ଶିଳ୍ପ, ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଯୋଗେ ରୋଜଗାର ସୃଷ୍ଟି ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍‌ଘାଟିତ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ କଳା ସଂସ୍କୃତିର ଭୂମି। ଏଠାକାର ଲୋକକଳା ଓ ସଂସ୍କୃତି ଓଡ଼ିଶାର କଳାସଂସ୍କୃତିକୁ ସମୃଦ୍ଧ କରିଛି। ଗୋପାଳପୁର ବେଳାଭୂମି ମହୋତ୍ସବ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ଗଞ୍ଜାମର କଳା ଓ ସଂସ୍କୃତିକୁ ପରିଚିତ କରାଇଛି। ଗୋପାଳପୁର ଆମର ଗର୍ବ ଓ ଗୌରବ। ଶିଳ୍ପ ଓ ପର୍ଯ୍ୟଟନ ବିକାଶ ଲାଗି ଏଠାରେ ବହୁ ସୁଯୋଗ ରହିଛି। ଏହାର ଉପଯୋଗ କରି ଯୁବସମାଜ ପାଇଁ ରୋଜଗାର ସୃଷ୍ଟି କରିବା ଆମର ଲକ୍ଷ୍ୟ। ଗଞ୍ଜାମରେ ଅନେକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି। ସେଗୁଡ଼ିକର ବିକାଶ ପାଇଁ ଆମେ କାମ କରୁଛୁ। ଗୋପାଳପୁର, ରମ୍ଭା, ତାରାତାରିଣୀ, ତାମ୍ପରା, ତପ୍ତାପାଣି ଆଦି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସିଛି। ଏସବୁର ବିକାଶ ଲାଗି ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ବେଳାଭୂମି ମହୋତ୍ସବ ଉଦ୍‌ଘାଟନ କରି କହିଛନ୍ତି।

ଆଜି ଅପରାହ୍ନ ୪ଟା ୧୦ରେ ମୁଖ୍ୟମନ୍ତ୍ରୀ ଗୋପାଳପୁର ଅସ୍ଥାୟୀ ହେଲିପ୍ୟାଡ଼୍‌ରେ ଓହ୍ଲାଇ ମହୋତ୍ସବସ୍ଥଳକୁ ଯାଇଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଗଞ୍ଜାମବାସୀଙ୍କୁ ଆଗାମୀ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ। ଗୋପାଳପୁର ବେଳାଭୂମି ମହୋତ୍ସବ ନେଇ ଆପଣମାନେ ଖୁସି ତ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପଚାରିବା ସହ ନିଜେ ଖୁସି ବୋଲି କହିଥିଲେ। ଗତ ସାଧାରଣ ନିର୍ବାଚନ ପରେ ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗଞ୍ଜାମ ଗସ୍ତ। ଉଦ୍‌ଘାଟନୀ ଉତ୍ସବରେ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥିଲା। ଉତ୍ସବରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ମହୋତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଗୋପାଳପୁର ମହୋତ୍ସବ ଜିଲ୍ଲାର ପ୍ରମୁଖ ଉତ୍ସବ ବୋଲି କହିଥିଲେ। ଏହି ଅବସରରେ ଗୋପାଳପୁର ବେଳାଭୂମି ‌ମହୋତ୍ସବର ସ୍ମରଣିକା ‘ଶାମୁକା’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ମଞ୍ଚରେ ମୋ ଗେହ୍ଲା ଝିଅ ଓ ନିର୍ଭୟ କଢ଼ି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। କଳାକାରଙ୍କ ପାଇଁ ପଦକ୍ଷେପ ନେଇଥିବା ଲାଗି ବର୍ଷିୟାନ ପ୍ରହ୍ଲାଦ ନାଟକ ଗୁରୁ ଅର୍ଜନୁ ଅଧିକାରୀ(୧୦୩ବର୍ଷ) ମଞ୍ଚକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ମୋ କଲେଜ କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ସିନେ ଅଭିନେତା ଅକାଶ ଦାସ ନାୟକ, ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ଶ୍ରୀକାନ୍ତ ସାହୁ, ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଧାୟିକା ମଞ୍ଜୁଳା ସ୍ବାଇଁ, ବିଧାୟିକା ଲତିକା ପ୍ରଧାନ, ‌ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ମହୋତ୍ସବ ଅବସରରେ ଜାତୀୟସ୍ତରର ପଲ୍ଲୀଶ୍ରୀ ମେଳା ଏବଂ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଗୋପାଳପୁର ବେଳାଭୂମି ମହୋତ୍ସବର ରଙ୍ଗାରଙ୍ଗ ଉଦ୍‌ଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲେ ପ୍ରଖ୍ୟାତ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ୍‌।। ଗଞ୍ଜାମ୍ ଏସ୍‌.ପି. ବ୍ରିଜେଶ କୁମାର ରାୟ ଏବଂ ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ସୁରକ୍ଷା ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର