ଗୌରହରି ଦାସ ପାଇଲେ ‘ଚାସୋ ସ୍ଫୁର୍ତ୍ତି ସମ୍ମାନ’

ବିଜୟନଗରମ୍‌ : ଆଧୁନିକ ତେଲୁଗୁ କଥା ସାହିତ୍ୟର ଅନ୍ୟତମ ବିନ୍ଧାଣି ଚଗାଣ୍ଟି ସୋମୟାଜୁଲ (ଚାସୋ)ଙ୍କ ସ୍ମୃତିରେ ଆୟୋଜନ କରାଯାଉଥିବା ‘୨୩ତମ ଚାସୋ ସ୍ଫୁର୍ତ୍ତି ସମ୍ମାନ ସମାରୋହ’ ଗତକାଲି ଏଠାରେ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଚନ୍ଦୁୁ ସୁବ୍ଦାରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଡାକ୍ତର ଜି. ପୂର୍ଣ୍ଣଚନ୍ଦୁ, ରାମି ନାୟୁଡୁ, ଚାସୋଙ୍କର ଦୁଇ କନ୍ୟା ଅଧ୍ୟାପିକା ସି. ତୁଳସୀ, କୃଷ୍ଣା କୁମାରୀ ଓ ଆର୍‌ ବାଳକ୍ରିଷ୍ଣ ରାଓ ପ୍ରମୁଖ ଯୋଗ ଦେଇ ଚାସୋଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଚାସୋଙ୍କ କୃତିକୁ ନେଇ ତଥା ସେ ପାଇଥିବା ଚିଠିଗୁଡ଼ିକୁ ନେଇ ସଂକଳିତ ଦୁଇଟି ବହି ଉନ୍ମୋଚିତ ହୋଇଥିଲା। ଗତ ୨୩ ବର୍ଷ ଧରି ଚାସୋଙ୍କ ସ୍ମୃତିରେ ପ୍ରଦାନ କରାଯାଇଥିବା ପୁରସ୍କାର ପ୍ରଥମ ଥର ପାଇଁ ତେଲୁଗୁ ସାହିତ୍ୟ ବାହାରେ, ବିଶିଷ୍ଟ ଓଡ଼ିଆ କଥାକାର ଗୌରହରି ଦାସଙ୍କୁ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ତାଙ୍କୁ ୧୦ ହଜାର ଟଙ୍କା ଓ ଉପଢୌକନ ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଦାସ୍‌ ଆଲ୍‌ବର୍ଟ କାମ୍ୟୁଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ ଯେ, ଜଣେ କଥାକାର ମିଛ ମାଧ୍ୟମରେ ସତ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥାଏ। ଏହି ଉତ୍ସବରେ ଆନ୍ଧ୍ରପ୍ରଦେଶର ବହୁ ପାଠକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ସାମ୍ବାଦିକ ବିଘ୍ନେଶ୍ୱର ସାହୁ ଲେଖକ ଶ୍ରୀ ଦାସଙ୍କ ପରିଚୟ ତେଲୁଗୁ ଭାଷାରେ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର