ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସବୁ ସଚିବମାନଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ସେ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶ୍ରୁତି ପାଳନ ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ହାସଲ ଦିଗରେ ପ୍ରଶାସନିକ କଳର ସହଯୋଗ ସେ କାମନା କରିଛନ୍ତି। ଖାରବେଳ ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର ଲୋକମାନଙ୍କ ପାଖରେ ୨୪ ଘଣ୍ଟା ଉତ୍ତରଦାୟୀ। ଜନପ୍ରତିନିଧି ଭାବରେ ଓ ସରକାର ଭାବରେ ଆମେ ଲୋକଙ୍କ ଭିତରେ ରହିବାର ପ୍ରତିବଦ୍ଧତା ନେଇ କାମ କରୁଛୁ। ତେଣୁ ୨୧ଟି ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତିଗୁଡ଼ିକ କିପରି ଠିକ୍ ଭାବେ କାର୍ଯ୍ୟକାରୀ ହେବ, ତାହା ଆପଣମାନଙ୍କର ଗୁରୁଦାୟିତ୍ବ।
ଶ୍ରୀ ମାଝୀ କହିଥିଲେ, ଆଉ ୧୨ ବର୍ଷ ମଧ୍ୟରେ ସ୍ବତନ୍ତ୍ର ଓଡ଼ିଶାର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି। ୨୦୪୭ରେ ମଧ୍ୟ ଦେଶର ସ୍ବାଧୀନତାର ୧୦୦ ବର୍ଷ ପୂରଣ ହେବ। ତେଣୁ ଉଭୟ ଭିଜନକୁ ଦୃଷ୍ଟିରେ ରଖି ଆମକୁ ଓଡ଼ିଶା ପାଇଁ ଏକ ଭିଜନ-୨୦୩୬ ପ୍ରସ୍ତୁତ କରିବାକୁ ହେବ। ଗତ ୨୪ ବର୍ଷ ମଧ୍ୟରେ ଯାହା ହୋଇପାରି ନାହିଁ, ତାକୁ ଏହି ୫ ବର୍ଷରେ କରିବାକୁ ପଡ଼ିବ। ଏହାର ସଫଳତା ପାଇଁ ଆମକୁ ଏହି ୫ ବର୍ଷରେ କଠିନ ପରିଶ୍ରମ କରି ଆମର ସବୁ ଲକ୍ଷ୍ୟକୁ ହାସଲ କରିବାକୁ ପଡ଼ିବ। ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରକ୍ରିୟାକୁ ଅଧିକ ଦକ୍ଷ ଓ ପ୍ରଭାବଶାଳୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଲୋକ ଓ ସରକାରଙ୍କ ମଧ୍ୟରେ କୌଣସି ପ୍ରାଚୀର ରହିବା ଉଚିତ ନୁହେଁ। ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ବିଭାଗର କାର୍ଯ୍ୟକ୍ରମ ଯେପରି ଓଡ଼ିଆ ଭାଷାରେ ହୋଇପାରିବ, ସେଥିପାଇଁ ଆପଣମାନେ ପଦକ୍ଷେପ ନିଅନ୍ତୁ। କେନ୍ଦ୍ର ସରକାରଙ୍କ ଏକାଧିକ ଲୋକପ୍ରିୟ ଯୋଜନା ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୂପାୟନ ଉପରେ ସେ ଗୁରୁତ୍ବାରୋପ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିକଶିତ ଓଡ଼ିଶା ନିର୍ମାଣ ପାଇଁ କାମ କରିବାର ସଂପୂର୍ଣ୍ଣ ସ୍ବାଧୀନତା ଆପଣମାନଙ୍କର ଅଛି। କିନ୍ତୁ ଆପଣମାନଙ୍କୁ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବର ସୀମା ଭିତରେ କାମ କରିବାକୁ ହେବ। ମୋ ସରକାରର ରାଜନୈତିକ ଇଚ୍ଛା ଶକ୍ତି ଦୃଢ଼ ଅଛି। ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ ସରକାରଙ୍କ କେନ୍ଦ୍ରବିନ୍ଦୁ। ନିର୍ଣ୍ଣୟ ପ୍ରକ୍ରିୟାରେ ସମସ୍ତଙ୍କ ଭାଗିଦାରୀ ଆମର ପ୍ରାଥମିକତା। ସବୁ ବିଭାଗର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ତଳସ୍ତରର କର୍ମଚାରୀଟିଏ ମଧ୍ୟ ସରକାରଙ୍କ ସଫଳତା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ। ଆମ ଦଳର ମତାମତ ସହିତ ବିରୋଧୀ ଦଳର ମତାମତକୁ ମଧ୍ୟ ଆମକୁ ଗୁରୁତ୍ବର ସହ ନେବାକୁ ପଡ଼ିବ ବୋଲି ସେ କହିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ସବୁ ବିଭାଗର ସଚିବମାନେ ସେମାନଙ୍କ ବିଭାଗର କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।