୨୪ ଘଣ୍ଟାରେ ୧୨୦କି.ମି. ଦୌଡିଲେ ଗୌରବ, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ

ରାଉରକେଲା: ସ୍କୁଲ ଛାତ୍ର ଗୌରବଙ୍କର ଦୌଡରେ ବିଶ୍ବ ରେକର୍ଡ ନିଶା। କେବଳ ବିଶ୍ବ ରେକର୍ଡ ନୁହେଁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ସ୍ଥାନ ପାଇବା ସହ ଆଗାମୀ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ଆଜି ସକାଳ ୭ଟାରୁ ଉଦିତନଗର ପରେଡ ପଡିଆରେ ଦୌଡିବା ଆରମ୍ଭ କରିଛନ୍ତି। ଆସନ୍ତାକାଲି (ଗୁରୁବାର) ସକାଳ ୭ଟା ଅର୍ଥାତ୍‌ ୨୪ ଘଣ୍ଟା ମଧ୍ୟରେ ୧୨୦ ରୁ ଅଧିକ କିଲୋମିଟର ପର୍ଯ୍ୟନ୍ତ ଦୌଡିବେ।

ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗୌରବ ଆଜି ସକାଳ ସାଢ଼େ ୬ଟାରେ ଉଦିତନଗର ପରେଡ ପଡିଆରେ ପହଞ୍ଚିଥିଲେ। ସାଥିରେ ଥିଲେ ପରିବାର ସଦସ୍ୟ, ସ୍କୁଲ ସହପାଠୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଧ୍ୟକ୍ଷ ଓ ପଡୋଶୀ। ଠିକ୍‌ ୭ଟାରୁ ପଡିଆରେ ଦୌଡିବା ଆରମ୍ଭ କରିଥିଲେ। ପ୍ରତି ୫ କି.ମି.‌ ଦୌଡିବା ପରେ ମାତ୍ର ୫ରୁ ୧୦ ମିନିଟ୍‌ ବିଶ୍ରାମ ନେଉଥିଲେ। ଏମିତି ଭାବେ ରାତି ୧୧ ଟା ସୁଦ୍ଧା ୧୫ ରାଉଣ୍ଡ ଅର୍ଥାତ୍‌ ୭୫ କି.ମି. ଦୌଡି ସାରିଥିଲେ। ପଡିଆରେ ସ୍କୁଲର ସହପାଠୀ, ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଗୌରବଙ୍କୁ ଉତ୍ସାହିତ କରିଥିଲେ। କେବଳ ସାଙ୍ଗସାଥୀ ନୁହେଁ ଅନ୍ୟମାନେ ମଧ୍ୟ ପଡିଆରେ ଛିଡା ହୋଇ ଗୌରବଙ୍କ ଉତ୍ସାହ ବଢ଼ାଇଥିଲେ।

ବାସନ୍ତୀ କଲୋନି ମାଲଗୋଦାମର ଅଶୋକ କଲେତଙ୍କ ପୁଅ ହେଉଛନ୍ତି ଗୌରବ। ଅଶୋକ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ କାମ କରନ୍ତି। ଗୌରବ ବିଶ୍ରା ଡାହାରରୋଡସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ୧୦ ଶ୍ରେଣୀରେ ପଢ଼ନ୍ତି। ଗତ ୨୦୧୯ରେ ଟାଟା ଷ୍ଟିଲ ପକ୍ଷରୁ କୋଲକାତାରେ ଆୟୋଜିତ ମାରାଥନ ରେସ୍‌ରେ ଭାଗ ନେଇ ଗୌରବ ସଫଳତା ହାସଲ କରିଥିଲେ। କୋଲକାତା ସମେତ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ୫ କି‌ଲୋମିଟର ଦୌଡ ପ୍ରତିଯୋଗିତାରେ ୧୦ମ ସ୍ଥାନରେ ରହିଥିଲେ। ଜାମସେଦ୍‌ପୁରରେ ଟାଟା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଦୌଡ ପ୍ରତିଯୋଗିତାରେ ଗୌରବ ୫ମ ସ୍ଥାନରେ ରହିଥିଲେ। ସୁନ୍ଦରଗଡରେ ଆୟୋଜିତ ୩ ହଜାର ମିଟର ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଗୌରବ କହିଛନ୍ତି, ଆଜି ୨୪ ଘଣ୍ଟାରେ ନିଶ୍ଚିତ ଭାବେ ୧୨୦ କି.ମି. ଦୌଡିବି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୌଡରଯ ସମସ୍ତ ଭିଡିଓ ଇଣ୍ଡିଆ ବୁ୍କ୍‌ ଅଫ୍‌ ରେକର୍ଡ ଟିମ୍‌କୁ ପଠାଇବି। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ମିଳୁ କିମ୍ବା ନ ମିଳୁ ଆଗାମୀ ୨୦୨୪ ଅଲିମ୍ପିକ୍ସରେ ସାମିଲ ହେବାକୁ ପ୍ରୟାସ ଜାରି ରଖିବି। ଯେତେ ବାଧାବିଘ୍ନ ଆସୁ ପଛେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଦୌ ପଛଘୁଞ୍ଚା ଦେବି ନାହିଁ।

ସମ୍ବନ୍ଧିତ ଖବର