ଜଣେ ଅଣଓଡ଼ିଆ ସଚିବ ନିଜକୁ ସର୍ବଶକ୍ତିମାନ ପ୍ରମାଣିତ କରିବା ପାଇଁ ପୂରା ସରକାରୀ ବ୍ୟବସ୍ଥାକୁ ଦୂରୁପଯୋଗ କରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଥିବା ଜନମତକୁ ଅପବ୍ୟବହାର କରି ଛାୟା ସରକାର ଚଳାଇଛନ୍ତି ଏହି ସଚିବ। ତାଙ୍କୁ ସହଯୋଗ କରୁଛନ୍ତି କିଛି ଅଣଓଡ଼ିଆ ଅଧିକାରୀ ଓ ଶାସକ ଦଳର ହାତଗଣତି ନେତା। ବିଶେଷ କରି ଓଡ଼ିଆଙ୍କ ସ୍ବର ଚାପିଦେବାକୁ ଓ ଓଡ଼ିଆ ସ୍ବାଭିମାନକୁ ପାଦରେ ଦଳି ଦେବାକୁ ଏହି ଗୋଷ୍ଠୀ ସୁଚିନ୍ତିତ ଷଡ଼ଯନ୍ତ୍ର ରଚୁଛନ୍ତି। ଏହି ଷଡ଼ଯନ୍ତ୍ରର ଏକ ଅଂଶ ହୋଇଛି ଗଣମାଧ୍ୟମର କଣ୍ଠରୋଧ। ‘ସମ୍ବାଦ ଭବନ’ରେ ଆଜି ଇଓଡବ୍ଲ୍ୟୁର ଛାନ୍‌ଭିନ୍‌ ତାହାର ଏକ ଉଦାହରଣ। ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଥିବା ପ୍ରଶ୍ନର ଉତ୍ତର ଦେବା ବଦଳରେ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସିଧାସଳଖ ଗଣମାଧ୍ୟମକୁ ବାର୍ତ୍ତା ଦେବାକୁ ଚେଷ୍ଟା କରାଯାଇଛି ଯେ ‘ଛାୟା ସରକାର’ ବିରୋଧରେ ମୁହଁ ଖୋଲିଲେ ଏମିତି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। କିନ୍ତୁ ସରକାରଙ୍କ ଏହି ନାଲି ଆଖିରେ ‘ସମ୍ବାଦ’ ଦବି ଯାଇ ନାହିଁ। ଓଡ଼ିଶାର ସ୍ବାର୍ଥ, ଓଡ଼ିଆଙ୍କ ସ୍ବାଭିମାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ‘ସମ୍ବାଦ’ର ଲଗାତାର ଉଦ୍ୟମ କେବେ ବି ବନ୍ଦ ହେବ ନାହିଁ। ଆଜିର ସରକାରୀ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ସବୁ ବର୍ଗର ଲୋକ ସରକାରଙ୍କର ଏହି ଦମନମୂଳକ ନୀତିର କଡ଼ା ପ୍ରତିବାଦ ଜଣାଇଛନ୍ତି। କିଛି ସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ବି କରିଛନ୍ତି।

Advertisment

ବିଧାନସଭାରେ ଜବାବ ମାଗିବୁ
‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ନିଜ ସମ୍ପାଦକୀୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିବା ପରେ କ୍ଷୁବ୍ଧ ହୋଇଛନ୍ତି ରାଜ୍ୟ ସରକାର। ‘ସମ୍ବାଦ’ କାର୍ଯ୍ୟାଳୟରେ ଅର୍ଥନୈତିକ ଅପରାଧ ଶାଖା ଚଢ଼ଉ କରିଛି। ପ୍ରତିଶୋଧ ପରାୟଣ ହୋଇ ସରକାର ଏପରି କରୁଛନ୍ତି ବୋଲି କେନ୍ଦୁଝର ବିଧାୟକ ତଥା ବିଧାନସଭାର ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଛନ୍ତି। ସମସ୍ତ କଳବଳ କୌଶଳ ପ୍ରୟୋଗ କରି ସରକାର ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚାହୁଁଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ଗ୍ରହଣୀୟ ନୁହେଁ କି କ୍ଷମଣୀୟ ନୁହେଁ। ଆଗାମୀ ବିଧାନସଭା ଅଧିବେଶନରେ ଆମେ ଏହାର ଜବାବ ମାଗିବୁ ବୋଲି ଶ୍ରୀ ମାଝି କହିଛନ୍ତି।

-ମୋହନ ମାଝି, ବିରୋଧୀ ଦଳ ମୁଖ୍ୟ ସଚେତକ

ଗଣତନ୍ତ୍ରପ୍ରେମୀ ଗ୍ରହଣ କରିବେ ନାହିଁ
ସୌମ୍ୟରଞ୍ଜନ ପଟ୍ଟନାୟକ ଓଡ଼ିଶାର ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ଓଡ଼ିଶାରେ ଭାଷା ଆନ୍ଦୋଳନ ଠାରୁ ରକ୍ତଦାନ ପର୍ଯ୍ୟନ୍ତ ଜନକଲ୍ୟାଣକାରୀ କାର୍ଯ୍ୟ କରି ଆସୁଛନ୍ତି। ସେ ‘ସମ୍ବାଦ’ର ସମ୍ପାଦକ ହିସାବରେ ତାଙ୍କ ମତାମତ ରଖିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାରଙ୍କୁ ସମାଲୋଚନା ସମସ୍ତଙ୍କର ଅଧିକାର ରହିଛି। ଏହି ଅଧିକାରକୁ କେହି ଛଡାଇ ନେଇପାରିବେ ନାହିଁ। ସରକାରଙ୍କ ତ୍ରୁଟିକୁ ଲୋକଲୋଚନକୁ ଆଣିବାରୁ ‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲ୍ୟୁକୁ ଚଢ଼ଉ ସମ୍ପୂର୍ଣ୍ଣ ନିନ୍ଦନୀୟ। ଏହାକୁ ଗଣତନ୍ତ୍ରପ୍ରେମୀ ଗ୍ରହଣ କରିବେ ନାହିଁ।

-ବିଷ୍ଣୁ ମହାନ୍ତି, ସର୍ବଭାରତୀୟ ଉପସଭାପତି, ସିଆଇଟିୟୁ

ଅତି ସଂକୀର୍ଣ୍ଣ ମାନସିକତାର ପରିଚୟ
‘ସମ୍ବାଦ’ ଯଦି ଏମିତି କିଛି ଭୁଲ୍ କରିଥିଲା, ସରକାରଙ୍କୁ ଆଜି ଯାଏ କିଛି ଦିଶୁ ନଥିଲା କେମିତି? ୫-ଟି ସଚିବଙ୍କ ବିରୋଧରେ ସମାଲୋଚନା କଲେ ବୋଲି ଏମିତି ଚଢ଼ଉ କରିବା ଏକ ଅସହିଷ୍ଣୁ ମାନସିକତା। ପରୋକ୍ଷରେ ସରକାର ଏହାକୁ ସୂଚାଇ ଦେବାକୁ ଚାହୁଁଛନ୍ତି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହି ସମାଲୋଚନାକୁ ଗ୍ରହଣ କରିବେ ନାହିଁ, ଏହା ଅତି ସଂକୀର୍ଣ୍ଣ ମାନସିକତାର ପରିଚୟ।

-କ୍ରିଷ୍ଣା ମହାନ୍ତି , ଗାନ୍ଧୀବାଦୀ ନେତ୍ରୀ

କିଏ କାହାକୁ ବ୍ଲାକମେଲ୍ କରୁଛି, ଏଥିରୁ ସ୍ପଷ୍ଟ ହୋଇଯାଉଛି
ନିଜର କେତୋଟି ସ˚ପାଦକୀୟରେ ସୌମ୍ୟର˚ଜନ ବାବୁ ଯେଉଁସବୁ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ, ତାହାର ଯଥାର୍ଥ ଉତ୍ତର କୌଣସି ପ୍ରବକ୍ତା କିମ୍ବା ରାଜନୀତି କରୁଥିବା ବ୍ୟକ୍ତି ଦେବା ପାଇଁ ସକ୍ଷମ ହୋଇପାରିନାହାନ୍ତି। ପରନ୍ତୁ, ଅତ୍ୟନ୍ତ ଅରୁଚିକର ଭାଷା ଏବ˚ ଭୟଭୀତ କରିବା ଭଳି କେତେକ ବକ୍ତବ୍ୟ ଆମେ ଶୁଣିବାକୁ ପାଇଲୁ। ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା ଆଢ଼ୁଆଳରେ ଅନେକ ଘଟଣା ଘଟୁଛି, ଯାହା ବାସ୍ତବିକ ଅତ୍ୟନ୍ତ ଚିନ୍ତାର ବିଷୟ। କୌଣସି ଗଣମାଧୢମ ସରକାରରେ ହେଉଥିବା ତ୍ରୁଟି ବିଚ୍ୟୁତିକୁ ସମାଲୋଚନା କରିବା ଏବ˚ ଜନସାଧାରଣଙ୍କ ସମ୍ମୁଖରେ ଉତ୍‌ଥାପନ କରିବା ଏକ ସାମ୍ବାଦିକତାର ଧର୍ମ। ଆମେ ମୁକ୍ତ ବକ୍ତବ୍ୟ ଓ ଚିନ୍ତନ ଉପରେ ଗୁରୁତ୍ବ ନ ଦେଲେ ଅତୀତରେ ଜର୍ଜ ଅରେଵଲ୍‌ଙ୍କର ବିଶ୍ବ ପ୍ରସିଦ୍ଧ ଉପନ୍ୟାସ ‘୧୯୮୪ ପଢ଼ିବା ଭଳି ଅନୁଭବ ପାଇବୁ। ଆମେ ବିଗ୍‌ ବ୍ରଦର‌୍‌ ଡକ୍ଟରିନ୍‌ରୁ ମୁକ୍ତ ହେବା ଉଚିତ୍‌। ମାନବିକ ଚିନ୍ତନ ଓ ସତ୍ତାକୁ ବିକଳାଙ୍ଗ କରି ନିଜ ଚିନ୍ତାଧାରା ସହିତ ସାମିଲ୍‌ କରାଇବାର ପ୍ରଚେଷ୍ଟା ଗ୍ରହଣୀୟ ନୁହେଁ। କିଏ କାହାକୁ ବ୍ଲାକମେଲ୍‌ କରୁଛି, ତାହା ଅତ୍ୟନ୍ତ ସ୍ପଷ୍ଟ ହୋଇଯାଉଛି।

-ରାମଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ

ଏଭଳି ଘଟଣା ମନ୍ଦବୁଦ୍ଧି ପରିଚାଳିତ
ଦୈନିକ ଖବରକାଗଜର ‘ସମ୍ବାଦ କାର୍ଯ୍ୟାଳୟ ଉପରେ ଅର୍ଥନୈତିକ ଅପରାଧିକ ଶାଖାର ଚଢ଼ଉ ଅତ୍ୟନ୍ତ ନିନ୍ଦନୀୟ। ଏହି ଘଟଣା ମନ୍ଦ ବୁଦ୍ଧି ପରିଚାଳିତ। 'ସମ୍ବାଦ' ଖବରକାଗଜ ଓଡ଼ିଶା ଜନସାଧାରଣଙ୍କ ସବୁଠାରୁ ବଡ଼ ପ୍ରଭାବଶାଳୀ ମୁଖପତ୍ର। ନିର୍ଭୀକ ଭାବରେ କର୍ତ୍ତବ୍ୟ ସ˚ପାଦନରେ 'ସମ୍ବାଦ' ଉଦାହରଣ ସୃଷ୍ଟି କରିଛି। 'ସମ୍ବାଦ' ଉପରେ ଆକ୍ରମଣ ଜନସାଧାରଣଙ୍କ ସ୍ବର ଉପରେ ଆକ୍ରମଣ। ଏହା ଗ୍ରହଣୀୟ ନୁହେଁ କିମ୍ବା କ୍ଷମଣୀୟ ନୁହେଁ। ରାଜ୍ୟ ସରକାର ଏଭଳି ପ୍ରତିହି˚ସା ପରାୟଣ ନିଷ୍ପତ୍ତି ପାଇଁ କ୍ଷମାପ୍ରାର୍ଥନା କରନ୍ତୁ ଓ ଏଥିରୁ ଓହରି ଯାଆ'ନ୍ତୁ। ବ୍ୟତିକ୍ରମ ହେଲେ କେବଳ 'ସମ୍ବାଦ'ର ପାଠକପାଠିକା ନୁହନ୍ତି, ଗଣତନ୍ତ୍ରରେ ବିଶ୍ବାସ କରୁଥିବା ଲୋକେ, ବ୍ୟକ୍ତି ସ୍ବାଧୀନତା ଉପରେ ବିଶ୍ବାସ କରୁଥିବା ଲୋକେ ଏବ˚ ଚତୁର୍ଥ ସ୍ତମ୍ଭ ଉପରେ ଆସ୍ଥା ରଖୁଥିବା ଲୋକେ ଏକାଠି ହୋଇ ଏହାର ଦୃଢ଼ ପ୍ରତିବାଦ କରିବେ। କ˚ଗ୍ରେସ ଏପରି ଘୃଣ୍ୟ ନିଷ୍ପତ୍ତିର କଠୋର ନିନ୍ଦା କରୁଛି। ସମ୍ବାଦପତ୍ର ସ୍ବାଧୀନତାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କର ତୁରନ୍ତ ହସ୍ତକ୍ଷେପ ଦାବି କରୁଛି।

-ଗଣେଶ୍ବର ବେହେରା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କ˚ଗ୍ରେସ ନେତା

ଗଣତନ୍ତ୍ରର କଣ୍ଠରୋଧ
ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଗଣତାନ୍ତ୍ର ସୁଦୃଢ ହେବାକୁ ହେଲେ ଦୃଢ ନିରପେକ୍ଷ ଗଣମାଧ୍ୟମ ରହିବା ଆବଶ୍ୟକ। ଦୁର୍ନୀତି, ଅନୀତି ପଦାକୁ ଆଣି ରାଜନୈତିକ ସତ୍ୟ ପରିବେଷଣ କରିବା ଗଣମାଧ୍ୟମର ଦାୟିତ୍ବ। ସତ୍ୟପ୍ରକାଶ ପାଇଁ ଗଣମାଧ୍ୟମକୁ ନିର୍ଯାତିତ କରିବା, କଣ୍ଠରୋଧ କରିବା ସୁସ୍ଥ ପରମ୍ପରା ନୁହେଁ। ଗଣମାଧ୍ୟମ ଉପରେ ଏପରି ଆକ୍ରମଣକୁ ସବୁ ବୁଦ୍ଧିଜୀବୀ ବିରୋଧ କରିବା ଉଚିତ।

-ଧରଣୀଧର ନାୟକ, ବରିଷ୍ଠ ଆଇନଜୀବୀ ,ସଭାପତି, ହାଇକୋର୍ଟ ବାର୍ ଆସୋସିଏସନ୍‌

ଗଣମାଧ୍ୟମ କଣ୍ଠରୋଧ କରିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ
ଗଣମାଧ୍ୟମ କଣ୍ଠରୋଧ କରିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। ‘ସମ୍ବାଦ’ ସମ୍ପାଦକ ସମ୍ପାଦକୀୟ ଲେଖିବା ପୂର୍ବରୁ କାହିଁକି ତ ଅଭିଯୋଗ ହେଉ ନ ଥିଲା, କେସ୍ ହେଉ ନ ଥିଲା କି ଚଢ଼ଉ ହେଉ ନ ଥିଲା। ସମ୍ପାଦକୀୟ ଲେଖାଯିବା ପରେ ଚଢ଼ଉ ହେବା ଅର୍ଥ ଆଉ ଅଛପା ନୁହେଁ। ଉଦ୍ଦେଶ୍ୟମୂଳକ ଭାବେ ଏହି ଚଢ଼ଉ କରାଯାଉଥିବା ସ୍ପଷ୍ଟ ହେଉଛି।

-ବଟକୃଷ୍ଣ ତ୍ରିପାଠୀ, ପୂର୍ବତନ ଆଇଜି

ଲୋକଙ୍କ ଅପେକ୍ଷା ସରକାର ପାଇଁ କ୍ଷତି
କୌଣସି ଗଣମାଧ୍ୟମର ସ୍ବର ଚାପିବା ପାଇଁ ଉଦ୍ୟମ କରିବା ତାହା ସାଧାରଣ ଲୋକ ଅପେକ୍ଷା ସରକାରଙ୍କ ଅଧିକ କ୍ଷତି। ‌ଏହା ସବୁ ଅନ୍ତର ଯେମିତି ନିକଟ ହୋଇଆସୁଛି ତାହା ଜଣାଇ ଦେଇଥାଏ। ଓଡ଼ିଶାରେ ମଧ୍ୟ ସେହି ଅବସ୍ଥା ଆସି ପହଞ୍ଚିଛି। ଗଣମାଧ୍ୟମ ଉପରେ ଏଭଳି ଆକ୍ରମଣ ଆଗାମୀ ଦିନରେ ଜନସାଧାରଣଙ୍କ ମନରେ ଅଧିକ କ୍ରୋଧ ସୃଷ୍ଟି କରିବ। ଯାହାର ପରିଣାମ ସରକାରଙ୍କୁ ଭୋଗିବାକୁ ପଡ଼ିବ।

-ପଞ୍ଚାନନ କାନୁନ୍‌ଗୋ, ବରିଷ୍ଠ କଂଗ୍ରେସ ନେତା

ନବୀନ ବାବୁଙ୍କ ଦୁର୍ଗ ପତନର ବେଳ ପହଞ୍ଚି ଗଲାଣି
ଓଡ଼ିଆ ଲୋକେ ସହଜରେ କୌଣସି ବିବାଦରେ ଫସିବାକୁ ଚାହାନ୍ତି ନାହିଁ। କାଦୁଅରେ ପଶିବା କାହିଁକି, ଗୋଡ଼ ଧୋଇବା କାହିଁକି ? ଏହି କାରଣରୁ ଓଡ଼ିଶା ଆଜି କେତେଜଣ ଅମଲାଙ୍କ ଦାଦାଗିରିର ଶିକାର ହୋଇଛି। ବିଶେଷକରି ପାଣ୍ଡିଆନ ବାବୁଙ୍କ ଭଳି ଜଣେ ସଚିବଙ୍କ ଉତ୍ପାତ ସବୁ ସୀମା ଟପି ଯାଇଛି। ନବୀନ ବାବୁଙ୍କ ସରକାର ଅତ୍ୟନ୍ତ ପ୍ରତିହିଂସା ପରାୟଣ ଓ ଛୋଟ ମିଜାଜର ବୋଲି ଆମେ ଜାଣିଛୁ। ଏ‌ହାର ଅନେକ ପ୍ରମାଣ ରହିଛି। ଏବେ ‘ସମ୍ବାଦ’, ସୌମ୍ୟ ବାବୁ ଓ ତାଙ୍କ ସଂପର୍କୀୟଙ୍କ ଉପରେ ଚାଲିଥିବା ପଦକ୍ଷେପରୁ ଏହା ସୁସ୍ପଷ୍ଟ। ନିଜ ଦଳରେ ଅନେକ ଯୋଗ୍ୟ ଓ ଦକ୍ଷ ନେତା ଥିବା ବେଳେ ନବୀନ ବାବୁ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ଉପରେ ପୂରା ନିର୍ଭର କରିବା ପଛରେ କାରଣ କ’ଣ ? ମୋ ବିଚାରରେ ଏହା ତାଙ୍କର ଓଡ଼ିଆ ବିରୋଧୀ ଚିନ୍ତାଧାରା ଓ ହୀନମନ୍ୟତାର ପରିଚୟ। ବିଜେଡିର ଜଣେ ପ୍ରତିଷ୍ଠାତା ସଦସ୍ୟ ନବୀନ ବାବୁଙ୍କ ସଂପର୍କରେ ମତ‌େ ଥରେ କହିଥିଲେ, ସାପ କେବେ କାହାକୁ ଚୁମ୍ବନ କରେନାହିଁ... ସେ କେବଳ ଦଂଶନ କରିବା ଜାଣିଛି। ପାଣ୍ଡିଆନ ବାବୁ ନିମିତ୍ତ ମାତ୍ର... ଯାହା ଚାଲିଛି ସେଥିପାଇଁ ନବୀନ ବାବୁ ସଂପୂର୍ଣ୍ଣ ଦାୟୀ ବୋଲି ମୁଁ କହିବି... ଏସବୁ ଘଟଣା ନବୀନଙ୍କ ଦୁର୍ଗ ପତନର ବେଳ ପହଞ୍ଚିଥିବା ସୂଚାଇ ଦେଉଛି।

-ସମ୍ପଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ

ଓଡ଼ିଶାରେ ଆରମ୍ଭ ହୋଇଛି ପ୍ରତି‌‌ଶୋଧ ପରାୟଣ ରାଜନୀତି
କେନ୍ଦ୍ର ସରକାର ଏ ପ୍ରତିଶୋଧ ପରାୟଣ ରାଜନୀତି ଆରମ୍ଭ କରିଥିଲେ। ବିଭିନ୍ନ ସମୟରେ ତାଙ୍କ ବିରୋଧରେ ଯିଏ ସ୍ବର ଉତ୍ତୋଳନ କରୁଥିଲେ ତାଙ୍କ ପାଖକୁ ଇଡି, ସିବିଆଇ ପଠାଉଥିଲେ। ତେଣୁ ଏ ଆକ୍ରୋଶମୂଳକ ରାଜନୀତି ବିରୋଧରେ ସାରା ଦେଶରେ ସ୍ବର ଉତ୍ତୋଳନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ତାନାଶାହୀ ସରକାର ବିରୋଧରେ ହିଁ ଇଣ୍ଡିଆ ମେଣ୍ଟ ଗଢ଼ା ହୋଇଛି। ତେବେ ଓଡ଼ିଶା ହେଉଛି ଏକ ଶାନ୍ତିପ୍ରିୟ ରାଜ୍ୟ। ରାଜ୍ୟର ମୁଖ୍ୟମନ୍ତ୍ରୀ ଏବେ କିଛି ବୁଝିପାରୁନାହାନ୍ତି। କିଛି କର୍ମଚାରୀ ଓଡ଼ିଶା ଶାସନ ଚଳାଉଛନ୍ତି। ବର୍ତ୍ତମାନର ସରକାର ବିରୋଧରେ କେହି ମୁହଁ ଖୋଲିପାରୁ ନାହାନ୍ତି। ସବୁ ବିଧାୟକ ଓ ମନ୍ତ୍ରୀ ଦିବ୍ୟାଙ୍ଗ ହୋଇ ବସିଛନ୍ତି। ଅନ୍ୟପଟେ ଯିଏ ଏହା ବିରୋଧରେ ମୁହଁ ଖୋଲୁଛନ୍ତି ତାଙ୍କ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆଯାଉଛି। ଯାହାର ସଦ୍ୟ ଉଦାହରଣ ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ବର୍ତ୍ତମାନ ଏପରି ଅନ୍ଧାରୀ ଶାସନ ଓଡ଼ିଶା ପାଇଁ ଭଲ ନୁହେଁ। ଓଡ଼ିଶାରେ ଏପରି ଶାସନ ଆରମ୍ଭ ହେବା କଳ୍ପନା ବାହାରେ ଥିଲା। ମୁଖ୍ୟମନ୍ତ୍ରୀ ନିଜ ସଚିବଙ୍କ ବଦଳରେ ନିଜ କ୍ୟାବିନେଟର ବରିଷ୍ଠ ନେତାଙ୍କୁ ନେଇ କାର୍ଯ୍ୟକ୍ରମ କଲେ ଭଲ ହେବ।

-ମହମ୍ମଦ ମୋକିମ୍, ବିଧାୟକ

ଗଣମାଧ୍ୟମର କଣ୍ଠରୋଧ ବନ୍ଦ କରାଯାଉ: ସିପିଆଇ ଓଡ଼ିଶା
ରାଜ୍ୟର ସର୍ବାଧିକ ପାଠକୀୟ ଆଦୃତି ଲାଭ କରିଥିବା ‘ସମ୍ବାଦ’ ଉପରେ କ୍ରାଇମ୍ ଵ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ଚଢ଼ାଉ ନବୀନ ସରକାର ଗାଣତାନ୍ତ୍ରିକ ସ୍ୱର ପ୍ରତି ଭୟଭୀତ ହୋଇ ପ୍ରତିହିଂସା ପରାୟଣ ହୋଇପଡ଼ିଛି। ଏହା ପୂର୍ବରୁ ଓଟିଭି, ବଡ଼ ଖବର ଉପରେ ଆକ୍ରମଣ କରାଯାଇଛି। ମୋଦୀ ସରକାର ଯେଭଳି ସିବିଆଇ ଓ ଇଡିକୁ ଦଳୀୟ ପ୍ରତିହିଂସା ପରାୟଣ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ଠିକ୍ ସେହିଭଳି ଓଡ଼ିଶାରେ କ୍ରାଇମ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ଓଡ଼ିଶାରେ ଦଳୀୟ ପ୍ରତିହିଂସାରେ ଅପବ୍ୟବହାର କରାଯାଉଛି। ଏଭଳି ଗଣମାଧ୍ୟମ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବନ୍ଦ ଦାବିରେ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ଏହି ଚଢ଼ଉ ବିରୋଧରେ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ର ରାଜ୍ୟ

-ସମ୍ପାଦକ ଅଭୟ ସାହୁ ଓ ସମ୍ପାଦକମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଚେତାବନୀ ଦେଇଛନ୍ତି।