ପୁରୀ/କଟକ : ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋର ହୋଇଛି ନବକଳେବର। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି। କିନ୍ତୁ, ପଣ୍ଡିତ ଗୋପବନ୍ଧୁଙ୍କ ନାତି ତଥା ସାନ ଝିଅ କୀର୍ତ୍ତିମୟୀ ଦେବୀଙ୍କ ପୁତ୍ର ପୀତବାସ ମିଶ୍ର ଓ ସାନ ଝିଅ କେତକୀ ଦାସଙ୍କ ପୁଅ ସତ୍ୟବାଦୀ ମିଶ୍ରଙ୍କ ପତ୍ନୀ ତଥା ଗୋପବନ୍ଧୁଙ୍କ ନାତୁଣୀ ବୋହୂ ଲୀଳାବତୀ ଦେବୀ (୯୦ ବର୍ଷ)ଙ୍କୁ ଏହି ସମାରୋହରେ ଲୋଡ଼ାନଯିବା ନେଇ ଉଭୟ ପରିବାର ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ସଭା ମଞ୍ଚରୁ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧନା ଦେଉଥିଲା ବେଳେ ଗୋପବନ୍ଧୁଙ୍କ ପ୍ରକୃତ ଦାୟାଦ କୋଣଠେସା ରହିଗଲେ ବୋଲି ବୋଲି କ୍ଷୋଭ ଜର୍ଜରିତ କଣ୍ଠରେ ଶ୍ରୀ ମିଶ୍ର ଓ ନାତୁଣୀ ବୋହୂ ଲୀଳାବତୀଙ୍କ ଝିଅ ଲେଖା ମିଶ୍ର କହିଛନ୍ତି।

Advertisment

ସୁଆଣ୍ଡୋ ଗାଁର ବିକାଶ କଥା ଗଣମାଧ୍ୟାମରୁ ଜାଣିବାପରେ ଶ୍ରୀମତୀ ମିଶ୍ର ନିଜ ଦୁଇ ଝିଅ ଲେଖା ଗୁରୁ ଓ ମଧୁବ୍ରତା ମିଶ୍ରଙ୍କ ସହ ସକାଳ ପ୍ରାୟ ସାଢ଼େ ୯ଟାରେ ସୁଆଣ୍ଡୋ ଗାଁ ମୁଣ୍ଡରେ ପହଞ୍ଚିଥିଲେ। ଲେଖା କହିଛନ୍ତି, ‘ ମା’ ଚାଲି ପାରୁନଥିବାରୁ ତାଙ୍କୁ କାର୍‌ରେ ଆଣିଥିଲୁ। କିନ୍ତୁ ପୁଲିସ ତାଙ୍କୁ ଗାଁ ଭିତରକୁ ଯିବାକୁ ଅନୁମତି ଦେଇନଥିଲା। ଗୋପବନ୍ଧୁଙ୍କ ଦାୟାଦ ବୋଲି ପରିଚୟ ଦେବା ପରେ ବି ପାସ୍‌ ଦେଖାଇବାକୁ କହିଥିଲା।’ ପ୍ରାୟ ଦୁଇ ଘଣ୍ଟା ଅନୁରୋଧ ଓ ଅପେକ୍ଷା ପରେ ସେମାନେ ଫେରି ଯାଇଥିଲେ ବୋଲି ସେ କହିଛନ୍ତି।

ଲେଖା ଦାବି କରିଛନ୍ତି, ତାଙ୍କ ବାପା ସତ୍ୟବାଦୀ ମିଶ୍ର ହେଉଛନ୍ତି ଗୋପବନ୍ଧୁଙ୍କ ନାତି। ବାପା ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ।‌ ସେ ଜଣେ ସ୍ବାଧୀନତା ସଂଗ୍ରାମୀ। ଗୋରା ସରକାର ବିରୋଧରେ ଲଢ଼ି ଜେଲ୍‌ ଯାଇଛନ୍ତି। ନାତୁଣି ବୋହୂ ଭାବେ ମା’ଙ୍କୁ ଅନୁମତି ନମିଳିବା ଗ୍ରହଣୀୟ ନୁହେଁ ବୋଲି ଲେଖା କହିଛନ୍ତି।

ସୂଚନାଥାଉ କିଛି ପୀତବାସ ମିଶ୍ର ଓଡିଶା ହାଇକୋର୍ଟ ବାର ଆସୋସିଏସନ ସଭାପତି କାଳିପ୍ରସନ୍ନ ମିଶ୍ରଙ୍କ ବାପା।