ଏସିଏଫ୍‌ଙ୍କ ଆର୍‌ଏସିପି ପ୍ରତ୍ୟାହାର ମାମଲା: ସ୍ୟାଟ୍ ରାୟ କାଏମ୍, ସରକାରଙ୍କ ଆବେଦନ ଖାରଜ

କଟକ: କ୍ୟାଡର୍‌ ପୁନର୍ଗଠନ ପରେ ଆସିଷ୍ଟାଣ୍ଟ୍‌ କଂଜରଭେଟର ଅଫ୍ ଫରେଷ୍ଟ (ଏସିଏଫ)ଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ରିଭାଇଜଡ୍ ଆସ୍ୟୁରଡ୍ କ୍ୟାରିଅର ପ୍ରୋଗ୍ରେସନ୍ ସ୍କିମ୍ (ଆର୍‌ଏସିପି) ପ୍ରତ୍ୟାହାର ପ୍ରସଙ୍ଗରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ୍‌ (ସ୍ୟାଟ୍) ପ୍ରଦାନ କରିଥିବା ରାୟ ହାଇକୋର୍ଟରେ କାଏମ ରହିଛି। ଆର୍‌ଏସିପି ପ୍ରତ୍ୟାହାର ଓ ଏ ବାବଦରେ ଅଧିକାରୀଙ୍କୁ ପୂର୍ବରୁ ପ୍ରଦାନ କରାଯାଇଥିବା ଅର୍ଥ ଦରମା ବା ପେନସନ୍‌ରୁ ଆଦାୟ ନେଇ ଅର୍ଥ ବିଭାଗ ବିଜ୍ଞପ୍ତି ପରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ରଦ୍ଦ କରି ସ୍ୟାଟ୍‌ ୨୦୧୭, ନଭେମ୍ବର ୧୬ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ୧୦ଟି ମାମଲାର ଏକତ୍ର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ପୂର୍ବରୁ ମଧ୍ୟ ସ୍ୟାଟ୍‌ଙ୍କ ରାୟ ବିରୋଧରେ ସରକାର ଦାୟର କରିଥିବା ଆବେଦନକୁ ୨୦୧୯, ଏପ୍ରିଲ ୧୮ରେ ହାଇକୋର୍ଟ ଖାରଜ କରିଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ୨୦୨୦, ଫେବ୍ରୁଆରି ୨୮ରେ ସୁପ୍ରିମକୋର୍ଟ ୨୦୧୯, ଏପ୍ରିଲ ୧୮ର ରାୟକୁ ରଦ୍ଦ କରିବା ସହିତ ଏହି ପ୍ରସଂଗରେ ସାନି ଶୁଣାଣି କରି ରାୟ ପ୍ରକାଶ ପାଇଁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାନି ଶୁଣାଣି ପରେ ପ୍ରକାଶିତ ରାୟରେ ପୁଣି ହାଇକୋର୍ଟ ସରକାରଙ୍କ ଆବେଦନ ଖାରଜ କରିଛନ୍ତି। ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ଓଡିଶା ଲୋକସେବା ଆୟୋଗ ଦ୍ବାରା ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡ଼ିଶା ଫରେଷ୍ଟ ସର୍ଭିସ୍ କ୍ଲାସ୍-୨ ପାହ୍ୟାରେ ଏସିଏଫ୍ ଭାବେ ୧୯୯୦ରେ ଯୋଗ ଦେଇଥିଲେ। ଏସିଏଫ୍ ଭାବେ ନିଯୁକ୍ତ ଅଧିକାରୀ ପରବର୍ତ୍ତୀ ସମୟରେ ପଦୋନ୍ନତି ପରେ ଡିଏଫଓ ଭାବେ ନିଯୁକ୍ତି ପାଇବାର ବ୍ୟବସ୍ଥା ରହିଛି। ୨୦୦୯ରେ ସରକାର କ୍ୟାଡର ପୁନର୍ଗଠନ କରିଥିଲେ। ୨୦୦୯, ଅକ୍ଟୋବର ୧୩ରେ ଏସିଏଫ୍ ପଦକୁ ଗ୍ରୁପ୍-ଏ ଜୁନିୟର ବ୍ରାଞ୍ଚ୍ ମାନ୍ୟତା ପ୍ରଦାନ କରାଯାଇଥିଲା। ଏଏସିଏଫ୍ ତଳକୁ ରହିଥିବା ଫରେଷ୍ଟ ରେଞ୍ଜର ପଦକୁ ଗ୍ରୁପ୍-ବି ମାନ୍ୟତା ଦିଆଯାଇଥିଲା। ୧୦ ବର୍ଷ, ୨୦ ବର୍ଷ ଓ ୩୦ ବର୍ଷ ଚାକରି କରିଥିବା କର୍ମଚାରୀଙ୍କ ପାଇଁ ଆର୍‌ଏସିପି ଅଧୀନରେ ଆର୍ଥିକ ଅପଗ୍ରେଡେସନ୍ ବ୍ୟବସ୍ଥା ରହିଥିବା ବେଳେ ଆବେଦନକାରୀ ୨୦ ବର୍ଷ ଚାକିରି ସଂପୂର୍ଣ୍ଣ କରିଥିବାରୁ ତାଙ୍କୁ ଦ୍ବିତୀୟ ଆର୍‌ଏସିପି ମିଳିଥିଲା। ୨୦୧୫, ଅକ୍ଟୋବର ୧୯ରୁ ତାଙ୍କୁ ଦ୍ବିତୀୟ ଆର୍‌ଏସିପି ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଅନୁମତି ପ୍ରଦାନ କରିଥିଲା। ୨୦୧୬, ଅଗଷ୍ଟ ୨୯ରେ ଏହି ଆଦେଶ ବିଭାଗ ପ୍ରତ୍ୟାହାର କରିଥିଲା ଓ ଏ ବାବଦ ପାଇଥିବା ଅର୍ଥ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହି ଅବଧି ଭିତରେ ଆବେଦନକାରୀ ଏସସିଏଫ୍ ଗ୍ରୁପ୍-ଏ ପଦକୁ ପଦୋନ୍ନତି ପାଇଥିବାରୁ ସେ ଦ୍ବିତୀୟ ଆରଏସିପି ପାଇଁ ଯୋଗ୍ୟ ନୁହନ୍ତି ବୋଲି କୁହାଯାଇଥିଲା।

ଏହି ନିର୍ଦ୍ଦେଶ ବିରୋଧରେ ଆବେଦନକାରୀ ଦାୟର କରିଥିବା ଆବେଦନରେ ଦର୍ଶାଯାଇଥିଲା ଯେ ଏସସିଏଫ୍ ତଳ ପଦ ଫରେଷ୍ଟ ରେଞ୍ଜର ହୋଇଥିବା ବେଳେ ଏଏସିଏଫରୁ ଜଣେ ପଦୋନ୍ନତି ପାଇ ଡିଏଫଓ ହେବ। ଏଭଳି ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନଥିବା ବେଳେ ସରକାର କ୍ୟାଡର ପୁନର୍ଗଠନ କରିଥିଲେ। ଏସିଏଫ୍ ପଦକୁ ଗ୍ରୁପ୍-ଏ ଜୁନିୟର ବ୍ରାଞ୍ଚ୍ ମାନ୍ୟତା ପ୍ରଦାନ କରାଯାଇଥିଲା। ଏଭଳି କରାଯିବା ଦ୍ବାରା କେବଳ ଏସସିଏଫ୍ ପଦକୁ ଗ୍ରୁପ୍-ଏ ଜୁନିୟର ବ୍ରାଞ୍ଚ୍ ମାନ୍ୟତା ମିଳିଥିବା ବେଳେ ପ୍ରକୃତରେ କିନ୍ତୁ ଆବେଦନକାରୀଙ୍କୁ କୌଣସି ପଦୋନ୍ନତି ମିଳି ନଥିଲା। ସ୍ୟାଟ୍ ଏହି ଯୁକ୍ତିକୁ ଗ୍ରହଣ କରିବା ସହିତ ୨୦୧୬, ଅଗଷ୍ଟ ୨୯ର ନିର୍ଦ୍ଦେଶକୁ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର