ଝାରସୁଗୁଡ଼ା : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ବେଙ୍ଗାଲୁରୁରେ ଡାକ୍ତରୀ ପରୀକ୍ଷା ସମ୍ପର୍କିତ ଆବେଦନ ଉପରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତ ଶୁଣାଣି ଶେଷ କରିବା ସହିତ ରାୟ ସଂରକ୍ଷିତ ରଖିଛନ୍ତି।

Advertisment

ଗତ ୨୨ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଆବେଦନକୁ ଜିଲ୍ଲାଜଜ୍‌ ଗ୍ରହଣ କରିଥିଲେ। ଏହାର ଶୁଣାଣି ପାଇଁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତକୁ ହସ୍ତାନ୍ତର କରି ଦେଇଥିଲେ। ଆଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଏହି ମାମଲାର ଶୁଣାଣି କରିଥିବା ବେଳେ ରାୟକୁ ସଂରକ୍ଷିତ ରଖିଥିବା ଆଇନଜୀବୀ ହରି ଶଙ୍କର ଅଗ୍ରୱାଲ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ଶୁଣାଣି ସମୟରେ ଉଭୟ ପକ୍ଷର ଆଇନଜୀବୀ ନିଜ ନିଜ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ରିମାଣ୍ଡ ଓକିଲ ଏହା ବିରୋଧରେ ଯୁକ୍ତି କରି ଆବେଦନ ଖାରଜ କରିବା ପାଇଁ ଅନୁରୋଧ କରିଥିଲେ। ଅଭିଯୁକ୍ତ ବିଚାରବିଭାଗୀୟ ହେପାଜତକୁ ଯିବାପରେ ଆଉ ରିମାଣ୍ଡ ଦେବାର ନିୟମ ନଥିବାରୁ ଏହି ଆବେଦନକୁ ଖାରଜ କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ। ଏହାର ଶୁଣାଣି ଶେଷ ହୋଇଥିବା ବେଳେ ଅଦାଲତଙ୍କ ରାୟକୁ ଅପେକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ କ୍ରାଇମବ୍ରାଞ୍ଚ ଜେ୍‌ଏମ୍‌ଏଫ୍‌ସି କୋର୍ଟରେ ଗୋପାଳର ମାନସିକ ସ୍ଥିତିର ଅଧିକ ପରୀକ୍ଷା ପାଇଁ ଆବେଦନ କରିଥିଲେ। ତେବେ, ଜେ୍‌ଏମ୍‌ଏଫ୍‌ସି କୋର୍ଟ ଖାରଜ କରିବାପରେ କ୍ରାଇମବ୍ରାଞ୍ଚ ଡେପୁଟି ଡାଇରେକ୍ଟର ଚିତ୍ତରଞ୍ଜନ କାନୁନ୍‌ଗୋ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଶ୍ରୀ କାନୁନ୍‌ଗୋ ତାଙ୍କ ଆବେଦନ ନେଇ ପୂର୍ବରୁ ବିଭିନ୍ନ କୋର୍ଟ ଦେଇଥିବା ଉଦାହରଣ ଉପସ୍ଥାପନ କରିଥିବା ଜଣାପଡ଼ିଛି।