ପୁରୀ: ଶ୍ରୀକ୍ଷେତ୍ରରେ ପାର୍ବଣର ଚମକ ଟିକେ ନିଆରା। ଶାରଦୀୟ ଦୁର୍ଗାତ୍ସୋବରେ ମୃଣ୍ମୟୀ ମହିଷାମର୍ଦ୍ଦିନୀ ଦୁର୍ଗା ସର୍ବତ୍ର ଦେବୀ ରୂପେ ପୂଜା ପାଇଥା’ନ୍ତି। ମାତ୍ର ଶ୍ରୀକ୍ଷେତ୍ରରେ ବୃହତାକାୟ ବିଗ୍ରହ ଗୋସାଣୀ ରୂପରେ ଉପାସିତ। ଶ୍ରୀକ୍ଷେତ୍ରରେ ଦେବୀ ଦୁର୍ଗା ଭିନ୍ନଭିନ୍ନ ନାମରେ ଉପାସିତ ହୁଅନ୍ତି। ଏହା ହିଁ ଶ୍ରୀକ୍ଷେତ୍ର ଶାରଦୀୟ ପାର୍ବଣର ସ୍ବତନ୍ତ୍ରତା। ଏହି ନାମକରଣ ପଛରେ ଐତିହ୍ୟ ଓ ଜନଶ୍ରୁତି ରହିଛି। ଗୋସାଣୀମାନଙ୍କର ବିଗ୍ରହ ଦୁର୍ଗାଙ୍କଠାରୁ ଭିନ୍ନ। ସାମଞ୍ଜସ୍ୟ ଥିଲେ ହେଁ ଶ୍ରୀକ୍ଷେତ୍ରରେ ପୂଜିତ ଦେବୀମାନଙ୍କର ଭଙ୍ଗୀ ଭିନ୍ନ। ଗଠନଶୈଳୀ ପ୍ରାଚୀନ ଓ ପାରମ୍ପରିକ। ମୂର୍ତ୍ତି ଆକାର ବହୁତ ବଡ଼ ହୋଇଥିବାରୁ ସ୍ଥାନୀୟ ଭାଷାରେ ଭୂଆସୁଣି ବୋଲି ଅଭିହିତ କରନ୍ତି। ରକ୍ତମୁଖା ମୁଖମଣ୍ଡଳରେ କମନୀୟତା ସହିତ ଭୀମ ଓ ରୌଦ୍ର ରୂପର ସମନ୍ବୟ ଦେଖିବାକୁ ମିଳେ। ବିଗ୍ରହ ସଂଦର୍ଶନରେ ଭକ୍ତ ପୁଲକିତ ଓ ଆତ୍ମ ସଚେତନ ହୁଅନ୍ତି। ପୁରୀର ଗୋସାଣୀ ଯାତ ଜାଗା ଆଖଡ଼ାର ସଂଘବଦ୍ଧ ଐତିହ୍ୟର ଜ୍ବଳନ୍ତ ନିଦର୍ଶନ।
ଗୋସାଣୀ ନାମକରଣ କାହିଁକି?
ଶ୍ରୀକ୍ଷେତ୍ରରେ ଶାରଦୀୟ ପୂଜାକୁ ଗୋସାଣୀ ଯାତ୍ରା ଭାବେ ଅଭିହିତ କରାଯାଇଛି। ଏହି ଗୋସାଣୀ ନାମକରଣକୁ ନେଇ ଭିନ୍ନ ମତବାଦ ରହିଛି। ଶ୍ରୀକ୍ଷେତ୍ରର ଶାକ୍ତ ଉପାସନାର ପ୍ରାଚୀନତା ଶାରଦୀୟ ଦୁର୍ଗାପୂଜା ସହ ଜଡ଼ିତ। ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର ମିଶ୍ରଙ୍କ ସୂଚନା ମୁତାବକ, ପୂଜା କାଳରେ ଦେବୀମାନଙ୍କୁ ଗୋସାଣୀ ସମ୍ବୋଧିତ କରିବାର ପରମ୍ପରା ପ୍ରାଚୀନ ନୁହେଁ। ତିନି ପୂଜା ପରେ ଦଶହରା ପରଦିନ ଏକାଦଶୀ ତିଥିରେ ସିଂହଦ୍ବାର ସାମ୍ନାରେ ଦେବୀମାନଙ୍କର ଯେଉଁ ମେଳଣ ହୁଏ, ତାହା ଗୋସାଣୀ ଯାତ ଭାବେ ଖ୍ୟାତ। ସେଠାକୁ ଆସୁଥିବା ଦେବୀଙ୍କୁ ବାରବାଟୀ ଗୋସାଣୀ, ଜହ୍ନିଖାଇ ଗୋସାଣୀ, ଶୂନ୍ୟ ଗୋସାଣୀ ବୋଲି ସମ୍ବୋଧନ କରାଯାଏ। ଡ.ମିଶ୍ରଙ୍କ ମତାନୁଯାୟୀ, ପୀଠରୁ ଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ମେଳଣ ଉଦ୍ଦେଶ୍ୟରେ ବାହାରିବା ପୂର୍ବରୁ ବିସର୍ଜନ ହୋଇସାରିଥାଆନ୍ତି। ତେଣୁ ମନ୍ତ୍ର ଦ୍ବାରା ବିସର୍ଜିତ ମୂର୍ତ୍ତି ମେଳଣକୁ ଆସିଥିବାରୁ ସେମାନଙ୍କୁ ଗୋସାଣୀ ସମ୍ବୋଧନ କରିବା ଯଥାର୍ଥ। ମୃଣ୍ମୟୀ ଦେବୀ ବିଗ୍ରହରେ ଦୈବୀ ଶକ୍ତିକୁ ଆବାହନ କରି ମନ୍ତ୍ର ମାଧ୍ୟମରେ ଶକ୍ତିକୁ ବିସଜର୍ନ କରି ଦେବା ପରେ ଉକ୍ତ ବିଗ୍ରହକୁ ଗୋସାଣୀ କୁହାଯାଏ ବୋଲି ସେ କହିଛନ୍ତି। ତେବେ ଅନ୍ୟ ମତରେ ଗୋସାଣୀ ଶବ୍ଦଟି ଗୋସ୍ବାମିନୀ ଶବ୍ଦରୁ ଆସିଛି। ଗୋସ୍ବାମୀ ଅର୍ଥ ବୃଷାରୋହୀ ଶିବ। ତେଣୁ ଗୋସ୍ବାମିନୀ ଅର୍ଥ ଦୁର୍ଗା ଅଟନ୍ତି।
ଗର୍ଭବତୀମାନଙ୍କୁ ଗୋସାଣୀ ମନା!
ପ୍ରାଣ ପ୍ରତିଷ୍ଠା ପରେ ଜଡ଼ ସଦୃଶ ବିଗ୍ରହ ଜୀବନ୍ତ ପ୍ରତୀୟମାନ ହୁଏ। ଲୋକାଚାର ମତରେ ଏକଦା କୌଣସି ଦୁର୍ବଳମନା ତଥା ଆସନ୍ନ ପ୍ରସବା ନାରୀ ସମ୍ଭବତଃ ଗୋସାଣୀ ମୂର୍ତ୍ତିମାନଙ୍କର ବିଶାଳତା ଦେଖି ଭୟବିହ୍ବଳ ହୋଇ ଗର୍ଭପାତ ଘଟିଥିଲା। ତେଣୁ ପରିବାରର ବୟସ୍କା ମହିଳାମାନେ ଅନ୍ତଃସତ୍ତ୍ବାମାନଙ୍କୁ ଗୋସାଣୀଙ୍କୁ ସାମ୍ନାସାମ୍ନି ଦେଖିବାକୁ ବାରଣ କରିଥାଆନ୍ତି। କ୍ରମେ ଏହା ଏକ ବିଧିରେ ପରିଣତ ହୋଇଯିବା ଫଳରେ ଗର୍ଭବତୀମାନେ ଗୋସାଣୀ ଦେଖିବାକୁ ଆସନ୍ତି ନାହିଁ ବୋଲି ବିଶ୍ବାସ ରହିଥିବା ଗବେଷକ ପଙ୍କଜ ସାହୁ ଏକ ଆଲେଖ୍ୟରେ ଉଲ୍ଲେଖ କରିଛନ୍ତି।
ଅତୀତରେ ଜଗନ୍ନାଥବଲ୍ଲଭ ନିକଟରେ ହେଉଥିଲା ଗୋସାଣୀ ଯାତ
ଉତ୍କଳ ଦୀପିକାରୁ ମିଳୁଥିବା ସୂଚନା ମୁତାବକ, ପୂର୍ବରୁ ଗୋସାଣୀମାନଙ୍କର ମେଳଣ ଶ୍ରୀକ୍ଷେତ୍ରର ନନ୍ଦିଗ୍ରାମଠାରେ ଅନୁଷ୍ଠିତ ହେଉଥିଲା। ଏହି ନନ୍ଦିଗ୍ରାମ ବଡ଼ଦାଣ୍ଡରେ ଥିବା ଜଗନ୍ନାଥବଲ୍ଲଭ ମଠ ପୂର୍ବ ପାର୍ଶ୍ବ ଅଞ୍ଚଳକୁ କୁହାଯାଉଥିଲା। ସେଠାରୁ ଗୋସାଣୀ ମେଳଣ କେବେ ସିଂହଦ୍ବାରକୁ ସ୍ଥାନାନ୍ତରିତ ହେଲା ତାହାର କୌଣସି ତଥ୍ୟ ମିଳେ ନାହିଁ। ଏହି ନନ୍ଦିଗ୍ରାମ ଶବ୍ଦ ବାଲ୍ମିକୀ ରାମାୟଣ କାଳର ବୋଲି ଡ.ସୁରେନ୍ଦ୍ର ମିଶ୍ର କୁହନ୍ତି।