ବିଶିଷ୍ଟ କଥାକାର ଗୌରହରି ଦାସ ପାଇଲେ ସମ୍ମାନଜନକ ଶାରଳା ପୁରସ୍କାର

ଭୁବନେଶ୍ବର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ପାଇଲେ ବିଶିଷ୍ଟ କଥାକାର ଡ. ଗୌରହରି ଦାସ। ଆଜି ଭୁବନେଶ୍ବରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଡ.ଦାସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।  ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ସୁଖ୍ୟାତ ହିନ୍ଦୀ କବି ତଥା କଥାକାର ଉଦୟନ ବାଜପାୟୀ ଯୋଗ‌ ଦେଇଥିଲେ। ‘ଇମ୍ଫା ଚାରିଟେବୁଲ୍‌ ଟ୍ରଷ୍ଟ’ର ଟ୍ରଷ୍ଟି ପାରମିତା ପଣ୍ଡା ଉପସ୍ଥିତ ଥିଲେ। ୨୦୧୮ରେ ଟାଇମ୍‌ପାସ୍‌ ପବ୍ଲିକେସନ ପକ୍ଷରୁ ପ୍ରକାଶିତ ଡ. ଦାସଙ୍କ ଗଳ୍ପ ସଂକଳନ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି ବୋଲି ‘ଇମ୍ଫା ଚାରିଟେବୁଲ୍‌ ଟ୍ରଷ୍ଟ’ ପକ୍ଷରୁ  ଘୋଷଣା କରାଯାଇଛି। ଏକ ସ୍ବତନ୍ତ୍ର ସାରସ୍ବତ ସମାରୋହରେ ଡ. ଦାସଙ୍କୁ ପୁରସ୍କାର ବାବଦକୁ ଉତ୍ତରୀୟ, ପ୍ରଶସ୍ତିପତ୍ର ଓ ଫଳକ ସହ ନଗଦ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି।

ଏହାବ୍ୟତୀତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତି ଓ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୨’  ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ଉଭୟଙ୍କୁ ‌ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଛି।

ଲେଖିବା ଏକ ଅବସର ବିନୋଦନ ନୁହେଁ, ବରଂ ଏହା ଏକ ଦାୟିତ୍ୱ। ଏହି ମାନସିକତା ଲେଖାରେ ପ୍ରତିଫଳିତ ହେବା ଦରକାର।

-କଥାକାର ଡ.ଗୌରହରି ଦାସ 

ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ . ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ପ୍ରତିଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ । ୧୯୮୦ ମସିହାରୁ ପ୍ରଦାନ କରାଯାଇଆସୁଥିବା ଶାରଳା ପୁରସ୍କାର ପରବର୍ତ୍ତୀ ସମୟରେ ଇଲା – ବଂଶୀଧର ପଣ୍ଡା କଳା ସମ୍ମାନ ଏହି ଗୌରବମୟ ପରମ୍ପରାରେ ସାମିଲ ହୋଇଥିବା ଇମ୍ପାକ୍ଟର ଟ୍ରଷ୍ଟି ପାରମିତା ପଣ୍ଡା କହିଛନ୍ତି ।

ସୂଚନାଯୋଗ୍ୟ ଯେ ଡ. ଦାସଙ୍କ ଗଳ୍ପ ସଂକଳନ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ରେ ୧୧ଟି ମନଛୁଆଁ ଗଳ୍ପ ସ୍ଥାନ ପାଇଛି। ଉପନ୍ୟାସ, ଗଳ୍ପ, ନାଟକ ଓ ସ୍ତମ୍ଭ ଆଦି ସାହିତ୍ୟର ପ୍ରତିଟି କ୍ଷେତ୍ରରେ ଡ. ଦାସ ସିଦ୍ଧହସ୍ତ। ସେ ୨୦୦୧‌ରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର, ୨୦୧୨ରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଥିଲେ। ଏହାସହ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ତାଙ୍କୁ ପୁସ୍ତକ ‘ଛେଳି ଚରେଇବାର ଦିନ’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପ୍ରଦାନ କରାଯାଇଛି। ଏଥିସହ ସେ ବିଭିନ୍ନ ଅନୁଷ୍ଠାନ ଦ୍ବାରା ମଧ୍ୟ ସମ୍ମାନିତ ହୋଇଛନ୍ତି। ଏହାବ୍ୟତୀତ ‘ସମ୍ବାଦ’ରେ ପ୍ରକାଶିତ ସ୍ତମ୍ଭ ‘ରାଜଧାନୀ ରାଜନୀତି’ ଓ ‘ଜୀବନର ଜଳଛବି’ ତାଙ୍କୁ ପାଠକଙ୍କ ନିକଟରେ ଅଧିକ ଲୋକପ୍ରିୟ କରାଇପାରିଛି।

ସମ୍ବନ୍ଧିତ ଖବର