁଠାରୁ ଅଧିକ ବ୍ଲୁ ଫାଗ୍ ମାନ୍ୟତାପ୍ରାପ୍ତ ବେଳାଭୂମି ରହିଛି। ୨୦୧୮ରେ ଭାରତ ପ୍ରଥମ ଥର ପାଇଁ ବ୍ଲ ଫାଗ୍ ବିଚ୍ ଦୌଡ଼ରେ ସାମିଲ୍ ହୋଇଥିଲା। ମାତ୍ର ୨ ବର୍ଷରେ ଦେଶର ୮ଟି ବେଳାଭୂମିକୁ ବ୍ଲୁ ଫାଗ୍ ମାନ୍ୟତା ମିଳିଛି। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ବ୍ଲୁ ଫ୍ଲାଗ୍ ବିଚ୍ ସହାୟକ ହୋଇଥାଏ। ବେଳାଭୂମିର ପ୍ରାୟ ୪ଶହ ମିଟର ଇଲାକାକୁ ନେଇ ବ୍ଲୁ ଫାଗ୍ ବିଚ୍ରେ ପରିଣତ କରାଯାଏ। ବ୍ଲୁ ଫାଗ୍ ବିଚ୍ରେ ପରିବେଶ ଅନୁକୂଳ ଅର୍ଥାତ କାଠରେ ନିର୍ମିତ ଶୌଚାଳୟ, ସୌର ଆଲୋକ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ଲାଗି ସୁରକ୍ଷିତ ବାଥିଂ ଜୋନ୍, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆଦି ୧୬ଟି ସୂଚାକାଙ୍କ ରହିଥାଏ। ପୁରୀ ବେଳାଭୂମିକୁ ବ୍ଲୁ ଫାଗ୍ ବିଚ୍ରେ ପରିଣତ କରିବା ଲାଗି ୧୧କୋଟି ଟଙ୍କାର ଅନୁଦାନ ମିଳିଥିଲା। ବ୍ଲୁ ଫାର୍ଗ ବିଚ୍ ପ୍ରସ୍ତୁତ ହେବା ପରେ ଏଫ୍ଇଇର ଟିମ୍ ଆସି ଅନୁଧ୍ୟାନ କରି ପ୍ରମାଣପତ୍ର ପ୍ରଦାନ କରିଥାନ୍ତି।