ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ: ଗୋପୀନାଥଙ୍କ କୃତି ଅନୁବାଦ କରିବା ସହଜ ନୁହେଁ

ଭୁବନେଶ୍ୱର: ବିଶିଷ୍ଟ ଔପନ୍ୟାସିକ ପଦ୍ମଭୂଷଣ ଗୋପୀନାଥ ମହାନ୍ତିଙ୍କ କୃତିକୁ ଅନୁବାଦ କରିବା ଏତେ ସହଜ କଥା ନୁହେଁ। ତାଙ୍କର ସାହିତ୍ୟିକ ରାଗ, ଶବ୍ଦ ସଂଯୋଜନା, ଭାଷାର ଲାଲିତ୍ୟ ତାଙ୍କ ‌ଲେଖାଗୁଡ଼ିକୁ ଅନନ୍ୟ ଓ ସ୍ବତନ୍ତ୍ର କରିଛି। ସ୍ବର୍ଗତ ମହାନ୍ତି ଜଣେ ଚମତ୍କାର ଲେଖକ ଥିଲେ। ତାଙ୍କ ଲେଖାରେ ଚରିତ୍ର, କାହାଣୀ, ପରିବେଶ, ପରିସ୍ଥିତି ଓ ଘଟଣାବଳୀ ସମସ୍ତ କଥାରେ ଏକ ଅଦ୍ଭୁତ ସ୍ପଷ୍ଟତା ରହିଛି। ତାଙ୍କ ଲେଖା ନିର୍ଭୁଲ ଓ ସରଳ ଥିଲା। ଆଜି ୯୦ବର୍ଷ ପରେ ବି ତାଙ୍କ ଲେଖାର ପ୍ରାସଙ୍ଗିକତା ରହିଛି, ଯାହାକି ଆଜିର ଆଧୁନିକ ପାଠକଙ୍କୁ ବି ମନ୍ତ୍ରମୁଗ୍ଧ କରିପାରିବ। ଏଭଳି ଜଣେ ଲେଖକଙ୍କ କାଳଜୟୀ କୃତିଗୁଡ଼ିକ ଅନୁବାଦ କରିବା ନିହାତି ଭାବେ କଷ୍ଟସାଧ୍ୟ ବ୍ୟାପାର ଓ ଏହାକୁ ଆମେ ବହୁ ପରିଶ୍ରମ କରି ଅନୁବାଦ କରିଛୁ ବୋଲି କହିଛନ୍ତି ବିଶିଷ୍ଟ ଅନୁବାଦିକା ସୁଦେଷ୍ଣା ମହାନ୍ତି ଓ ସୁଧାଂଶୁ ମହାନ୍ତି।

ଗୋପୀନାଥ ମହାନ୍ତିଙ୍କ ୧୫୦ରୁ ଅଧିକ କ୍ଷୁଦ୍ରଗଳ୍ପରୁ ବଛାବଛା ୨୦ ଗଳ୍ପକୁ ଇଂରାଜୀରେ ଅନୁବାଦ କରି ପ୍ରକାଶିତ ପୁସ୍ତକ ‘ଓବ୍ଲିଭିଅନ୍‌ ଆଣ୍ଡ୍‌ ମ୍ୟାଜିକ ଅଫ୍‌ ଗୋପୀନାଥ ମହାନ୍ତିସ୍‌ ଷ୍ଟୋରିଜ୍‌’ ସମ୍ପର୍କରେ ଆଲୋଚନା କରି ଉଭୟ ଏହି କଥା କହିଛନ୍ତି। ଅନୁବାଦରେ ଗୋପୀନାଥଙ୍କ ମୂଳ ଗଳ୍ପରେ ଲେଖା ଯାଇଥିବା ଓଡ଼ିଆ ଢଗଢ଼ମାଳି ଓ ନିପଟ ଗାଉଁଲି ଭାଷାକୁ ଓଡ଼ିଆରେ ହିଁ ଉଲ୍ଲେଖ କରାଯାଇଛି। ତାହା ଅନ୍ୟ ଭାଷାଭାଷୀଙ୍କୁ ଓଡ଼ିଆ ସହ ପରିଚିତ କରାଇବ ଓ ଓଡ଼ିଆଙ୍କୁ ନିଜସ୍ବ ଅନୁଭୂତି ଦେବ ବୋଲି ସୁଦେଷ୍ଣା କହିଥିଲେ। ଅଧିବେଶନକୁ ପ୍ରତୀତି ସଂଯୋଜନା କରିଥି‌ଲେ।

ସମ୍ବନ୍ଧିତ ଖବର