ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ନେଇ ତତ୍ପରତା, କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ

ଭୁବନେଶ୍ବର : ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା କାର୍ଯ୍ୟକାରୀ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଜିଲ୍ଲାପାଳମାନେ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଦ୍ବାରା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କାର ଆର୍ଥିକ ଅନୁଦାନ ମିଳେ। ଏଚ୍‌ଆଇଭି ଏଡସ୍ ପ୍ରଭାବିତ ପିତାମାତା, ନିରାଶ୍ରୟ, ଦୁର୍ବଳ ଆଦିବାସୀ ଗୋଷ୍ଠୀ, କେବଳ ମା’ ଥିବା ପରିବାର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସହାୟତା ମିଳେ। ରାଜ୍ୟର ସାଧାରଣ ଓ ବୈଷୟିକ/ବୃତ୍ତିଗତ ପାଠ୍ୟକ୍ରମରେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଶିକ୍ଷା ପାଇଁ ସହାୟତା ମିଳିଥାଏ। ପୂର୍ବରୁ ଏହି ଯୋଜନା ପାଇଁ ଛାତ୍ରଛାତ୍ରୀ ଅଫଲାଇନ୍‌ରେ ଆବେଦନ କରୁଥିଲେ। ତେବେ ବର୍ତ୍ତମାନ ସାଧାରଣ ଏକକ ରାଜ୍ୟ ବୃତ୍ତି ପୋର୍ଟାଲର ବିକାଶ ହେବା ପରେ ଏହି ଯୋଜନା ଏଥିରେ ସାମିଲ ହୋଇଛି। ଛାତ୍ରଛାତ୍ରୀ ଚଳିତବର୍ଷଠାରୁ ଅନଲାଇନ୍‌ରେ ଆବେଦନ କରିବେ। ରାଜ୍ୟ ସ୍କଲାରସିପ୍ ପୋର୍ଟାଲରେ ଛାତ୍ରଛାତ୍ରୀ ଲଗ୍‌-ଇନ୍ ଆଇଡି ତିଆରି କରିବା ପରେ ଅନଲାଇନ୍‌ରେ ଆବେଦନପତ୍ର ଦାଖଲ କରିବେ। ଏହାପରେ ଅନ୍‌ଲାଇନ୍ ଆବେଦନର ନକଲ ପଢୁଥିବା ଶିକ୍ଷାନୁଷ୍ଠାନରେ ଦାଖଲ କରିବେ।

ଶିକ୍ଷାନୁଷ୍ଠାନ ପକ୍ଷରୁ ଆବେଦନ ଫର୍ମର ସବିଶେଷ ତଥ୍ୟ ଯାଞ୍ଚ କରାଯିବା ପରେ ନିୟମାବଳୀ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦାଖଲ ହୋଇଥିବା କାଗଜପତ୍ର ଅପଲୋଡ୍‌ କରାଯିବ। ଆବେଦନକୁ ଯାଞ୍ଚ ପରେ ନିୟମ ଅନୁଯାୟୀ, କର୍ତ୍ତୃପକ୍ଷ ସୁପାରିସ୍‌ କିମ୍ବା ପ୍ରତ୍ୟାଖ୍ୟାନ କରିବେ। ପ୍ରତ୍ୟାଖ୍ୟାନ କ୍ଷେତ୍ରରେ କେଉଁ କାରଣ ପାଇଁ କଟାଗଲା, ସେ ସମ୍ପର୍କରେ ଅବଗତ କରାଯିବ। ଏହାଦ୍ବାରା ପିଲାମାନେ ସହଜରେ କାରଣ ଜାଣିପାରିବେ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜିଲାସ୍ତରରେ ଜିଲ୍ଲାପାଳମାନେ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରିବେ। ନୋଡାଲ ଅଧିକାରୀମା‌ନେ ଜିଲାସ୍ତରରେ ଏହି କାର୍ଯ୍ୟକୁ ତୁଲାଇବେ। ଆବେଦନପତ୍ରଗୁଡ଼ିକ ନୋଡାଲ ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ ଦ୍ବାରା ଗଠିତ କମିଟିରେ ତାହା ଉପସ୍ଥାପନ କରାଯିବ। ସମସ୍ତ ଆବେଦନପତ୍ର ଯାଞ୍ଚ ପରେ ଯୋଗ୍ୟପିଲାଙ୍କ ତାଲିକା ନୋଡାଲ ଅଧିକାରୀ ଅପଲୋଡ୍‌ କରିବେ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଆର୍ଥିକ ସହାୟତା ପଠାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର