ସ୍ୱାଧୀନତା ସଂଗ୍ରାମୀ ଗୌରବାବୁ ଆଉ ନାହାନ୍ତି

ଭଦ୍ରକ: ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କନିଷ୍ଠ ପୁତ୍ର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ର ଆଉ ନାହାନ୍ତି। ଆଜି ଅପରାହ୍ନ ୫ଟା ୪୦ ମିନିଟ୍‌ ବେଳେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ୧୦୪ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି। ବୟସାଧିକ୍ୟ ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତିନି ଦିନ ତଳେ ତାଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ପରଲୋକ ପରେ ଭଦ୍ରକ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଗୌରବାବୁଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଭଦ୍ରକ ମେଡିକାଲ ପରିସରରେ ତାଙ୍କର ଶୁଭେଚ୍ଛୁ, ପରିବାର ଓ ଜ୍ଞାତିକୁଟୁମ୍ବଙ୍କର ଭିଡ଼ ଜମିଥିଲା। ୧୯ ଜୁନ୍‌ ୧୯୧୫ରେ ଜନ୍ମିତ ଗୌରଚନ୍ଦ୍ର ପିଲାଟି ଦିନରୁ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ୧୯୩୪ ମସିହା ଜୁନ୍‌ ୭ ତାରିଖରେ ଗାନ୍ଧିଜୀ ତାଙ୍କର ହରିଜନ ପଦଯାତ୍ରାରେ ଭଦ୍ରକ ଆସିଥିବାବେଳେ ଗୌରଚନ୍ଦ୍ର ଗାନ୍ଧୀଙ୍କ ପାଖକୁ ଯାଇ ତାଙ୍କୁ ପଚାରିଥିଲେ, ଆପଣ ଈଶ୍ୱରକୁ ଦେଖିଛନ୍ତି କି? ଗୌରଚନ୍ଦ୍ରଙ୍କର ଏଭଳି ପ୍ରଶ୍ନରେ ଗାନ୍ଧୀଜୀ ଅତ୍ୟନ୍ତ ପ୍ରୀତ ହୋଇ ଗୌରଚନ୍ଦ୍ରଙ୍କୁ ପାଖକୁ ଡାକି ତାଙ୍କ ପିଠି ଆଉଁସି ଦେଇ କହିଥିଲେ, ଈଶ୍ୱରଙ୍କର ସତ୍ତା ସବୁଠି ଅଛି। ସେଦିନ ଗାନ୍ଧୀଙ୍କ ସହ ଏଇ କେଇପଦ କଥା ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଗୌରଚନ୍ଦ୍ର ଗାନ୍ଧୀଙ୍କ ଡାକରା ଏବଂ ନିଜ ବଡ଼ଭାଇ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କର ପ୍ରେରଣାରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ। ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ସେ ଦୁଇ ବର୍ଷ ବ୍ରହ୍ମପୁର ଜେଲରେ ବିତାଇଥିଲେ। ଯେଉଁ ଜେଲ ପ୍ରକୋଷ୍ଠରେ ସହିଦ୍‌ ଲକ୍ଷ୍ମଣ ନାୟକ ବନ୍ଦୀ ଜୀବନ ବିତାଉଥିଲେ, ସେଇ ପ୍ରକୋଷ୍ଠରେ ଗୌରଚନ୍ଦ୍ର ମଧ୍ୟ ଥିଲେ। ଯେଉଁଦିନ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା, ସେଦିନ ରାତିରେ ଅନ୍ୟ ସଂଗ୍ରାମୀମାନଙ୍କ ସହ ଗୌରଚନ୍ଦ୍ର ମଧ୍ୟ ଖାଦ୍ୟ ଗ୍ରହଣ କରି ନ ଥିଲେ। ଜେଲରୁ ମୁକୁଳିବା ପରେ ଗୌରଚନ୍ଦ୍ର ସାରା ଜୀବନ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ। ସ୍ୱାଧୀନତା ପରେ ୧୯୫୪ରୁ ୧୯୭୮ ମସିହା ଯାଏ ଶିକ୍ଷକତା କରିଥିଲେ। ସେ ମଧ୍ୟ ଜଣେ ଲେଖକ ଭାବେ ବେଶ୍‌ ପରିଚିତ ଥିଲେ। ଡଗର ପତ୍ରିକା ତାଙ୍କର ଭଦ୍ରକ ଘରୁ ପ୍ରକାଶ ପାଉଥିଲାଶାସନର ଚକ ତଳେ, ସେଇ ଦେଶ ମୋ ଘର, ସେବାସଂଘ, ଗାଁ ମାଟି ଡାକ, କିଛି ଅଭୁଲା ସ୍ମୃତି ଆଦି ପୁସ୍ତକ ସେ ରଚନା କରିଥିଲେ।

ଗୌରବାବୁଙ୍କର ପରଲୋକ ହେବା ଖବର ପ୍ରଚାରିତ ହେବା ପରେ ବରିଷ୍ଠ ରାଜନେତା, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମ୍ବାଦିକ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ୱର୍ଗତ ମହାପାତ୍ରଙ୍କର ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ମୀରା ମହାପାତ୍ର, ପୁଅ ବରିଷ୍ଠ ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର, ପ୍ରଭୁକଲ୍ୟାଣ ମହାପାତ୍ର, ଉମାକଲ୍ୟାଣ ମହାପାତ୍ରଙ୍କ ସମେତ ଅନ୍ୟ ପୁତ୍ର ଓ ପୁତ୍ରବଧୂମାନେ ଉପସ୍ଥିତ ଥିଲେ। ରାତିରେ ତାଙ୍କର ମରଶରୀରକୁ ହସ୍ପିଟାଲରୁ ତାଙ୍କର ଭଦ୍ରକ ନୂଆବଜାରସ୍ଥିତ କୁନ୍ତ କୁଟୀରକୁ ନିଆଯାଇଛି। ଆସନ୍ତାକାଲି ତାଙ୍କର ଅନ୍ତିିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

ବିଭିନ୍ନ ମହଲରେ ଶୋକ
ଭୁବନେଶ୍ୱର: କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କନିଷ୍ଠ ପୁତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌର ଚନ୍ଦ୍ର ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ୱର୍ଗତଃ ମହାପାତ୍ର ଜଣେ ସଚ୍ଚା ଗାନ୍ଧୀବାଦୀ ନେତା ଥିଲେ ଏବଂ ତାଙ୍କର ସମଗ୍ର ଜୀବନକୁ ସମାଜସେବାରେ ଉତ୍ସର୍ଗ କରିଥିଲେ। ସ୍ୱାଧୀନତା ଆନ୍ଦୋଳନର ଶେଷ ସ୍ତମ୍ଭକୁ ଆମେ ହରାଇଲୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ସେହିଭଳି ସଂଗ୍ରାମୀ ଗୌରଚନ୍ଦ୍ରଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଭଲ ମଣିଷମାନେ ଧୀରେ ଧୀରେ ଧରାପୃଷ୍ଠରୁ ଚାଲି ଯାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି। ସ୍ୱର୍ଗତଃ ଗୌରଚନ୍ଦ୍ର କେବଳ ଜଣେ ଭଲ ମଣିଷ ନ ଥିଲେ, ସେ ଜଣେ ଆଦର୍ଶ ସଂଗଠକ ଥିଲେ। ସ୍ୱର୍ଗତଃ ଗୌରଚନ୍ଦ୍ରଙ୍କ ବିୟୋଗରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ଓ ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର