ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ଗୋପୀନାଥ ମହାନ୍ତିଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତିଙ୍କ ବିୟୋଗରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଆଡହକ କମିଟି ସଭାପତି ଶକ୍ତିଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଓ ଉପ-ସଭାପତି ପୀତବାସ ରାଉତରାୟଙ୍କ ସଂଯୋଜନାରେ ଅନ୍‌ଲାଇନରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ଗୋପୀନାଥ ମହାନ୍ତିଙ୍କ ଅବଦାନ ଅତୁଳନୀୟ ବୋଲି ସମସ୍ତ ବକ୍ତା ମତବ୍ୟକ୍ତ କରିଥିଲେ। ସେ ରାଜ୍ୟ ସରକାରଙ୍କର ସଂସ୍କୃତି ବିଭାଗର ସଚିବ ଥିବା ସମୟରେ ରବୀନ୍ଦ୍ର ମଣ୍ଡପରେ ପ୍ରତି ମାସର ଶେଷ ତାରିଖରେ ‘ଜଗନ୍ନାଥାୟନ’ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିଥିବାରୁ ଆଜି ପର୍ଯ୍ୟନ୍ତ ସେହି କାର୍ଯ୍ୟକ୍ରମ ପୂର୍ଣ୍ଣପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଚାଲିଛି।

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପରାମର୍ଶରେ ସ୍କନ୍ଦପୁରାଣର ଉତ୍କଳଖଣ୍ଡରେ ଥିବା ଜଗନ୍ନାଥ ମହିମାକୁ ପାଞ୍ଚରାତ୍ର ଧରି ପଠନ କରାଇ ୨୦୧୨ ମସିହାରେ ପୁରୀ ଶରଧାବାଲିରେ ପାଞ୍ଚରାତ୍ର ପଦ୍ଧତି ଆରମ୍ଭ କରିଥିଲେ। ୨୦୦୮ ମସିହାରୁ ଅବସର ପରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଗଠନ କରି ଏହାର ସଭାପତି ରୂପେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରର ସମସ୍ତ ମନ୍ଦିରମାନଙ୍କର ଐକ୍ୟ ପ୍ରତିଷ୍ଠା ପାଇଁ ସମ୍ମିଳନୀ ଆୟୋଜନ କରିଥିଲେ। ତାଙ୍କ ଦ୍ୱାରା ରାଜ୍ୟବ୍ୟାପୀ ଶ୍ରୀଜଗନ୍ନାଥ ଚେତନା କେନ୍ଦ୍ର ଓ ଜଗନ୍ନାଥ ସେବା ସମିତିମାନ ଗଠନ ହୋଇଥିଲା।

ସ୍ବର୍ଗତ ମହାନ୍ତିଙ୍କ ସ୍ମୃତିସଭାରେ ଆମେରିକାର ଦାଶ ଫାଉଣ୍ଡେସନ୍‍ର ଅଧ୍ୟକ୍ଷ ଡ. ଶୀତକଣ୍ଠ ଦାଶ, ଦିଲ୍ଲୀର କଳିଙ୍ଗ ଭାରତୀ ଫାଉଣ୍ଡେସନ୍‍ ତରଫରୁ ଅଧ୍ୟକ୍ଷ ଅକ୍ଷୟ କୁମାର ସାମଲ, ଉପଦେଷ୍ଟା ପ୍ରଭାସ ଚନ୍ଦ୍ର ମିଶ୍ର ଓ ସଂଜୀବ ପାଟ୍ଟଯୋଶୀ, ମୁମ୍ବାଇର ମହାରାଷ୍ଟ୍ର ଓଡ଼ିଆ ଆସୋସିଏସନ୍‍ର ମୁଖ୍ୟ ଭଗବାନ ପଣ୍ଡା, ବେଙ୍ଗାଲୁରୁ ଦିଗ୍‍ବଳୟର ସମ୍ପାଦକ ଅଜୟ କେତନ ମହାନ୍ତି, ଓଡ଼ିଶାରୁ ନିତିଦିନର ସମ୍ପାଦକ ମନୋଜ କୁମାର ମହାପାତ୍ର, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ‘ନିଳାଦ୍ରୀ’ର ମୁଖ୍ୟ ସମ୍ପାଦକ ଡ. ଭାସ୍କର ମିଶ୍ର, କିମ୍‌ସ ପ୍ରାକ୍ତନ ଉପଦେଷ୍ଟା ଡାକ୍ତର ରବୀନ୍ଦ୍ର ନାରାୟଣ ସାମନ୍ତ, କୁରୁକ୍ଷେତ୍ରର ସମ୍ପାଦକ ପୀତବାସ ମିଶ୍ର, ଇଂଜିନିୟର ପ୍ରତାପ ଚନ୍ଦ୍ର ନାୟକ, ସୁରେଶ ଚନ୍ଦ୍ର ଖଟୋଇ, ଗାୟିକା ତେଜସ୍ୱିନୀ ରଥ ଓ ପୁଷ୍ପାଞ୍ଜଳୀ ବାରିକ, ଜଗନ୍ନାଥ ସଂସ୍କୃତି ପ୍ରଚାରକ ବିଜୟ ଦାସ, ଡ. ତପସ୍ୱିନୀ କର, ଶ୍ରୀ ରାଧା ବଲ୍ଲଭ ସିଂହ, ମୁରଲୀଧର ପଲାଇ, ବିଶ୍ୱନାଥ ମହାନ୍ତି, କୃଷ୍ଣଚନ୍ଦ୍ର ମହାପାତ୍ର, ରାଧେଶ୍ୟାମ ଦଂଶନା, ଘନଶ୍ୟାମ ସ୍ୱାଇଁ ଭାଗ ନେଇଥିଲେ।

ପ୍ରାରମ୍ଭରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ରଙ୍କର ଶୋକବାର୍ତ୍ତା ପଠନ କରାଯାଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର କର୍ମକର୍ତ୍ତା ଦେବେନ୍ଦ୍ର କୁମାର ଦାସ, ପ୍ରଦୀପ୍ତ କୁମାର ସାହୁ, ଦିଲ୍ଲୀପ କୁମାର ପଟ୍ଟନାୟକ ଓ ସୁଶାନ୍ତ କୁମାର ସାହୁ ଶ୍ରୀ ମହାନ୍ତିଙ୍କ ସହ ବିତାଇଥିବା ଦିନର ସ୍ମୃତିଚାରଣ କରିଥିଲେ। ସଭା ଶେଷରେ ପଟିଆଲା ଚିନ୍ମୟ ମିଶନର ମୁଖ୍ୟ ସ୍ୱାମୀ ମାଧବାନନ୍ଦ ସରସ୍ୱତୀ ସ୍ବର୍ଗତ ମହାନ୍ତିଙ୍କ ଆତ୍ମାର ସଦ୍‍ଗତି ପାଇଁ ପ୍ରାର୍ଥନା କରିଥିଲେ। ସମ୍ପାଦକ ଦେବେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର