ସୁନ୍ଦରଗଡ଼/ହେମଗିର: ମହାନଦୀ ଖୋଲା ମୁହଁ କୋଇଲା ଖଣି ବିସ୍ଥାପିତଙ୍କୁ ପୁନର୍ବାସ, ଥଇଥାନ ସହ ନୀତି ଅନୁସାରେ ଅନ୍ୟ ସୁବିଧା ନଦେଇ ଖଣି ଖନନ ଉଦ୍ୟମକୁ ବିରୋଧ କରି ସୋମବାର ୧୪ ଗାଁର ଶହ ଶହ ବିସ୍ଥାପିତ କୁଲଡା ଖଣି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଉପଜିଲ୍ଲାପାଳ ଦାଶରଥି ସରାବୁ, ସ୍ଥାନୀୟ ଏମସିଏଲ କର୍ତ୍ତୃପକ୍ଷ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ବିସ୍ଥାପିତଙ୍କୁ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଧାରଣା ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ। କିନ୍ତୁ ବିସ୍ଥାପିତ ୭ ଦଫା ଦାବି ପୂରଣ ନେଇ ଜିଦ୍ ଧରିଥିଲେ। ବହୁ ସମୟ ଧରି ଆଲୋଚନା ପରେ ଶେଷକୁ ୭ ଦିନ ସମୟ ମାଗିଥିଲା ପ୍ରଶାସନ।
ବିଶେଷ କରି ୧୫ ଦିନ ମଧ୍ୟରେ ବିସ୍ଥାପିତଙ୍କୁ ୧୦ ଡିସିମିଲ ଘରଡିହ ପଟ୍ଟା ପ୍ରଦାନ, କୋଲ ବିୟରିଂରେ ଅଞ୍ଚଳରେ ବେନିୟମ ଭାବେ ପୁନର୍ବସତି ସୁବିଧା ଦେଇଥିବା ସରଡେଗା, ଟିକିଲିପଡ଼ାକୁ ଅନ୍ୟତ୍ର ସ୍ଥାନାନ୍ତର କରି ପଟ୍ଟା ଦେବା, ପରିବେଶ ମଞ୍ଜୁରି ନଥିବା ଙ୍କିବାହାଲ-ଟପରିଆ ରାସ୍ତାରେ କୋଇଲା ପରିବହନ ବନ୍ଦ ପାଇଁ ଜାତୀୟ ସବୁତ ଅଦାଲତଙ୍କୁ ପ୍ରସ୍ତାବ ଦିଆଯିବା, ସର୍ବୋଚ୍ଚ ନ୍ୟାୟାଳୟ ଅନୁମୋଦିତ ଗୋପାଳପୁର ପାର୍ଟ - ୧ ରିପୋର୍ଟ ଅନୁସାରେ, ଖଣି ଲାଭାଂଶର ୧୦ ପ୍ରତିଶତ ଅର୍ଥ ସ୍ୱତନ୍ତ୍ର ପାଣ୍ଠିରେ ଜମା କରି, ୧୪ଟି ଗାଁର ବିସ୍ଥାପିତ କମିଟିର ସଦସ୍ୟମାନଙ୍କ ଦାବି ହିସାବରେ ଅଂଚଳର ବିକାଶ ପାଇଁ ଖର୍ଚ୍ଚ କରିବା, ବରପାଲି ଛକରୁ କନିକା ସାଇଡିଂ ରାସ୍ତାର ଗୋଟିଏ ପାର୍ଶ୍ବ ସାଧାରଣଲୋକଙ୍କ ଯାତାୟତ ଓ ଅନ୍ୟ ପାର୍ଶ୍ବରେ କୋଇଲା ପରିବହନ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଏମସିଏଲ ପୁନଃ ଆବେଦନ ନକରିବା ଉପରେ ପ୍ରଶାସନ ଲିଖିତ ଚୁକ୍ତି କରିଥିଲା। ଏହା ପରେ ବିସ୍ଥାପିତ ଧାରଣାକୁ ୧୯ ତାରିଖ ଯାଏଁ ସ୍ଥଗିତ ଘୋଷଣା କରିଛନ୍ତି। ଆନ୍ଦୋଳନରେ ହେମଗିର ପଞ୍ଚାୟତସମିତି ଅଧକ୍ଷ ପ୍ରେମାନନ୍ଦ ସା, ଜିଲ୍ଲା ପରିଷଦ "କ " ସଭ୍ୟ ଉଦିତ ସେଠ, ତୁମଳିଆ ସରପଞ୍ଚ ସେସବତୀ ପ୍ରଧାନ, ସାନଘୁମଡ଼ା ସରପଞ୍ଚ ରେବତୀ ଛତ୍ରିଆ, ବଲିଙ୍ଗI ସରପଞ୍ଚ ସୁଭଦ୍ରା ବୈଗା, ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ ବିସ୍ଥାପିତ ସୁରକ୍ଷା ଅଧିକାର ମଞ୍ଚ ସଭାପତି ରାଜେନ୍ଦ୍ର ନାଏକ, ଉପ ସଭାପତି କୁମୁଦବନ୍ଧୁ ପ୍ରଧାନ, ସମ୍ପାଦକ ନାରାୟଣ ପଟେଲ, ସହ ସମ୍ପାଦକ ସଂଜୟ କୁମାର କର୍ତ୍ତା ଏବଂ ବିସ୍ଥାପିତ ହେବାକୁ ଥିବା ୧୪ଟି ଗାଁର ଶହଶହ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/883a2c48-1a89-429d-85e3-c42818567c68.jpg)