ସ୍ବର୍ଗତ ରଣଜିତ ଗୁରୁଙ୍କ ବ୍ୟକ୍ତିତ୍ବକୁ ଔଜ୍ଜ୍ବଲ୍ୟ ପ୍ରଦାନ କରିବା ଲାଗି ଅସୁମାରି ବିଶେଷଣର ଧାଡ଼ି। ତରୁଣଙ୍କ ଲାଗି ସେ ଥିଲେ ଓଡ଼ିଆ ସାମ୍ବାଦିକତାର ‘ଗୁରୁ’, ଏକଲବ୍ୟମାନଙ୍କ ଲାଗି ‘ମାଟିର ଦ୍ରୋଣ’। ତାଙ୍କ ସ୍ତମ୍ଭ ‘ଅପ୍ରସଙ୍ଗ’ ଥିଲା ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାର ମୁଖ୍ୟ ପ୍ରସଙ୍ଗ। ଟେଲିଭିଜନ୍ ଚର୍ଚ୍ଚାରେ ଶ୍ରୀ ଗୁରୁଙ୍କ ଶାଣିତ ସ୍ବର ପହଞ୍ଚୁଥିଲା ରାଜ୍ୟର କୋଣ ଅନୁକୋଣ। ତାଙ୍କ ଶବ୍ଦ ଓ ସ୍ବରରେ ବାରି ହୋଇପଡୁଥିଲା ଦରିଦ୍ରଙ୍କ ଦୀର୍ଘଶ୍ବାସ, କୃଷକଙ୍କ କ୍ଳେଶ ଓ କ୍ଷମତା ରାଜନୀତିର ଅନାସକ୍ତ ବ୍ୟବଚ୍ଛେଦ। ସେ ଥିଲେ ସମସ୍ତଙ୍କର ପ୍ରିୟ; ଅଧ୍ୟବସାୟର ଉଦାହରଣ ଓ ସଂଭ୍ରମତାର ସ୍ବରୂପ। ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନକୁ ସେ ତାଙ୍କର ଅଗ୍ରାଧିକାର ତାଲିକାର ଶୀର୍ଷତମ ସ୍ଥାନରେ ସର୍ବଦା ରଖି ଆସିଥିଲେ ଏବଂ ରଖିଥିଲେ ଜୀବନର ଶେଷକ୍ଷଣ ପର୍ଯ୍ୟନ୍ତ। ତାଙ୍କର ଆକସ୍ମିକ ମହାପ୍ରସ୍ଥାନ ସାମ୍ବାଦିକତା ଜଗତରେ ଯେଉଁ ଶୂନ୍ୟତା ସୃଷ୍ଟି କରିଛି ତାହା ପୂରଣ ହେବା କଷ୍ଟକର।
ଦ୍ବାଦଶାହ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ‘ସମ୍ବାଦ’ର ଏହି ସ୍ବତନ୍ତ୍ର ଉପସ୍ଥାପନା।
ମୃତ୍ୟୁ ଆଜି ଲଜ୍ଜିତ: ଗୌରହରି ଦାସ
ଭଲ କାମ ଅବିନଶ୍ବର ଆତ୍ମା ପରି, ଯାହାକୁ ନିଆଁ, ପାଣି କି ପବନ ନଷ୍ଟ କରିପାରେ ନାହିଁ। ତାହା ସର୍ବଦା ସ୍ମରଣରେ ରହେ। ବନ୍ଧୁ ରଣଜିତ୍ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ବାଢ଼ିବାକୁ ବସିବାବେଳେ ଏଇ କଥାଟି ସବାଆଗେ ମନକୁ ଆସୁଛି। ମଣିଷ ଚିରଦିନ ବଞ୍ଚିରହନ୍ତା ନାହିଁ। ଜୀବନର ସ୍ବପ୍ନ ଶରୀରର ଅମରତ୍ବ ନୁହେଁ, କର୍ମର ଅମରତ୍ବ। କର୍ମ ବଞ୍ଚିଥିବା ଯାଏ ବ୍ୟକ୍ତି ବଞ୍ଚି ରହେ। ରଣଜିତ୍ ଗୁରୁ ତାଙ୍କର କର୍ମ ଲାଗି ବଞ୍ଚି ରହିବେ। ତାଙ୍କର ‘ଅପ୍ରସଙ୍ଗ’ ସ୍ତମ୍ଭର ଲେଖାଗୁଡ଼ିକ ସବୁଦିନେ ପ୍ରାସଙ୍ଗିକ ହୋଇ ରହିଥିବ। ଚଉଠ ଶତାବ୍ଦୀର ଓଡ଼ିଶା ରାଜନୀତି ଓ ସମାଜନୀତିକୁ ବୁଝିବାଲାଗି ଚାହୁଥିବା ଗବେଷକଙ୍କ ଲାଗି ତାହା ସହାୟକ ହୋଇ ରହିଥିବ। ମୃତ୍ୟୁକୁ ପଦେ କହିବାକୁ ମନ ହେଉଛି। କାହାକୁ ସେ ଜୀବନ ଫେରାଇ ଦିଏ ନାହିଁ ବୋଲି କ୍ଷମାହୀନ ମୃତ୍ୟୁର ବଡ଼ ଗର୍ବ। ମାତ୍ର ସେଇ ମୃତ୍ୟୁ ଆଜି ବଡ଼ ଲଜ୍ଜିତ ଅନୁଭବ କରୁଥିବ। ଆପଣଙ୍କୁ ନେଇ ସୁଦ୍ଧା ନେଇପାରି ନାହିଁ। ଆପଣ ଜିତିଛନ୍ତି, ମରଣ ପରେ ଜିଇ ରହିଛନ୍ତି ଓ ଜିଇ ରହିବେ। ମୃତ୍ୟୁ ଏକ ଦର୍ପଣ, ଯୋଉଥିରେ ଆମର ପ୍ରକୃତ ଛବି ପ୍ରତିଫଳିତ ହୁଏ, ଆମେ ତାହା ଦେଖିବାଲାଗି ନ ଥାଉ, ତାହା ଅନ୍ୟମାନେ ଦେଖନ୍ତି। ରଣଜିତ୍ ବାବୁ! ଆକସ୍ମିକ ଭାବେ ଆପଣ ଚାଲିଯିବେ ବୋଲି କେହି କଳ୍ପନା କରି ନ ଥିଲେ। ହଠାତ୍ ଚାଲିଗଲେ। ଟିକେ ଡେରିରେ ହେଉପଛେ ମୁଁ ବି ଯାଇ ସେଇଠି ପହଞ୍ଚିବି, ଯୋଉଠି ଥିଲେ ବି ଆପଣଙ୍କୁ ଖୋଜିନେବି, ଦିନେ ସମ୍ବଲପୁର ଷ୍ଟେସନ୍ର ପ୍ଲାଟ୍ଫର୍ମରେ ଆପଣଙ୍କୁ ଖୋଜିନେବା ପରି।
ପ୍ରିୟ ଛାତ୍ର : ଶୁକଦେବ ନନ୍ଦ
ରଣଜିତ ଥିଲେ ଜଣେ ସୁସ˚ସ୍କାରୀ ଛାତ୍ର, ଶିକ୍ଷକମାନଙ୍କ ପ୍ରତି ତାଙ୍କର ସମ୍ମାନବୋଧ ଥିଲା ଉଚ୍ଚ। କେବଳ ଯେ ତାଙ୍କ ନିଜ ଶିକ୍ଷକଙ୍କୁ ସମ୍ମାନ କରୁଥିଲେ ତାହା ନୁହେଁ, ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ସେ ସମ୍ମାନ ଦେଉଥିଲେ। ଜଣେ ଉତ୍ସାହୀ ଛାତ୍ର ହିସାବରେ ଶ୍ରେଣୀ କକ୍ଷର ପାଠପଢ଼ା ବାହାରେ ଶିକ୍ଷକମାନଙ୍କୁ ଅଲଗା ଅଲଗା ଭେଟି ପାଠ ଆଲୋଚନା କରୁଥିଲେ। ତାଙ୍କର ନିୟମିତ ଲାଇବ୍ରେରି ଯିବା ଅଭ୍ୟାସ ଥିଲା। ସେ ସମୟ ନଷ୍ଟ କରୁନଥିଲେ। ଛାତ୍ର ରାଜନୀତିରେ ମଧୢ ସେ ସକ୍ରିୟ ଥିଲେ। ରାଜନୀତିରେ ସକ୍ରିୟ ଥିବା କେତେକ ଛାତ୍ରଙ୍କର ଶୃଙ୍ଖଳା ପ୍ରତି ବିଶେଷ ଶ୍ରଦ୍ଧା ନ ଥାଏ । ମାତ୍ର ଭଦ୍ର ଓ ଧୀର ସ୍ବଭାବର ରଣଜିତଙ୍କ ସ˚ସ୍କାର ସେମାନଙ୍କଠାରୁ ଥିଲା ଭିନ୍ନ। ରଣଜିତଙ୍କ ଚରିତ୍ରର ଗୋଟିଏ ଉଲ୍ଲେଖନୀୟ ଦିଗ ଥିଲା ତାଙ୍କର ନିଷ୍ଠାପରତା ଓ ପ୍ରତିବଦ୍ଧତା। ଆମ ବିଭାଗରେ ଯେ କୌଣସି ଦାୟିତ୍ବ ତାଙ୍କୁ ଦେଲେ ସେ ଠିକ୍ ଭାବରେ ତାର ସମ୍ପନ୍ନ କରୁଥିଲେ। ନେତୃତ୍ବର ଗୁଣ ତାଙ୍କଠାରେ ସ୍ପଷ୍ଟ ଦେଖା ଦେଉଥିଲା। ତାଙ୍କ ସାମ୍ବାଦିକତା ଥିଲା ମୂଲ୍ୟବୋଧ ଭିତ୍ତିକ-ରୀତିମତ ଗବେଷଣା ପ୍ରସୂତ ଓ ତଥ୍ୟ ସମ୍ବଳିତ। ତାଙ୍କର ଲେଖାଗୁଡ଼ିକ ଦେଖିଲେ ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସି ହେଉଥିଲି। ଅନେକ ସମୟରେ ତାଙ୍କ ସହିତ ସେ ସମ୍ପର୍କରେ ଟେଲିଫୋନରେ କଥାବର୍ତ୍ତା କରୁଥିଲି। ସେ ଆହୁରି ବହୁତ ବଡ଼ ହୋଇଥାନ୍ତେ, ଆହୁରି ଅଧିକ ସୁନାମ ଲାଭ କରିପାରିଥାନ୍ତେ। ମାତ୍ର ଶ୍ରୀଜଗନ୍ନାଥ ତାଙ୍କୁ ନିଜର ଚରଣ କମଳକୁ ଟାଣିନେଲେ। ଶ୍ରୀ ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ତାଙ୍କ ପରିବାରକୁ ଏ ଦାରୁଣ ଦୁଃଖ ସହିବାର ଶକ୍ତି ଓ ସାହସ ଦିଅନ୍ତୁ।
ତୁମେ ଅଛ: ଭାଗୀରଥି ମିଶ୍ର
ତୁମ ସହ ପ୍ରାୟ ୪୫ ବର୍ଷର ପାରିବାରିକ ସ˚ପର୍କ। ଆମେ ଏକା ବର୍ଷ ଓ ମାସରେ ଜନ୍ମ ହେଲେ। ପାଠ ପଢ଼ାରେ ମୋ’ଠୁ ବର୍ଷେ ତଳେ ତୁମେ। ବହୁ ସମୟ ବିତିଛି ଆମର ନିବିଡ଼ ଭାବରେ, ଅନ୍ତରଙ୍ଗ ବନ୍ଧୁ ଭଳି। କେତେ ଉନ୍ମୁକ୍ତ ତୁମ ସର୍ଜନାର ପୃଥିବୀ। ବ୍ୟକ୍ତି ଭାବରେ ତୁମେ ଯେତିକି ଭାବପ୍ରବଣ ଓ ସମ୍ବେଦନଶୀଳ, ସାମ୍ବାଦିକ ଭାବେ ସେତିକି ବସ୍ତୁନିଷ୍ଠ ଓ ବିଷୟାଶ୍ରିତ। ନିଜକୁ ଅବହେଳା କରି ପରିବାର ଓ ଆତ୍ମୀୟଙ୍କ ପ୍ରତି, ବୃତ୍ତି ପ୍ରତି ଏବ˚ ‘ସମ୍ବାଦ’ ପ୍ରତି ତୁମର ଗଭୀର ଆନୁଗତ୍ୟ ମୋତେ ସର୍ବଦା ଆଶ୍ଚର୍ଯ୍ୟ କରିଛି। ହୁଏତ ଆଉ କିଛି ବର୍ଷ ତୁମର ସାନ୍ନିଧୢ ମିଳିଥାନ୍ତା। ବାପାଙ୍କ ମାନସିକ ପୂରଣ ପାଇଁ ତୁମେ ଯେଉଁ ଈଶ୍ବରଙ୍କ ପୂଜାର୍ଚ୍ଚନା କଲ, ସେ ଈଶ୍ବର ଏତେ ପ୍ରୀତ ହେଲେ ଯେ, ତୁମକୁ ନିଜର କରିନେଲେ। ଲାଗେ, ସବୁକିଛି ପୂର୍ବ ନିର୍ଦ୍ଧାରିତ। ନହେଲେ ତୁମର ଶାରୀରିକ ଅବସ୍ଥା ଓ ଆବଶ୍ୟକ ସ˚ଯମତାକୁ ଗୁରୁତ୍ବ ନ ଦେଇ ତଥାକଥିତ ପୂଜାର୍ଚ୍ଚନାରେ ମଜ୍ଜିଥାନ୍ତ ତୁମେ? ଦୀର୍ଘ ସତର ଦିନର କଷଣ ସହିଥାନ୍ତ? ହେଉ, ସ୍ବଦେହରେ ସିନା ତୁମେ ନାହଁ। ଆମ ସହ ତୁମେ ଅଛ ଦିଲୁ ଦାଦା, ଥିବ, ରହିଥିବ!
ଶ୍ରଦ୍ଧାଞ୍ଜଳି: ଅସିତ ମହାନ୍ତି
ନାଆଁ ତାଙ୍କର ‘ରଣଜିତ’। କିନ୍ତୁ କେବେ କାହା ସହିତ ସେ ‘ରଣ’ କରିିଥିବା ମୁଁ ଜାଣିନାହିଁ। ଏଣୁ ହାର ବା ଜିତ୍ର ପ୍ରଶ୍ନ ବା ଉଠୁଛି କେଉଁଠୁ! ବର˚ ନିଜର ଆଚରଣରେ ସେ ଅନେକଙ୍କର ହୃଦୟ ଜିଣିଥିବା ମୁଁ ଜାଣେ। ରଣଜିତବାବୁଙ୍କର ମାନବଜ୍ଞାନର ବିବିଧ ବିଷୟରେ ଅବଗାହନ ଥିଲା। କାରଣ ‘ସମ୍ବାଦ’ର ସ˚ପାଦକୀୟ ପୃଷ୍ଠାର ସ˚ପାଦକ ଭାବରେ ‘ସମ୍ବାଦ ଭବନ’ର ତାଙ୍କ ଛୋଟ କାଚଘରଟି ଭିତରେ ସେ ପ୍ରତିଦିନ ପ୍ରାୟ ନଅ-ଦଶ ଘଣ୍ଟା ବିତାଉଥିଲେ। ସେହି ସମୟ ଥିଲା ପୂର୍ଣ୍ଣ ଭାବରେ ତାଙ୍କ ଲେଖା ଓ ପଢ଼ାର ସମୟ। ତା’ ସହିତ ସେ ‘ସମ୍ବାଦ’ର ସ˚ପାଦକୀୟ ପୃଷ୍ଠା ଓ ଅନ୍ୟାନ୍ୟ ବିଶେଷ ସ˚ଖ୍ୟା ପାଇଁ ଅନ୍ୟମାନଙ୍କର ଉପଯୋଗ ବି ଦକ୍ଷତାର ସହ କରୁଥିଲେ। ଏହା ମୋର ଅତି ଅନ୍ତରଙ୍ଗ ଅନୁଭବ। ତାଙ୍କର ଏହି ସୁଗୁଣ ଫଳରେ କେବଳ ଯେ ‘ସମ୍ବାଦ’ ସମୃଦ୍ଧ ହୋଇଛି ତାହା ନୁହେଁ, ବ୍ୟକ୍ତିଗତ ଭାବରେ ମୁଁ ମଧୢ ଅନେକ ଉପକୃତ ହୋଇଛି। ଏଣୁ ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି।
ସ୍ନେହର ଛାତ୍ର: ଆଦିତ୍ୟ ପାଢୀ
ରଣଜିତ ଗୁରୁ ମୋର ପ୍ରିୟ ଏବଂ ସ୍ନେହର ଛାତ୍ର ଥିଲେ। ନିଜର ଅଧ୍ୟବସାୟ ବଳରେ ସାମ୍ବାଦିକତା କ୍ଷେତ୍ରରେ ଅନେକ ଉପରକୁ ଯାଇ ପାରିଥିଲେ। ତାଙ୍କ ବ୍ୟବହାର ଏଭଳି ଥିଲା ଯେ ସହପାଠୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ଅତ୍ୟନ୍ତ ଖୁସି ଥିଲେ। ତାଙ୍କ ବିୟୋଗରେ ଓଡ଼ିଶାର ଅପୂରଣୀୟ କ୍ଷତି ହେଲା। ଏଥିସହିତ ବ୍ୟକ୍ତିଗତ ଭାବରେ ମଧ୍ୟ ମୁଁ କ୍ଷତିଗ୍ରସ୍ତ ହୋଇଛି। କାରଣ ସେ ମତେ ଅତ୍ୟନ୍ତ ସମ୍ମାନ କରୁଥିଲେ ଏବଂ ମୁଁ ମଧ୍ୟ ତାଙ୍କୁ ଅତି ସ୍ନେହ କରୁଥିଲି। ତାଙ୍କ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରୁଛି।
ଅଙ୍ଗୀକାରବଦ୍ଧ: ମଣୀନ୍ଦ୍ର କୁମାର ମେହେର
ଓଡ଼ିଶାରେ ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ ପ୍ରକାଶନର ପ୍ରଥମ ପର୍ଯ୍ୟାୟରେ ଶ୍ରୀଯୁକ୍ତ ରଣଜିତ ଗୁରୁ ଯାଇଥିଲେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ବରପାଲିକୁ। ‘ଭାଇ, ଗଙ୍ଗାଧରଙ୍କ ଘର କେଉଁଠି?’ ବୋଧହୁଏ ଏଇ ଶୀର୍ଷକରେ ପ୍ରକାଶ ପାଇଥିଲା ତାଙ୍କର ନୂତନ ଶୈଳୀର ଉପସ୍ଥାପନା। ସେତେବେଳେ ତାହା ଆଲୋଡ଼ନ ସୃଷ୍ଟି କରିଥିଲା ପାଠକମାନଙ୍କ ହୃଦୟରେ। ସେଦିନଠାରୁ ଶ୍ରୀଯୁକ୍ତ ଗୁରୁଙ୍କ ସହିତ ଯେଉଁ ହାର୍ଦ୍ଦିକ ସମ୍ପର୍କ ସ୍ଥାପିତ ହୋଇଥିଲା ତାହା ତାଙ୍କର ଶେଷ ବିଦାୟ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ହୋଇ ରହିଥିଲା। ତାଙ୍କର ତୀକ୍ଷ୍ଣ ଦୃଷ୍ଟିଭଙ୍ଗୀ ଓ ବିଚାର ଶକ୍ତି ଥିଲା। ବ୍ୟସ୍ତତା ଭିତରେ ଫୋନ୍ ଦ୍ବାରା ବେଳେବେଳେ ଆଳାପ ହେଉଥିଲା। ସେ ସବୁ ଥିଲା ଅତ୍ୟନ୍ତ ଆନ୍ତରିକ। ତାଙ୍କଠାରେ କିଡ୍ନି ପ୍ରତିରୋପଣ ହୋଇଥିଲା ବୋଲି ଜାଣିଥିଲେ ବି ସେ ଦୀର୍ଘାୟୁ ହେବେ ବୋଲି ମୋର ଧାରଣା ଥିଲା। କାରଣ ନିଜ ଅସୁସ୍ଥତା ସମ୍ପର୍କରେ ସେ କେବେହେଲେ ସାମାନ୍ୟ ସୂଚନା ମଧୢ ଦେଉ ନଥିଲେ। ନିଜ କର୍ତ୍ତବ୍ୟ ପ୍ରତି ଅଙ୍ଗୀକାରବଦ୍ଧ ଏପରି ସାମ୍ବାଦିକ ବାସ୍ତବରେ ବିରଳ। ତାଙ୍କର ଦେହାବସାନର ଖବର ଆକସ୍ମିକ ଭାବରେ ଶୁଣି ମର୍ମାହତ ହେବା ଥିଲା ସ୍ବାଭାବିକ। ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନର ସାମାନ୍ୟ ସୁଯୋଗ ମଧୢ ସେ ଦେଉ ନଥିଲେ। ସେଥିପାଇଁ ମୋର କୃତଜ୍ଞ ହୃଦୟର ଶ୍ରଦ୍ଧା, ସମ୍ମାନ ଛାତି ଭିତରେ ଅପ୍ରକଟିତ ହୋଇ ରହିଯାଉଥିଲା। ଆଜି ତାହା ବିନ୍ଦୁ ବିନ୍ଦୁ ଲୋତକରେ ପରିଣତ ହୋଇ ତାଙ୍କ ଜୀବନ୍ତ ଚିତ୍ର ଆଗରେ ରୂପାନ୍ତରିତ ହୋଇଯାଉଛି ଛୋଟ ଛୋଟ ଗଙ୍ଗଶିଉଳି ଫୁଲରେ!
ଗାମ୍ଭୀର୍ଯ୍ୟର ସୌନ୍ଦର୍ଯ୍ୟ: ଅଭିରାମ ବିଶ୍ବାଳ
ଜଣେ ବରିଷ୍ଠ ପତ୍ରକାର ଓ ସ୍ତମ୍ଭକାର ଭାବେ ଶ୍ରୀଯୁକ୍ତ ରଣଜିତ ଗୁରୁଙ୍କ ମତାଦର୍ଶ ଗତ ଆଭିମୁଖ୍ୟ କ’ଣ ତାହା ୨୩.୦୭.୧୯ ‘‘ସମ୍ବାଦ’’ରେ ପ୍ରକାଶିତ ତାଙ୍କ ଶେଷ ଲେଖା ‘‘ବିରୋଧର କଳା ଓ ବିରୋଧୀଙ୍କ ପରିଚୟ ସଙ୍କଟ’’ରୁ ଜାଣିହୁଏ। ସେଥିରେ ସିଏ ଲେଖିଥିଲେ ଗଣତନ୍ତ୍ରରେ ବିରୋଧ ଓ ବିରୋଧୀ ନ ଥିଲେ ଏବ˚ ବିରୋଧ ଓ ବିରୋଧୀ ପ୍ରତି ସମ୍ମାନ ନ ଥିଲେ ତାହା ଗଣତନ୍ତ୍ର ପାଇଁ ସୁସ୍ଥ ସଙ୍କେତ ନୁହେଁ। ଜାତୀୟସ୍ତରରେ ଯେଉଁ କେତେ ଜଣଙ୍କ ବିରୋଧର କଳା ତାଙ୍କୁ ପ୍ରଭାବଶାଳୀ ଲାଗିଛି ସେମାନଙ୍କ ନାମ ଉଲ୍ଲେଖ କରି ସିଏ ଲେଖିଛନ୍ତି ଏଇଭଳି- ରାମ ମନୋହର ଲୋହିଆ, ଜେ.ବି.କୃପାଳିନୀ, ପିଲୁ ମୋଦୀ, ଫିରୋଜ ଗାନ୍ଧୀ, ଜର୍ଜ ଫର୍ଣ୍ଣାଣ୍ତିଜ୍, ମଧୁ ଦଣ୍ତବତେ, ଗୁରୁପଦ ସ୍ବାମୀ, ଅଟଳ ବିହାରୀ ବାଜପେୟୀ, ଜୟପାଲ୍ ରେଡ୍ଡି, ଇନ୍ଦ୍ରଜିତ ଗୁପ୍ତା ଓ ସୋମନାଥ ଚାଟାର୍ଜୀ। ଏବେ ତାର ପୃଷ୍ଠଭୂମିରେ ରଣଜିତଙ୍କ ସେ ଗୁରୁ ଗମ୍ଭୀର ମନ୍ତବ୍ୟର ସୌନ୍ଦର୍ଯ୍ୟ ଠଉରେଇ ହେଉଛି। ଶ୍ରୀଯୁକ୍ତ ରଣଜିତ ଗୁରୁ ଚାଲିଯିବା ପରେ ସିଏ ପ୍ରାୟ ୩୫ ବର୍ଷ ଧରି କାମ କରିଥିବା ଖବରକାଗଜର ମୁଖ୍ୟ ସୌମ୍ୟବାବୁ ତାଙ୍କୁ ଅଜାତଶତ୍ରୁ, ଅପବାଦମୁକ୍ତ, ଅନୁକରଣୀୟ ଓ ବଡ଼ପୁଅ ଭଳିଆ ଅଭିହିତ କରିବାଠାରୁ ବଳି ବଡ଼ ଶ୍ରଦ୍ଧାଞ୍ଜଳି କିଛି ନ ଥାଇପାରେ।
ଏକାକୀ ଅଶ୍ବାରୋହୀ: ସ୍ବରାଜ ମିଶ୍ର
ସୀମିତ ଏ ଜୀବନକାଳ ଭିତରେ ଯଥାସମ୍ଭବ କର୍ତ୍ତବ୍ୟନିଷ୍ଠ ଓ ଶ୍ରଦ୍ଧାଶୀଳ ଜୀବନଟିଏ ଜିଇବା ତାଙ୍କର ଲକ୍ଷ୍ୟ ଥିଲା। ତାହା ସେ କରିଛନ୍ତି। ସୁଖଦୁଃଖ, ଆଶାନିରାଶାର ଘନଘଟା ଭିତରେ ନିଜର ସନ୍ତୁଳନ ବା ଆତ୍ମବିଶ୍ବାସ ହରାଇ ନାହାନ୍ତି। ଜୀବନର ଯାହାକିଛି ଅସମାହିତ ଦ୍ବନ୍ଦ୍ବ, ତାକୁ ନିଜ ଆଚରଣ ବା ଉଚ୍ଚାରଣରେ ଫୁଟିବାକୁ ନ ଦେଇ ନିଜ ହୃଦୟ ଭିତରେ ସମାହିତ କରିବାକୁ ଚେଷ୍ଟା କରିଛନ୍ତି ସେ। ଏହି ଅନ୍ତର୍ମୁଖୀ ମଣିଷଟି ଏବେ ହଠାତ୍ ଅନ୍ତର୍ହିତ ହୋଇଯାଇଛନ୍ତି ଆମ ଗହଣରୁ। ଅଗଷ୍ଟ ୧୮ ତାରିଖ ସକାଳୁ ଲାଗି ରହିଥିଲା ଝିପ୍ ଝିପ୍ ବର୍ଷା। ହଠାତ୍ ବର୍ଷା ଥମିଗଲା। ବାଦଲ ଫାଙ୍କରୁ ମୁହଁ ଉଠାଇ ସୂର୍ଯ୍ୟ ଢାଳିଦେଲେ ସୁବର୍ଣ୍ଣ କିରଣ। ଲାଗିଲା ଏ ଖରାବର୍ଷାର ଖେଳ ଭିତରେ ଇନ୍ଦ୍ରଧନୁଟିଏ ଯେମିତି ଉଇଁ ଆସୁଛି। ଖରାବର୍ଷା ଓ ସୁଖଦୁଃଖର ବିରୋଧାଭାସ ଭିତରେ ଜୀବନର ସପ୍ତରଙ୍ଗ ଝଲସି ଉଠୁଛି। ଆଉ ତା’ରି ଭିତରେ ଘୋଡ଼ା ଝପଟେଇ ବହୁଦୂରକୁ ଚାଲିଯାଉଛନ୍ତି ଜୀବନଯୁଦ୍ଧରେ କେବେ ବି ହାର୍ ମାନି ନ ଥିବା ଆମସମୟର ଜଣେ ଦୁର୍ଦ୍ଧର୍ଷ, ଅବଦମିତ ଯୋଦ୍ଧା, ଏକାକୀ ଅଶ୍ବାରୋହୀ, ସମର୍ପିତ ସାମ୍ବାଦିକ ରଣଜିତ ଗୁରୁ।