ଆନନ୍ଦପୁର: ଆନନ୍ଦପୁର ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଆଜି ପ୍ରବଳ ଜନସମାଗମ ହୋଇଛି। ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦୁଝର ତଥା ଆନନ୍ଦପୁରର କଳା, ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ମହୋତ୍ସବ ଆୟୋଜନ ପାଇଁ ସେ କମିଟିର ସଦସ୍ୟମାନଙ୍କୁ ପ୍ରଶଂସା କରିଥିଲେ।
ସଂଯୋଜକ ଡ. ପ୍ରଦୀପ କୁମାର ମହାନ୍ତି ସ୍ବାଗତଭାଷଣ ଦେଇଥିବାବେଳେ ଶରଣାରବିନ୍ଦ ଓ ବିଦିଶା ଚକ୍ରବର୍ତ୍ତୀ ମଞ୍ଚ ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ କେହି ଆସିନଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଖୋର୍ଦ୍ଧାର ‘ମୂର୍ଛନା’ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ପରେ ବିଶିଷ୍ଟ କଣ୍ଠଶିଳ୍ପୀ ସତ୍ୟଜିତ୍, ଲିପ୍ସା, ଜାଭେଦ୍ ଓ ସାଥୀ କଳାକାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆଜି ପୂର୍ବାହ୍ନରେ ଆନନ୍ଦପୁର ବଡ଼ଦାଣ୍ଡରେ ପଥୋତ୍ସବ ଅନୁଷ୍ଠିତ ହୋଇଥିଲା।