ଗୋପାଳପୁର : ଏ ରଙ୍ଗବତୀ ଗୋ’ ରଙ୍ଗବତୀ... ଗୀତରେ ଝୁମି ଉଠିଛନ୍ତି ଦର୍ଶକ। ଦର୍ଶକ ନାଚ ଓ କରତାଳିରେ ଟାଣି ହୋଇ ଜଣାଶୁଣାଣ କଣ୍ଠଶିଳ୍ପୀ ସୋନା ମହାପାତ୍ର ମଞ୍ଚରୁ ତଳକୁ ଓହ୍ଲାଇ ଆସିଥିଲେ। ଦର୍ଶକଙ୍କ ମେଳରେ ଆଜି ଗୋପାଳପୁର ବେଳାଭୂମି ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ସୋନା ରଙ୍ଗବତୀ ଗୀତଗାଇ ସମସ୍ତଙ୍କୁ ରଙ୍ଗେଇଥିଲେ। ସେହିଭଳି ତୁମ୍‌ ବିନ୍‌ ମେରା ଜିୟା ଲାଗେନା, ଗଲିମେ ମା‌ରେଫେରେ ଭଳି ବିଭିନ୍ନ ମନଛୁଆଁ ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଛନ୍ତି କଣ୍ଠଶିଳ୍ପୀ ସୋନା।

Advertisment

publive-image

ଗୋପାଳପୁର ବେଳାଭୂମି ମହୋତ୍ସବର ଦ୍ବିତୀୟ ଦିନରେ ଆଜି ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ରବିବାର ଛୁଟି ସହିତ ବଡ଼ଦିନ ପାଇଁ ସହରବାସୀ ତଥା ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ ବେଳାଭୂମିରେ ଭିଡ଼ ଜମାଇଥିଲେ। ଦର୍ଶକଙ୍କ ମନୋରଂଜନ ପାଇଁ ବେଳାଭୂମିରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଶୀତୁଆ ସଂଧ୍ୟାରେ ଆଜି ଦର୍ଶକମାନେ ମନଭରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ନବରଙ୍ଗପୁରର ଗଣ୍ଡ ନୃତ୍ୟ, କନ୍ଧମାଳର ଆଦିବାସୀ ନୃତ୍ୟ, ଆସାମର ସାତ୍ରୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଦ୍ବାରା ନୃତ୍ୟ, ସଂଗୀତ ପରିବେଷଣ କରାଯାଇଥିଲା।

publive-image

ଆଜି ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଡେପୁଟି ମେୟର ଇ. ବିବେକ ରେଡ୍ଡି, ଗୋପାଳପୁର ଏନ୍‌ଏସି ଅଧ୍ୟକ୍ଷ ଏ. ଜାନକୀ ରାମ ମଞ୍ଚାସୀନ ଥିଲେ। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦ୍ବିତୀୟ ସଂଧ୍ୟାର କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର କଳା, ସଂସ୍କୃତିକୁ ନୃତ୍ୟ ସଂଗୀତ ମାଧ୍ୟ‌ମରେ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ହେମ୍ବ୍ରମ କହିଲେ, ଦୀର୍ଘ ଦୁଇବର୍ଷ ପରେ ପୁଣିଥରେ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ କରାଯାଇଛି। ଏଠାରେ ମନୋରଂଜନ ସହିତ ରୋଜଗାର ପାଇଁ ବ୍ୟବସ୍ଥା କରାଯାଇଛି। ମଞ୍ଚରେ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାର କଳା, ସଂସ୍କୃତିର ଝଲକ୍‌ ଦେଖିବାକୁ ମିଳୁଛି। ସେପଟେ ପଲ୍ଲିଶ୍ରୀ ମେଳା ଜରିଆରେ ଏସ୍‌ଏଚ୍‌ଜିଗୁଡ଼ିକ କିଛି ରୋଜଗାର କରିବାର ସୁଯୋଗ ପାଇ ପାରୁଛନ୍ତି ବୋଲି ସେ କହିଥିଲେ।

publive-image