ଭୁବନେଶ୍ବର : ବହୁ ଦିନର ପ୍ରତୀକ୍ଷା ପରେ ୧୧୫୦ ଜଣ ସହକାରୀ ଶିକ୍ଷକ(ଜୁନିଅର ଏସ୍ଇଏସ୍)ଙ୍କୁ ପ୍ରଧାନଶିକ୍ଷକ(ସିନିଅର ଏସ୍ଇଏସ୍) ପଦବିକୁ ପଦୋନ୍ନତି ମିଳିଲା। ସେପ୍ଟେମ୍ବର ୯ରେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ସହ ୧୬ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ମାସେ ବିତିଲାଣି। ହେଲେ ଦାୟିତ୍ବ ଗ୍ରହଣ କରିବା ଦୂରର କଥା ପଦୋନ୍ନତି ପରେ ଅଧିକାଂଶ ଶିକ୍ଷକଙ୍କର ଆଉ ଦେଖାମିଳୁନି। କେତେଜଣ ବ୍ୟକ୍ତିଗତ କାରଣ ଦର୍ଶାଇ ଛୁଟିରେ ରହିଛନ୍ତି। ଆଉ କିଛି ଜଣ ରିଲିଭ୍ ହେବା ପରେ ମଧ୍ୟ ନୂତନ ଦାୟିତ୍ବ ଗ୍ରହଣ କରୁନାହାନ୍ତି। ବରଂ ଅସୁସ୍ଥ ଥିବା ଦର୍ଶାଇ ଦୁଇରୁ ତିନି ସପ୍ତାହ ହେଲା ଛୁଟିରେ। ଗୋଟିଏ କି ଦୁଇଟି ଘଟଣା ନୁହେଁ, ବରଂ ରାଜ୍ୟର ଶତାଧିକ ଶିକ୍ଷକ ଏଭଳି ଛୁଟିରେ ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦୃଷ୍ଟିକୁ ଆସିବା ପରେ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦିଆଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।
ବିଭାଗ କହିଛି ଯେ ଏଭଳି କରି ପଦୋନ୍ନତି ପାଇଥିବା ଶିକ୍ଷକ ନିଜ କ୍ୟାରିଅର ଲାଗି ବିପଦ ଆଣୁଛନ୍ତି। ୨୦୧୯ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପଦୋନ୍ନତିକୁ ପ୍ରତ୍ୟାହାର କରି ନିଆଯାଇପାରେ। ତେଣୁ ଶିକ୍ଷକମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଉଛି। ସେମାନେ ନିଜ ମାନସିକତାରେ ପରିବର୍ତ୍ତନ କରନ୍ତୁ ଏବଂ ଅକ୍ଟୋବର ୩୧ ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅନ୍ତୁ। ଏହାପରେ କେହି ଛୁଟିରେ ରହିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। କେବଳ ମେଡିକାଲ ଗ୍ରାଉଣ୍ଡରେ ଛୁଟି ଅନୁମତିକୁ ବିଚାରକୁ ନିଆଯିବ। ଯଦି କୌଣସି ପ୍ରଧାନଶିକ୍ଷକ ମେଡିକାଲ ଗ୍ରାଉଣ୍ଡରେ ଛୁଟି ପାଇଁ ଆବେଦନ କରନ୍ତି ତାହା ହେଲେ ବି ସେମାନଙ୍କୁ ଜିଲ୍ଲା ମେଡିକାଲ ବୋର୍ଡରେ ଅସୁସ୍ଥତାର ପରୀକ୍ଷା କରିବା ବାଧ୍ୟତାମୂଳକ। ଜିଲ୍ଲା ମେଡିକାଲ ବୋର୍ଡ ରିପୋର୍ଟ ବିନା କାହାକୁ ବି ୩୧ ତାରିଖ ପରେ ଛୁଟି ଦିଆଯିବ ନାହିଁ। ନଭେମ୍ବର ପହିଲାରେ ସମସ୍ତ ଆବେଦନପତ୍ର ନିର୍ଦେଶାଳୟରେ ପହଞ୍ଚିବା ଆବଶ୍ୟକ। କେହି ଯଦି ପୂର୍ବରୁ ଦେଇଥିବେ ତାହାହେଲେ ବି ଲିଖିତ ଆକାରରେ ଜଣାଇବେ।
ଅନ୍ୟପକ୍ଷରେ କିଛି ଶିକ୍ଷକଙ୍କ କହିବା କଥା ହେଉଛି ଯେ ପଦୋନ୍ନତି ପାଇ ବିଭିନ୍ନ ବିଦ୍ୟାଳୟକୁ ଯାଇଥିବା ଶିକ୍ଷକଙ୍କ ପ୍ଲେସ୍ ଅଫ୍ ପୋଷ୍ଟିଂରେ ସାଂଘାତିକ ଅନିୟମିତତା ହୋଇଛି। ପୂର୍ବରୁ ପଦୋନ୍ନତି ସମୟରେ ପ୍ଲେସ୍ ଅଫ୍ ପୋଷ୍ଟିଂ ପାଇଁ ଯେଉଁ ସବୁ ମୋଡାଲିଟି ଗ୍ରହଣ କରାଯାଉଥିଲା, ତାହା ଏଥର ଦେଖିବାକୁ ମିଳିନାହିଁ। ପ୍ରତ୍ୟକ୍ଷ କାଉନସେଲିଂ, ଅନ୍ଲାଇନ୍ ଚଏସ୍ କିମ୍ବା ବିକଳ୍ପ ସ୍ଥାନ ଚୟନ ଆଦି ମଗା ଯାଇପାରିଥାନ୍ତା। ମାତ୍ର ଏ ସବୁକୁ ଗ୍ରହଣ ନକରି ଏକତରଫା ଭାବେ ସ୍ଥାନ ନିରୂପଣ କରିବା ଦ୍ବାରା ବୟସାଧିକ, ରୋଗାକ୍ରାନ୍ତ ଶିକ୍ଷକଙ୍କୁ ଚାକିରିର ଶେଷ ଜୀବନରେ ଦୂର ଦୂରାନ୍ତକୁ ଯିବାକୁ ପଡ଼ୁଛି। ଶିକ୍ଷୟିତ୍ରୀଙ୍କୁ ନିଜ ପରିବାର ଛାଡ଼ି ବହୁ ଦୂରକୁ ଯିବାକୁ ହେଉଛି। ଚାକିରି କ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀ ଏକତ୍ର ରହିବା ବ୍ୟବସ୍ଥା ଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଇ ନାହିଁ। ସ୍ଥଳବିଶେଷରେ ଗୋଟିଏ ସ୍ଥାନରେ ଚାକିରି କରୁଥିବା ସ୍ୱାମୀ-ସ୍ତ୍ରୀ ମଧ୍ୟ ଜିଲ୍ଲା ପାର ହୋଇ ଉଭୟଙ୍କୁ ବିଭିନ୍ନ ଜିଲ୍ଲାକୁ ଯିବାକୁ ପଡ଼ିଛି। କେତେଜଣ ଶିକ୍ଷକ ତାଙ୍କର ପିତାମାତାଙ୍କର ଏକମାତ୍ର ସନ୍ତାନ ଭାବେ ବୃଦ୍ଧ ପିତାମାତାଙ୍କୁ ଘରେ ଛାଡ଼ି ଦେଇ ନିଜ ଘରଠାରୁ ୨୦୦ କିମି ଯିବାକୁ ପଡ଼ିଛି। ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଶିକ୍ଷକଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରି ସମାଧାନର ରାସ୍ତା ବାହାର କରିବାକୁ ଦାବି ହୋଇଛି।