ବଲାଙ୍ଗୀର: ଛୋଟ ଶିଶୁ ପୂରା ନରମ। ନିରବ ରୁହନ୍ତି। ହସ ହସ ମୁହଁ। ଆଉ ଏ ହସ ହସ ମୁହଁ ସବୁବେଳେ ରହୁ। କାରଣ ଛୋଟ ଶିଶୁଙ୍କ ହସ ମାନେ ଜଗନ୍ନାଥଙ୍କ ହସ। ଅଭିଭାବକ ଓ ଶିକ୍ଷକ ସବୁବେଳେ ଚିନ୍ତା କରିବା ଦରକାର ଶିଶୁଙ୍କ ମୁହଁରେ ସବୁବେଳେ ଏମିତି ହସ ଫୁଟୁଥାଉ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବୁଧବାର ବଲାଙ୍ଗୀର ଟାଉନ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରୋଟାରି କ୍ଲବ୍‌ ଅଫ୍‌ ଇଲାଇଟ୍‌ର ଉଡ଼ାନ ମିଟ୍‌-୨୦୨୨ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଆହୁରି କହିଥିଲେ, ଶିଶୁଙ୍କ ସ୍ୱପ୍ନ ସାକାର କରିବାକୁ ହେବ। ମୁହଁରେ ହସ ଫୁଟାଇବାକୁ ହେବ। ରୋଟାରି ଯେଉଁ କାମ କରୁଛି ତାହାହିଁ ଅସଲ ଶିକ୍ଷା ଦେଉଛି। ଏହି ଅବସରରେ ଓଡ଼ିଶାର ରଜ ଓ ଧନୁଯାତ୍ରା ବିଷୟରେ ଉଲ୍ଲେଖ କରି ରଜ ପର୍ବ ହେଉଛି ପୃଥିବୀ ମାତାକୁ ଉତ୍ସବ ମନାଇବାର ପର୍ବ।

Advertisment

ସେହିପରି ଧନୁଯାତ୍ରା ହେଉଛି ଦାସତ୍ୱରୁ ମୁକ୍ତିର ପର୍ବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଂଚଳ ରାଣା, ପ୍ରଫେସର ମଧୁସୂଦନ ପତି, ରୋଟାରି କ୍ଲବ୍‌ ଅଫ୍‌ ଇଲାଇଟ୍‌ର ସଭାପତି ରିଙ୍କୁ ପାତ୍ର, ସଂପାଦକ ମମତା ପରମାର ମଂଚାସୀନ ଥିଲେ। ବିଧାୟକ ଶ୍ରୀ ମିଶ୍ର ରୋଟାରି ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି ଓଡ଼ିଶାରେ ଅନନ୍ୟ, ଏହା ସମାଜକୁ ଏକ ନୂତନ ବାର୍ତ୍ତା ଦେଇଛି ବୋଲି କହିଥିଲେ। ସେହିପରି ପ୍ରଫେସର ପତି କହିଥିଲେ, ଗରିବ ମେଧାବୀ ଛାତ୍ରୀମାନଙ୍କୁ ନେଇ ଉଡ଼ାନ ଯେଉଁ କାର୍ଯ୍ୟକ୍ରମ କରୁଛି ତାହା ଗୁଣାତ୍ମକ ଶିକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହି ଅବସରରେ ଉଡ଼ାନ ସ୍ମରଣିକା ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୁଇଦିନିଆ କଳାହାଣ୍ଡି, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କ୍ରମରେ ଟ୍ରେନ୍‌ ଯୋଗେ ସକାଳେ ଭବାନୀପାଟଣାରେ ପହଞ୍ଚିଥିଲେ। ସେଠାରୁ ବଲାଙ୍ଗୀର ଗସ୍ତରେ ଆସି ସର୍କିଟହାଉସରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିଧାୟକ ଶ୍ରୀ ମିଶ୍ର, ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗୀର ଦାୟିତ୍ୱରେ ଥିବା ବରଗଡ଼ ଏସ୍‌ପି ସ୍ମିଥ ପି. ପରମାର ପ୍ରମୁଖ ରାଜ୍ୟପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ପରେ ସର୍କିଟହାଉସଠାରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କର ଏକ ବୈଠକରେ ରାଜ୍ୟପାଳ ଯୋଗଦେଇଥିଲେ। ଜିଲ୍ଲାପାଳ ଚଞ୍ଚଳ ରାଣା ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଜନହିତକର କାମର ରୂପରେଖ ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ମାପଦଣ୍ଡ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ମାପଦଣ୍ଡରେ ଜିଲ୍ଲାର ସାମଗ୍ରିକ ଅଗ୍ରଗତି ସନ୍ତୋଷଜନକ ଥିବା ପ୍ରକାଶ କରି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉତ୍ସାହଜନକ ଥିବା କହିଥିଲେ।

ଆକାଂକ୍ଷୀ ଜିଲ୍ଲାକୁ ପ୍ରେରଣାଦାୟୀ ଜିଲ୍ଲା ଭାବେ ପରିଣତ କରିବା ଦିଗରେ ନିଷ୍ଠାପର ଉଦ୍ୟମ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଗତି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବାକୁ କହିବା ସହ ନିରାପଦ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏହାଛଡ଼ା ମିସନଶକ୍ତି, ଜୀବିକା ମିସନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ ଯୋଜନାଗୁଡ଼ିକର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ରାଣା ଧନ୍ୟବାଦ ଦେଇଥିଲେ। ବୈଠକରେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଦାୟିତ୍ୱରେ ଥିବା ଏସ୍‌ପି ସ୍ମିଥ ପି. ପରମାର, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଡିଏଫ୍‌ଓ ନିତୀଶ କୁମାରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତଥିଲେ। ପରେ ରାଜ୍ୟପାଳ ସର୍କିଟ ହାଉସରୁ ବାହାରି ଟାଉନ ବାଳକ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଉଡ଼ାନ ମିଟ୍‌-୨୦୨୨ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରୁ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନିକଟ ମାରୱାଡ଼ି ସେବାସଦନକୁ ଯାଇ ମାରୱାଡ଼ି ପଞ୍ଚାୟତ ଦ୍ୱାରା ପରିଚାଳିତ ସେବାସଦନ କୋଠାର ଦ୍ୱିତୀୟ ମହଲାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ସାରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇଥିଲେ।