କଟକ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସର ଗୁଜୁରାଟ ଗାନ୍ଧୀନନଗରେ ଥିବା ଫରେନସିକ୍ ସାଇନ୍ସ ଲାବରେଟୋରିରେ ଦ୍ବିତୀୟ ପର୍ଯ୍ୟାୟ ପଲିଗ୍ରାଫ୍ ପରୀକ୍ଷା କରାଯାଇଛି। ଏହାସହିତ ନାର୍କୋଟିକ୍ସ ପରୀକ୍ଷା  ବି କରାଯାଇଛି। ଗୋପାଳକୁ ଏଡିଜି ଅରୁଣ ବୋଥ୍ରା ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିଥିଲେ। ଏହି ଦୁଇ ପରୀକ୍ଷାରେ ଗୋପାଳ ହତ୍ୟାକାଣ୍ଡ ସମ୍ପର୍କରେ ସ୍ବୀକାର କରିଥିବା ବେଳେ କାରଣ ସମ୍ପର୍କରେ ବି କ୍ରାଇମବ୍ରାଞ୍ଚକୁ କହିଛି। କିନ୍ତୁ କ୍ରାଇମବ୍ରାଞ୍ଚ ଟିମ୍ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ଉଭୟ ପରୀକ୍ଷାର ରିପୋର୍ଟ ଆସିଲା ପରେ ଗୋପାଳର ପୂର୍ବ ବୟାନ ସହ ଏହାର ତାଳମେଳ କରାଯାଇ କ୍ରାଇମବ୍ରାଞ୍ଚ ନିଷ୍କର୍ସରେ ଉପନୀତ ହେବ ବୋଲି କୁହାଯାଉଛି।

Advertisment

ଫେବ୍ରୁଆରି ୯ ତାରିଖରେ ଗୋପାଳ ତୃତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡରେ ଆସିଥିବା ବେଳେ ଆଜି ରିମାଣ୍ଡର ଦ୍ବିତୀୟ ଦିନ ସରି ଯାଇଛି। ଗୁରୁବାର ଦିନ ପଲିଗ୍ରାଫ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିଲା ଥିବା ବେଳେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ପରୀକ୍ଷା କରାଯାଇଥିଲା। ନାର୍କୋ ପରୀକ୍ଷା ଆରମ୍ଭ ପୂର୍ବରୁ ଗୋପାଳର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଦୁଇଦିନ ମଧ୍ୟରେ କ୍ରାଇମବ୍ରାଞ୍ଚ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କିତ ସତ ମିଛ ଜାଣିବାକୁ ଉଦ୍ୟମ କରିଥିଲା। ହତ୍ୟାକାଣ୍ଡ ସମ୍ପର୍କରେ ସବୁ କଥା ଗୋପାଳ ସ୍ବୀକାର କରିଥିବା କୁହାଯାଉଛି। ଉଭୟ ପରୀକ୍ଷା ଶେଷ ହୋଇଥିବା କୁହାଯାଉଥିବା ବେଳେ ଗାନ୍ଧୀନଗର ଲାବରେଟୋରିର ବିଶେଷଜ୍ଞ ଏ ସଂକ୍ରାନ୍ତ ଏକ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ଦେବେ। ସେହି ଆଧାରରେ କ୍ରାଇମବ୍ରାଞ୍ଚ ହତ୍ୟାର କାରଣ ସମ୍ପର୍କିତ ରହସ୍ୟ ଖୋଜିବାକୁ ଉଦ୍ୟମ କରିବ। ଏହି ହତ୍ୟାର କାରଣ ସମ୍ପର୍କିତ ପ୍ରମାଣକୁ କ୍ରାଇମବ୍ରାଞ୍ଚ ଅଦାଲତରେ ବିଚାର ସମୟରେ ଉପସ୍ଥାପନ କରିବ।

ଏଥିସହିତ, କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ଏୟାରପୋର୍ଟ ପାଇଖାନାରୁ ଯେଉଁ ହାତଲେଖା ଚିଠି ଜବତ କରିଥିଲା, ଏହି ଚିଠିରେ କିଛି ଅକ୍ଷର ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ପଢ଼ିବାରେ ସଫଳ ହୋଇଛି। ଏଥିରେ ସେ ମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ସମ୍ପର୍କରେ ଦର୍ଶାଇଥିବା କ୍ରାଇମବ୍ରାଞ୍ଚ ଅଧିକାରୀ ଦାବି କରୁଛନ୍ତି। ଏହି ଚିଠି କ୍ରାଇମବ୍ରାଞ୍ଚ ପ୍ରାଥମିକ ଚାର୍ଜସିଟ୍ ସମୟରେ ଅଦାଲତରେ ଦାଖଲ କରିବାକୁ ଯାଉଛି। କ୍ରାଇମବ୍ରାଞ୍ଚ ହାତରେ ଆଉ ମାତ୍ର ରିମାଣ୍ଡର ତିନି ଦିନ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଗୋପାଳ ମାଧ୍ୟମରେ ହତ୍ୟାକାଣ୍ଡ ସମ୍ପର୍କିତ ତଥ୍ୟ ପ୍ରମାଣ ଏକାଠି କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି। ଗୋପାଳକୁ ଆସନ୍ତାକାଲି ନଚେତ ରବିବାର ଦିନ ଓଡ଼ିଶା ଫେରାଇ ଆଣିବାର ଯୋଜନା ରହିଛି।

ଅନ୍ୟପଟେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଗୋପାଳ ବୁଧବାର ଯିବା ସମୟରେ ହସୁଥିବାର ଭିଡିଓ ସାମ୍‌ନାକୁ ଆସିଥିଲା। ବିମାନ ଭିତରେ ବି ସେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଉପସ୍ଥିତିରେ ପୁଣି ହସିଥିଲା। ସେ ବିମାନରେ ପ୍ରଥମଥର ଯାଉଥିବା କହିଥିଲା। ଏହାସହିତ ବିମାନରେ ଝରକା ପାର୍ଶ୍ବ ସିଟ୍‌ରେ ବସିଥିବାରୁ ଖୁସି ଅନୁଭବ କରିଥିବା କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ଜଣାଇଥିଲା। ଗୋପାଳ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ସବୁ କଥା କହୁଥିବା ବେଳେ କେବଳ ହତ୍ୟାର କାରଣ ସମ୍ପର୍କିତ ପ୍ରକୃତ ତଥ୍ୟ କହୁଛି ନା ନାହିଁ, ତାହାକୁ ନେଇ ସନ୍ଦେହ ରହୁଛି।