ଗୋପାଳପୁର-ସୁନାପୁର ବେଳାଭୂମି ଶନି-ରବି ବନ୍ଦ

ଗଞ୍ଜାମରେ ସଂକ୍ରମଣ ବଢ଼ିଲା, ସୀମାରେ ନାକା ଲାଗିବ

ଛତ୍ରପୁର: ଗଞ୍ଜାମ ଜିଲ୍ଲାରେ ମାସକ ଭିତରେ କରୋନା ଗ୍ରାଫ୍ ଶୀର୍ଷ ଛୁଇଁଛି। ଆଜି ୩୨ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ସହସ୍ରାଧିକ ପ୍ରବାସୀଙ୍କ ସୁଅ ଛୁଟୁଛି। ଫଳରେ ସଂକ୍ରମଣକୁ ଚେକ୍ ଦେବା ଲାଗି ଜିଲ୍ଲା ପ୍ରଶାସନ କଠୋର ହୋଇଛି। ସଂକ୍ରମଣ ଯେମିତି ଜିଲ୍ଲାରେ ନବଢ଼େ, ଏଥିଲାଗି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୀମାନ୍ତ ଇଲାକା ଓ ଜିଲ୍ଲାର ପ୍ରବେଶ ପଥ ଗୁଡ଼ିକରେ ଆସନ୍ତା ୧୨ରୁ ଯାଞ୍ଚ କଡ଼ାକଡ଼ି ହେବ। ଏ ମର୍ମରେ ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡ଼ିଓ କନଫରେନ୍ସିଂ ଯୋଗେ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସଂକ୍ରମଣକୁ ରୋକିବା ଲାଗି ଜିଲ୍ଲାରେ ଥିବା ପ୍ରମୁଖ ଦର୍ଶନୀୟ ସ୍ଥାନ ଓ ପର୍ଯ୍ୟଟନସ୍ଥଳୀ ଉପରେ ନଜର ରଖାଯାଇଛି। ଭିଡ଼ କମାଇବାକୁ ଏଣିକି ପ୍ରତି ଶନିବାର, ରବିବାର ଦିନ ଗୋପାଳପୁର ଓ ସୁନାପୁର ବେଳାଭୂମିକୁ ସର୍ବସାଧାରଣଙ୍କ ପ୍ରବେଶ ବାରଣ କରାଯାଇଛି। ଉଭୟ ବେଳାଭୂମି ବନ୍ଦ ରହିବ। ସେହିପରି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ପାର୍କ ଓ ତାମ୍ପରା ହ୍ରଦକୁ ପ୍ରତି ସୋମବାର ବନ୍ଦ ରଖାଯିବ।
ଅନ୍ୟପକ୍ଷରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା କଟକଣା ମଧ୍ୟରେ ଜାରି ରହିଛି। ଦ୍ବିତୀୟ ମଙ୍ଗଳବାର ଭଳି ତୃତୀୟ ପାଳିରେ ମୁଣ୍ଡନକୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଏହାସହ ପ୍ରତି ବୁଧବାର ମନ୍ଦିରକୁ ବନ୍ଦ ରଖାଯାଇ ସାନିଟାଇଜ୍ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Atlas Obscura

ଜିଲ୍ଲାରେ ପୂର୍ବରୁ ଚାଲୁଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କ୍ଲଷ୍ଟର୍‌ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଆବଶ୍ୟକତା ଅନୁସାରେ ପୁଣି ଖୋଲାଯିବ। ଶିଳ୍ପାଞ୍ଚଳ, ଶିକ୍ଷାନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ କୋଭିଡ୍ କେୟାର ସେଣ୍ଟର ପୁଣି କାର୍ଯ୍ୟକ୍ଷମ ହେବ। ଟ୍ରେନ୍, ବସ୍, ବିମାନ ଓ ବ୍ୟକ୍ତିଗତ ଯାନ କିମ୍ବା ସାମୁଦ୍ରିକ ରାସ୍ତା ଦେଇ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କ ବିଷୟ‌ରେ ସମସ୍ତ ତଥ୍ୟ ସ୍ବତନ୍ତ୍ର ରେଜିଷ୍ଟ୍ରାର୍‌ଭୁକ୍ତ ହେବ। ସେମାନେ ଆଣିଥିବା ଆରଟିପିସଆର୍ ନେଗେଟିଭ୍ ପ୍ରମାଣପତ୍ର ଓ ଦୁଇ ଡୋଜ୍ ଟିକାକରଣର ପ୍ରମାଣପତ୍ର ଯାଞ୍ଚ ହେବ। ଛତିଶଗଡ଼ରୁ ଆସୁଥିବା ବସ୍ ଗୁଡ଼ିକରେ ମାସ୍କ ଓ ସାନିଟାଇଜର୍ ବ୍ୟବହାର ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ, ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ ତଦାରଖ କରିବେ। ସେହିପରି ବ୍ଲକ୍ ଓ ସହରାଞ୍ଚଳସ୍ତରରେ ଖୋଲାଯିବାକୁ ଥିବା ଆଇସୋଲେସନ୍ ସେଣ୍ଟର ଗୁଡ଼ିକରେ ପାନୀୟ ଜଳ, ଶୌଚାଳୟ ଓ ବିଦ୍ୟୁତ ସମେତ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ଆଗୁଆ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବିଡିଓ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ନିଜର କୋଭିଡ୍ ସେଲ୍ ଫୋନ୍ ନମ୍ବର ସେୟାର୍ କରିବେ। ଯଦ୍ବାରା ପ୍ରବାସୀ ମାନେ ଫୋନ୍ ଦ୍ବାରା ସୂଚନା ଦେଇ ହୋମ୍ ଆଇସୋଲେସନ୍‌ରେ ରହିବା ସୁବିଧା ପାଇପାରିବେ।

ଅନ୍ୟପକ୍ଷରେ ଦଣ୍ଡନାଚ ଓ ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରାରେ ଶ୍ରଦ୍ଧାଳୁ ଯେମିତି ଭିଡ଼ ନଜମାଇବେ ଏହା ଉପରେ ପଦାଧିକାରୀ ମାନେ କଡ଼ା ନଜର ରଖିବେ। ୧୦୦ରୁ ଅଧିକ ଲୋକ ଉପସ୍ଥିତ ଥିବା ବାହାଘରରେ ପୁରୋହିତ ମାନେ ସାମିଲ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଦୋକାନୀ ମାନେ ପଞ୍ଚସୂତ୍ରୀ ନିୟମକୁ କଡ଼ାକଡ଼ି ପାଳନ କରିବେ। ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ସଙ୍କଟ ସମୟରେ ସଠିକ୍ ପରିଚାଳନା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କାରଣ ଗଞ୍ଜାମରେ ପରିସ୍ଥିତି ନିୟନ୍ତ୍ରଣରେ ଅଛି। କିନ୍ତୁ ସମସ୍ତେ ସତର୍କ ରହିବା ସହ କୋଭିଡ ନିୟମକୁ କଡ଼ାକଡି ମାନିବା ଦରକାର ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।
ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିସନର ଡ.ବଳିରାମ ବୋନ୍ଦାର, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମିୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉମାଶଙ୍କର ମିଶ୍ର ଓ ବିଡିଏ ସଚିବ ସମ୍ବିତ ରାଉତଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର