ଗରଦପୁର : ତାଙ୍କୁ ବୟସ ଏବେ ୯୮। କିନ୍ତୁ ଦିନକୁ ହାରାହାରି ୨୦ କିଲୋମିଟର ସାଇକଲ୍ ଚଳାଇବା ଭଳି ସେ କ୍ଷମତା ରଖନ୍ତି। ହସଖୁସିଆ ଚରିତ୍ରର ଯୁବ ସୁଲଭ, କର୍ମ ଚଞ୍ଚଳ ଗୋପୀନାଥ ମହାନ୍ତିଙ୍କ ପାଖରେ ବୟସ ସତେ ଯେମିତି ସଂପୂର୍ଣ୍ଣ ହାର ମାନି ଯାଇଛି। ସଂପୂର୍ଣ୍ଣ ସ୍ବାଭାବିକ ଜୀବନ ଜୀଉଁତିବା ଗୋପୀନାଥ ଅଣ ନାତିନାତୁଣୀ ଦେଖିଲେଣି। ସମସ୍ତଙ୍କ ସହ ହସଖୁସି, ଥଟ୍ଟାମଜାରେ ଦିନ କାଟୁଥିବା ଗୋପୀନାଥ ତାଙ୍କର ଏଭଳି ନିରୋଗ ଦୀର୍ଘ ଜୀବନର ରହସ୍ୟ ତାଙ୍କ ଘଣ୍ଟା, ସାଇକେଲ ଓ ରେଡ଼ିଓ ବୋଲି କହିଛନ୍ତି।
ଗୋପୀନାଥ କିଶୋର ବୟସରେ କଲିକତାରେ ପାଣି ପାଇପ୍ ମିସ୍ତ୍ରି କାମ କରୁଥିଲେ। ସେଠାରୁ ଆସି କେନ୍ଦ୍ରାପଡ଼ା ଜନସ୍ବାସ୍ଥ୍ୟ ବିଭାଗରେ ମେକାନିକ୍ ଭାବରେ ଦୀର୍ଘ ବର୍ଷ ଧରି ଚାକିରି କରିଥିଲେ। ଗୋପୀନାଥ କୁହନ୍ତି ଯେ କିଶୋର ଅବସ୍ଥାରୁ ଏଯାଏ ତାଙ୍କର ସବୁଦିନିଆ ସାଥି ହୋଇ ରହିଛି ତାଙ୍କର ଏଚଏମଟି ହାତ ଘଣ୍ଟା, ହରକ୍ୟୁଲେସ ସାଇକେଲ ଆଉ ଫିଲିପ୍ସ ରେଡ଼ିଓ। ସମୟକୁ ଧରି ଚାଲିବା, ନିଇତି ନିଜ ଘର ଅରଖିଆ–ଅଙ୍ଗୁଳାଇଠାରୁ କେନ୍ଦ୍ରାପଡ଼ା ତିନିମୁହାଣି ପର୍ଯ୍ୟନ୍ତ ୨୦ କିଲୋମିଟର ସାଇକେଲରେ ଯିବା ଆସିବା କରିବା ଦ୍ବାରା ସେ ଆଜି ସୁସ୍ଥ ଅଛନ୍ତି।
ଏହାବ୍ୟତୀତ ଶୃଙ୍ଖଳିତ ଜୀବନଶୈଳୀ ଓ ଖାଦ୍ୟ ଶୃଙ୍ଖଳା ମାନି ଚଳନ୍ତି ଗୋପୀନାଥ । ନିର୍ଦ୍ଦିଷ୍ଟ ସମୟରେ ନିତ୍ୟକର୍ମ ସାରି ନିଜ ଆବଶ୍ୟକ ଖାଦ୍ୟ ଗ୍ରହଣ କରିବା, ବିଶ୍ରାମ ନେବା ଆଉ ସାଇକ୍ଲିଂ କରିବା ଉପରେ ସେ ଗୁରୁତ୍ବାରୋପ କରନ୍ତି। ରେଡିଓରୁ ନୀତିବାଣୀ, ଖବର ଓ ସ୍ବାସ୍ଥ୍ୟ ଚର୍ଚ୍ଚା ଶୁଣି ନିଜ ଜୀବନକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ କରି ଆସିଛନ୍ତି। ଗୋପୀନାଥ କହିବା ଅନୁଯାୟୀ ତାଙ୍କ ଖାଦ୍ୟରେ କିଛି ବାରଣ ନଥିଲା। କିନ୍ତୁ, ବର୍ତମାନର ଖାଦ୍ୟ ଭଳି ସେ ସମୟର ପନିପରିବା, ଧାନ ଚାଉଳ କି ପାନୀୟ ଭେଜାଲ ନଥିଲା। କିନ୍ତୁ, ପେଟ ଯେତିକି ଖାଦ୍ୟ ଆବଶ୍ୟକ କରେ, ଶରୀର ରକ୍ଷା ପାଇଁ ସେତିକି ଖାଦ୍ୟ ଖାଇବା କଥା। ଅଧିକ ଖାଦ୍ୟ ଗ୍ରହଣ ବିପଦ। ଭୋର୍ରୁ ଉଠି ଗୋପୀନାଥ ସ୍ନାନ କରିବା ସହିତ ସୂର୍ଯ୍ୟ ନମସ୍କାର କରନ୍ତି। ବୃନ୍ଦାବତୀ ତୁଳସୀ ଚଉରା ମୂଳେ ପାଣି ଦିଅନ୍ତି। ଭାଗବତ ଘରେ ଧୂପ, ଦୀପ ନୈବିଦ୍ୟ ଅର୍ପଣ କରନ୍ତି। ଯଥା ସମ୍ଭବ ଚିନ୍ତାମୁକ୍ତ ରହିବା ସହିତ ପ୍ରତିଦିନ ଦୁଇ ଘଣ୍ଟା ଖବର କାଗଜ ଆଉ ଆଧ୍ୟାତ୍ମିକ ପୁସ୍ତକ ପଢିବାରେ କଟାନ୍ତି ବୋଲି ସେ କହିଛନ୍ତି। ଗୋପୀନାଥ ଶତାୟୁ ହୁଅନ୍ତି ଏବଂ ଦୀର୍ଘ ତଥା ନିରୋଗ ଜୀବନଯାପନ କରନ୍ତୁ, ଏହା ହିଁ ‘ସମ୍ବାଦ’ର କାମନା।
ନବଘନ ନାୟକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/garadpur.jpg)