ଶ୍ରୀକ୍ଷେତ୍ରରେ ଶେଷ ହେଲା ନିରାଡମ୍ବର ଗୋଷାଣୀଯାତ୍ରା

ସିଂହଦ୍ବାରରେ ଏକାଠି ପରେ ମଙ୍ଗଳାଘାଟରେ ମେଲାଣି ନେଲେ ମା'

ପୁରୀ : ନିରାଡମ୍ବର ପରିବେଶରେ ବିଦାୟ ନେଲେ ମା’। ନା ବାଜା ବାଜିଲା, ନା ରୋଷଣୀ ହେଲା। ନା ନାଚିବାକୁ ଭକ୍ତ ରହିଲେ, ନା ବାଜିଲା ଡାକବାଜି ଯନ୍ତ୍ର। ଚଳିତବର୍ଷର ଦୁର୍ଗାପୂଜା ଏଭଳି ଖାଁ ଖାଁ ପରିବେଶ ଭିତରେ ‌ଶେଷ ହୋଇଛି। ମୂର୍ତ୍ତି ଉଚ୍ଚତାକୁ ନେଇ ଆଶା-ଆଶଙ୍କାର ଦୋଛକିରେ ଦୁର୍ଗାପୂଜା ପାଳନ ପରେ ଚଳିତ ବର୍ଷର ଗୋଷାଣୀଯାତ୍ରା ବି ଫିକା ପଡ଼ିଛି।

ଶ୍ରୀକ୍ଷେତ୍ରରେ ପାଳନ ହେଉଥିବା ନାନାଦି ପର୍ବପର୍ବାଣୀ ଭିତରେ ଦୁର୍ଗାପୂଜା ଏକ ପ୍ରମୁଖ ପୂଜା। ଶ୍ରୀମନ୍ଦିର ସହ ଏହାର ନୀତିକାନ୍ତି ଜଡ଼ିତ। ଏଥିପାଇଁ ପ୍ରତିବର୍ଷ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇ‌ଉଠେ। ସାହି ଗଳିକନ୍ଦିରେ ଉତ୍ସବର ପରିବେଶ ଦେଖିବାକୁ ମିଳେ। କିନ୍ତୁ ଚଳିତବର୍ଷ କରୋନା ମହାମାରୀ ଏଥିରେ ଅନ୍ତରାୟ ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ବିରାଟ ବିରାଟ ‌ଦୁର୍ଗାମେଢ଼ ହୋଇଥିଲେ ମଧ୍ୟ ପୂଜାର ସେ ଚମକ ଦେଖିବାକୁ ମିଳିନି। ଭକ୍ତ ଓ ଭଗବାନଙ୍କୁ ନେଇ ପାର୍ବଣ ଋତୁ ସଦାସର୍ବଦା ହସିଉଠେ। କିନ୍ତୁ କରୋନା ପାଇଁ ବିନା ଭକ୍ତରେ ଚଳିତବର୍ଷର ପୂଜା ଶେଷ ହୋଇଛି। ସବୁଠି ନିରାଡମ୍ବର ପରିବେଶ। ‌ଆଜି ଗୋଷାଣୀ ଯାତ୍ରାରେ ବି ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଶ୍ରୀକ୍ଷେତ୍ରର ଗୋଷାଣୀ ଯାତ୍ରା ସୁପ୍ରସିଦ୍ଧ। ଏହିଦିନ ବିଭିନ୍ନ ସାହିରେ ବସିଥିବା‌ ଦୁର୍ଗାମେଢ଼, ନାଗା ଆଦି ସିଂହଦ୍ବାରରେ ଏକାଠି ହୋଇଥାନ୍ତି। କିନ୍ତୁ କରୋନା ପାଇଁ ବିନା ବାଣ ରୋଷଣରେ ଗୋଷାଣୀ ଯାତ୍ରା ‌ପାଳନ ହୋଇଛି। ସିଂହଦ୍ବାର ସମ୍ମୁଖ ଏମାର ମଠ ଚକଡ଼ା ଓ ଆଖପାଖ ଅଞ୍ଚଳରେ ଦେବୀ ମୂର୍ତ୍ତି ଏକାଠି ହେବା ପରେ ଆଜ୍ଞାମାଳ ପାଇ ବିସର୍ଜନ ପାଇଁ ଯାଇଛନ୍ତି। ମଙ୍ଗଳାଘାଟଠାରେ ମା’ଙ୍କୁ ମେଲାଣି ଦିଆଯାଇଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କୃତ୍ରିମ ପୋଖରୀ ସାଙ୍ଗକୁ ସୁରକ୍ଷା ଓ ଆଲୋକମାଳାର ବ୍ୟବସ୍ଥା କରାଯାଇଥିଲା। ନିରାଡ଼ମ୍ବର ପରିବେଶ ଭିତରେ ସମସ୍ତ ଦେବୀମୂର୍ତ୍ତି ଏଠାରେ ବିସର୍ଜନ କରାଯାଇଛି।

ସମ୍ବନ୍ଧିତ ଖବର