ଜୟପୁର: ସହରର ବିଭିନ୍ନ ଛକ ଓ ରାଜରାସ୍ତା ଉପରେ ଗୋରୁ ଗାଇ ଶୋଇ ରହୁଛନ୍ତି। ଏମାନଙ୍କୁ ନେଇ ରଖିବା ପାଇଁ ପୌରପାଳିକା ପକ୍ଷରୁ ସ୍ବତନ୍ତ୍ର ଯୋଜନା ଆରମ୍ଭ ହୋଇଛି। ୫କୋଟି ଟଙ୍କା ବ୍ୟୟରେ ଏହା ପାଂଜିଆଗୁଡା ନିକଟରେ ଥିବା ପୌରପାଳିକାର ଜମିରେ ନିର୍ମାଣ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏଥି ପାଇଁ ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଓ ପୌରଯନ୍ତ୍ରୀ ଇଂ.ଅଜୟ ଜାନୀ ଖୋର୍ଦ୍ଧା ଜିଲ୍ଲାର ଜଟଣି ଠାରେ ଥିବା ଗୋଶାଳାର କ୍ଷେତ୍ର ପରିଦର୍ଶନ କରିବା ସହ ଏହାକୁ ପରିଚାଳନା କରୁଥିବା ମହିଳା ଏସଏଚଜି ଗୃପଓ ଅଧିକାରୀ ମାନଙ୍କ ସହ ଆଲୋଚାନ କରିଛନ୍ତି। ସେମାନେ ଫେରିବା ପରେ ଜୟପୁରରେ କରାଯିବାକୁ ଥିବା ଗୋଶାଳାର ସଂପୂର୍ଣ୍ଣ ରୁପରେଖ ତିଆରି ହେବ ବୋଲି କହିଛନ୍ତି ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି।
ସହରର ଟ୍ରାଫିକ ସମସ୍ୟାରେ ଗୋରୁ ଗାଇ ରାସ୍ତା ଉପରେ ରହୁଥିବାକୁ ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଚିନ୍ତା ପ୍ରକଟ କରିଥିଲେ। ସେ ରାଜ୍ୟ ଗୃହ ଓ ସହରାଂଚଳ ଉନ୍ନୟନ ବିଭାଗକୁ ଏ ନେଇ ଏକ ପ୍ରସ୍ତାବ ଦେବା ସହ ଏଥି ପାଇଁ ୫କୋଟି ଟଙ୍କାର ଅନୁଦାନ ଦେବାକୁ ଅନୁରୋଧ କରିଥିଲେ। ଏହି ଅନୁଦାନ ରାଜ୍ୟ ଗୃହ ଓ ସହରାଂଚଳ ଉନ୍ନୟନ ବିଭାଗ ଦେବାକୁ ସହମତି ପ୍ରକାଶ କରିଥିବା କହିଛନ୍ତି ପୌର ଅଧ୍ୟକ୍ଷ। ଏହି ଚିଠି ଆସିବା ପରେ ପୌର ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ କ୍ଷେତ୍ର ପରିଦର୍ଶନ କରିବାକୁ ସେ କହିଥିବା କହିଛନ୍ତି ପୌର ଅଧ୍ୟକ୍ଷ। ଆଗାମୀ ଦିନରେ ଏହି ପ୍ରକଳ୍ପ ହେବା ଦ୍ବାରା ସହରର ରାସ୍ତା ଉପରେ ଦିନ ତମାମ ଶୋଇ ରହୁଥିବା ଗାଇ ଗୋରୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ପୌର ଅଧ୍ୟକ୍ଷ କହିବା ସହ ପ୍ରୟାସ ପାଇଁ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।