କଟକ : ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ଭବାନୀପୁର ମୌଜାରେ ଗୋତି ଶ୍ରମିକ ପ୍ରଥା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରି ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଜିଲ୍ଲାପାଳ ପିପିଲି ତହସିଲଦାରଙ୍କ ସହିତ ଘଟଣା ସ୍ଥଳକୁ ଯାଇ ଏହି ପ୍ରସଂଗରେ ଅନୁଧ୍ୟାନ କରିବେ। ଘଟଣାର ସତ୍ୟାସତ୍ୟକୁ ଅନୁଧ୍ୟାନ କରିବା ସହିତ ଏ ସଂକ୍ରାନ୍ତ ଯୁଗ୍ମ ରିପୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ହାଇକୋର୍ଟରେ ଦାଖଲ କରାଯିବ। ଯଦି ଆବଶ୍ୟକ ପଡ଼େ ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଅଦାଲତଙ୍କ ନିର୍ଦ୍ଦେଶକୁ ଆଉ ଅପେକ୍ଷା ନ କରି ତୁରନ୍ତ ସ୍ଥାନୀୟ ପୁଲିସ ସହଯୋଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। ଏଭଳି ପରିବାରଗୁଡ଼ିକର ଥଇଥାନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବେ ବୋଲି ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡକ୍ଟର ଏସ୍‌. ମୁରଲୀଧର ଓ ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜୟ ସେଠୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ, ପିପିଲି ତହସିଲ ଅନ୍ତର୍ଗତ ଭବାନୀପୁର ମୌଜାର ନିର୍ଦ୍ଦିଷ୍ଟ ପ୍ଲଟ୍‌ରେ ରହୁଥିବା କେତେକ ପରିବାରକୁ ଗୋତି ଶ୍ରମିକ ଭାବେ ରଖାଯାଇଛି ବୋଲି ଦର୍ଶାଇ ଏହି ଆବେଦନ ଦାୟର ହୋଇଥିଲା। ମାମଲାରେ ରାଜ୍ୟ ସରକାର, ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିପିଲି ତହସିଲାଦାର ପ୍ରମୁଖଙ୍କ ପକ୍ଷଭୁକ୍ତ କରାଯାଇଛି।