କଟକ : ରାଜ୍ୟରେ ବଢୁଥିବା ମାତୃ ମୃତ୍ୟୁ ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହିତ ଏ କ୍ଷେତ୍ରରେ ସରକାରୀ ଉଦାସୀନତାକୁ କଡ଼ା ସମାଲୋଚନା କରିଛନ୍ତି ହାଇକୋର୍ଟ। ତୁରନ୍ତ ଏ ଦିଗରେ ଯୋଜନା ପ୍ରସ୍ତୁତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଚିକିତ୍ସା ଅବହେଳା ସଂପର୍କିତ ଏକାଧିକ ମାମଲାର ଶୁଣାଣି କରି କହିଛନ୍ତି ଯେ ଆଦିବାସୀ ଅଞ୍ଚଳ, ଗାଁ ଓ ସହରପାଖ ଅଞ୍ଚଳରେ ଗର୍ଭବତୀ ଥିବାସମୟରେ ଓ ଅସୁରକ୍ଷିତ ପ୍ରସବ ବେଳେ ପ୍ରାଣ ହରାଉଥିବା ମହିଳାଙ୍କ ମୃତ୍ୟୁ ଘଟଣା ଅତ୍ୟନ୍ତ ଉଦ୍ବେଗଜନକ। ରାଜ୍ୟରେ ବୃଦ୍ଧି ପାଉଥିବା ପ୍ରସୂତି ମୃତ୍ୟୁସଂଖ୍ୟାରୁ ସ୍ବାସ୍ଥ୍ୟସେବାର ବିଫଳତା ବି ସ୍ପଷ୍ଟ ହୋଇଛି। ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚାଇବା କ୍ଷେତ୍ରରେ ସରକାରୀ ଉଦାସୀନତା ପ୍ରସୂତିଙ୍କ ମୃତ୍ୟୁର କାରଣ ହେଉଛି ବୋଲି ହୋଇଥିବା ଅଭିଯୋଗ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ଘଟଣାକୁ ଏଡ଼ାଇଯିବା ନିହାତି ଆବଶ୍ୟକ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ରାଜ୍ୟ ସରକାର ଉଭୟ ପ୍ରତିଷେଧକ ଓ ପ୍ରତିକାର ପାଇଁ ପଦକ୍ଷେପ ନେବା ଉଚିତ୍ । ମାତୃ ମୃତ୍ୟୁ ରୋକିବା ପାଇଁ ତରୁନ୍ତ ସ୍ବାସ୍ଥ୍ୟସେବା ବିଶେଷଜ୍ଞଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିବା ସହିତ ବିସ୍ତୃତ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୪ ମାସ ଭିତରେ ସରକାର ପ୍ରସ୍ତୁତ କରିବେ ଆକ୍ସନ୍ ପ୍ଲାନ୍
ସ୍ବତନ୍ତ୍ର ନୀତି ପ୍ରଣୟନ ପାଇଁ ନିର୍ଦ୍ଦେଶ; ସରକାର ଦେବେ ସତ୍ୟପାଠ
ଆସନ୍ତା ୪ମାସ ମଧ୍ୟରେ ସରକାର ଏହି ଆକ୍ସନ ପ୍ଲାନ ପ୍ରସ୍ତୁତ କରିବେ। ଏଥିସହିତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ତଥା ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କର ଏଥିପାଇଁ ରହିଥିବା ଉତ୍ତରଦାୟିତ୍ୱ ସଂକ୍ରାନ୍ତରେ ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ହାଇକୋର୍ଟ କହିଛନ୍ତି। ରାଜ୍ୟ ମହିଳା କମିସନ ଓ ଓଡ଼ିଶା ମାନବାଧିକାର କମିସନଙ୍କ ସହ ବିଚାରବିମର୍ଶ କରିବାପରେ ଏହି ନୀତି ସରକାର ପ୍ରଣୟନ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ସଚିବ ୫ ମାସ ଭିତରେ ସତ୍ୟପାଠ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ନଚେତ୍ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ ପାଇଁ ରେଜିଷ୍ଟ୍ରି ପକ୍ଷରୁ ହାଇକୋର୍ଟରେ ଏହି ପ୍ରସଂଗ ଉପସ୍ଥାପନ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ସମ୍ବର ଶବର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଅାବେଦନର ଏକତ୍ର ଶୁଣାଣି କରି ହାାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି। ଉପରୋକ୍ତ ମାମଲାରେ ଅାବେଦନକାରୀ ସମ୍ବର ଶବରଙ୍କୁ ଅାସନ୍ତା ୬ସପ୍ତାହ ମଧ୍ୟରେ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ବୋହୂଙ୍କୁ ପ୍ରସବ ପାଇଁ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା ବେଳେ ସେଠାରେ ପ୍ରସୂତି ଓ ନବଜାତ ଶିଶୁର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅବହେଳାରୁ ପ୍ରସୂତି ଓ ନବଜାତ ଶିଶୁର ଅକାଳ ମୃତ୍ୟୁ ହୋଇଥିଲା ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ମାମଲା ଶୁଣାଣି ସମୟରେ ସମାନ ପ୍ରସଂଗ ନେଇ ୩୮ଟି ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାନେଇ ତଥ୍ୟ ଉପସ୍ଥାପନ କରାଯାଇଥିଲା। ୨୦୨୨, ମେ ୧୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାଜ୍ୟ ମହିଳା କମିସନଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ଅନୁରୋଧ କରିଥିଲେ। ମହିଳା କମିସନଙ୍କ ତରଫରୁ ଏ ସଂପର୍କିତ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଥିଲା।