ନୀଳାଦ୍ରି ବିଜେ: ଗୋଟି ପହଣ୍ଡିରେ ରତ୍ନବେଦୀକୁ ବିଜେ କରୁଛନ୍ତି ଶ୍ରୀଜିଉ

ପୁରୀ: ପବିତ୍ର ନୀଳାଦ୍ରି ବିଜେ ଅବସରରେ ଶ୍ରୀଜିଉମାନେ ରତ୍ନବେଦୀକୁ ବିରାଜମାନ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରୁଛନ୍ତି। ୯ ଦିନିଆ ରଥଯାତ୍ରା ଶେଷ କରି ମହାପ୍ରଭୁ ଆଜି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରୁଛନ୍ତି। ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରଥମେ ମଦନମୋହନ ଓ ପରେ ରାମକୃଷ୍ଣଙ୍କୁ ରତ୍ନସିଂହାସନରେ ବିରାଜମାନ କରାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ତାଳଧ୍ବଜ ରଥରୁ ବଳଭଦ୍ରକୁ ଓହ୍ଲାଯାଇଥିଲା। ବଳଭଦ୍ରଙ୍କୁ ରତ୍ନବେଦୀରେ ବିରାଜମାନ କରାଯିବା ପରେ ଦେବୀ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ନିଆଯାଇଥିଲା। ଶେଷରେ କାଳିଆ ସାଆନ୍ତ ରତ୍ନ ସିଂହାସନରେ ବିରାଜମାନ କରିବେ।

ଘୋଷଯାତ୍ରାର ଏହି ଲୀଳାଖେଳା ଶେଷ ପରେ ମଙ୍ଗଳବାର ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ନୀଳାଦ୍ରୀ ବିଜେ ଅବସରରେ ବଡ଼ଦାଣ୍ଡ ଉଛୁଳିପଡୁଛି। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ଲାଗି ରହିଛି। ଭକ୍ତମାନେ ଆଜି ମହାପ୍ରଭୁଙ୍କୁ ରସଗୋଲା ଭୋଗ ଅର୍ପଣ କରି ନିଜକୁ ଧନ୍ୟ ମଣୁଛନ୍ତି।

ସମ୍ବନ୍ଧିତ ଖବର