ବୁର୍ଲା: କବି ଗଙ୍ଗାଧର ସମସାମୟିକ ସାମାଜିକ ସାଂସ୍କୃତିକ ଜୀବନ, ବିଜ୍ଞାନ କୌଶଳ ତଥା ଐତିହାସିକ ଘଟଣାକ୍ରମ ପ୍ରତି ବେଶ୍ ସଚେତନ ଥିଲେ ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଜ୍ୟୋତିବିହାର ସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଅନୁଷ୍ଠିତ ସ୍ବଭାବ କବି ଗଂଗାଧର ମେହେର ଜୟନ୍ତୀ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଉତ୍ସବରେ କଳହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଲେ ଯେ, ମାନବୀୟ ଆବେଗ ଓ ସହଯୋଗପଣ ମଣିଷକୁ ପ୍ରକୃତ ପ୍ରତିଷ୍ଠା ଦେଇଥାଏ। ଅସୁବିଧାରେ ଥିବା ମଣିଷ ପାଖକୁ ସହାୟତାର ହାତ ବଢ଼ାଇ ପାରିଲେ ତାହା ଈଶ୍ବରଙ୍କ ସେବାଠୁ ମଧ୍ୟ ଅଧିକ ଅର୍ଥପୂର୍ଣ୍ଣ ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଫେସର୍ ଶତପଥୀ ଗଂଗାଧରଙ୍କ କବିତାର ମାନବୀୟ ଦିଗ ଉପରେ ଆଲୋଚନା କରିଥିଲେ। ସେ ଆହୁରି କହିଲେ ଯେ, ଗଙ୍ଗାଧରଙ୍କ କାବ୍ୟ କବିତାର ଦର୍ଶନ ସମଗ୍ର ବିଶ୍ବକୁ ମଧୁମୟ ରୂପେ ଦିଗଦର୍ଶନ ଦେଉଥିବ।
ସମ୍ବଲପୁର ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ସଂଯୁକ୍ତା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ଦାଶ କହିଲେ, ଗଙ୍ଗାଧର ମେହେର ଯଦିଓ ବହୁ କାଳଜୟୀ କଥା କହି ଯାଇଛନ୍ତି, ତଥାପି ଅନେକ ଅକୁହା ରହିଯାଇଛି। ସେ କହିବାକୁ ଚାହି କହିପାରି ନଥିବା ପ୍ରସଙ୍ଗକୁ ବୁଝିବା ପାଇଁ ଗଙ୍ଗାଧର ସାହିତ୍ୟର ଗଭୀର ଅନୁଶୀଳନ ଆବଶ୍ୟକ ବୋଲି ଶ୍ରୀ ଦାଶ କହିଥିଲେ। ଗଙ୍ଗାଧର ସାହିତ୍ୟର ଅନେକ ଅନାଲୋଚିତ ଦିଗ ଉପରେ ଆଲୋକପାତ କରି ସେ କବିଙ୍କ ଦୃଷ୍ଟିରେ ବିଭିନ୍ନ ଉପାଦାନର ବୈଶିଷ୍ଟ୍ୟ ପ୍ରତିପାଦନ କରିଥିଲେ। ଗଙ୍ଗାଧର ସମକାଳୀନ ଏକମାତ୍ର କବି ଯିଏ ନିଜ ଦୃଷ୍ଟିଭଙ୍ଗୀରେ ବିଜ୍ଞାନ ଓ ଆଧୁନିକତାକୁ ସର୍ବାଧିକ ଗୁରୁତ୍ବ ଦେଇଥିଲେ ବୋଲି ଶ୍ରୀ ଦାଶ କହିଥିଲେ।
ଏହି ଅବସରରେ ବିଗତ ତିନି ବର୍ଷ ପାଇଁ ସମ୍ମାନଜନକ ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନ ଏବଂ ଡ. ନୀଳମାଧବ ପାଣିଗ୍ରାହୀ ବାର୍ଷିକ ପୁରସ୍କାର ପ୍ରଦାନ କରା ଯାଇଥିଲା। ୨୦୧୯ ବର୍ଷ ପାଇଁ ଡ. ଗୌରହରି ଦାସ, ୨୦୨୦ ବର୍ଷ ପାଇଁ ଡ. ଶତ୍ରୁଘ୍ନ ପାଣ୍ଡବ ଏବଂ ୨୦୨୧ ବର୍ଷ ପାଇଁ ରାମକୃଷ୍ଣ ସାହୁଙ୍କୁ ଭାରତ ଚନ୍ଦ୍ର ନାୟକ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୧୯ ପାଇଁ ଭିକାରି ଚରଣ ପ୍ରଧାନ, ୨୦୨୦ ପାଇଁ ଡ. ସୁବାସ ମେହେର ଏବଂ ୨୦୨୧ ପାଇଁ ଡ.ଗୋବର୍ଦ୍ଧନ ସାହୁଙ୍କୁ ଡ. ନୀଳମାଧବ ପାଣିଗ୍ରାହୀ ବାର୍ଷିକ ସମ୍ମାନରେ ସମ୍ମାନିତ କରା ଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଗଙ୍ଗାଧର ଜୟନ୍ତୀ ଓ ଉପରୋକ୍ତ ସମ୍ମାନ ଜଡ଼ିତ ରହିଛି କହି ଭାରତ ଚନ୍ଦ୍ର ନାୟକଙ୍କ ଆତ୍ମଜୀବନୀ ‘ମୋର ପୂର୍ବସ୍ମୃତି କଥା’ରୁ ଦୃଷ୍ଟାନ୍ତ ଦେଇ ଗଙ୍ଗାଧରଙ୍କ ସରଳତା ଏବଂ ତାଙ୍କ ପ୍ରତି ଜୀବନୀ ଲେଖକଙ୍କ ରହିଥିବା ଗଭୀର ସମ୍ମାନ ସଂପର୍କରେ କହିଥିଲେ। ଅନ୍ୟ ସମ୍ବର୍ଦ୍ଧିତ ପ୍ରତିଭାମାନେ ମଧ୍ୟ ସମ୍ବର୍ଦ୍ଧନାର ଉତ୍ତରରେ ଗଙ୍ଗାଧରଙ୍କ ସାହିତ୍ୟ ଓ ଜୀବନ ସମ୍ବନ୍ଧରେ କହିଥିଲେ।
ଉତ୍ସବରେ ସପ୍ତର୍ଷିର ମେ’-ଜୁନ ଓ ଜୁଲାଇ-ଅଗଷ୍ଟ ସଂଖ୍ୟା ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଆରମ୍ଭରୁ ‘ସପ୍ତର୍ଷି’ର ପରିଚାଳନା ସମ୍ପାଦକ ଡ. ଗୋପୀନାଥ ବାଗ ଅତିଥି ପରିଚୟ ପ୍ରଦାନ କରିଥିଲେ। କୁଳସଚିବ ଡକ୍ଟର ନୃପରାଜ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉତ୍ସବରେ ଡ. ମୋହିତ ସ୍ବାଇଁ, ପଦ୍ମିନୀ ଦୋରା, ମମତା ସାହୁ, ଅରବିନ୍ଦ ପଣ୍ଡା, ପ୍ରାଣବନ୍ଧୁ ବଢେଇ, ହରିବନ୍ଧୁ ବେହେରାଙ୍କ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ‘ସପ୍ତର୍ଷି’ର ଅନ୍ୟତମ ସଦସ୍ୟ ଡ.ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଗ୍ରନ୍ଥଗାରିକ ଡକ୍ଟର ନୀଳ ରଞ୍ଜନ ବାରିକ ଏବଂ ଶ୍ରୀନିବାସ ପୁଆଲ ସହଯୋଗ କରିଥିଲେ।