ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାୟୁେସନାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଆକାଶ ମାର୍ଗରୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍ୱତନ୍ତ୍ର ରିଲିଫ୍ କମିସନର ଦେଓରଞ୍ଜନ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ। ବନ୍ୟା ପରିସ୍ଥିତି ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ୩ଟି ଜିଲ୍ଲାର ୮ଟି ବ୍ଲକ୍ର ୮୧ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ବାଲେଶ୍ୱରର ୪ଟି ବ୍ଲକ୍ ଯଥା ବସ୍ତା, ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର, ଭଦ୍ରକ ଜିଲ୍ଲାର ଧାମନଗର ଓ ଭଣ୍ଡାରୀପୋଖରୀ, ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ୍ ପ୍ରଭାବିତ ହୋଇଛି। ବନ୍ୟା ଦ୍ୱାରା ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୫୮୬୯ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ବର୍ତ୍ତମାନ ବିଭିନ୍ନ ନଦୀରେ ଜଳସ୍ତର କମୁଛି। ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ଓ ଜଳକା ଆଦି ନଦୀରେ ପାଣି କମିବାରେ ଲାଗିଛି। ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। କେନ୍ଦୁଝର ଏବଂ ଅନ୍ୟ କିଛି ଜିଲ୍ଲାରେ ବନ୍ୟା ହୋଇଥିଲେ ମଧ୍ୟ ଏହାର ବିଶେଷ ପ୍ରଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବନ୍ୟା ଅଞ୍ଚଳର କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କ୍ଷୟକ୍ଷତିର ତୁରନ୍ତ ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବା ପରେ କ୍ଷତିଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ। ଘରଭଙ୍ଗା ଏବଂ ଗୋ-ସମ୍ପଦର କ୍ଷୟକ୍ଷତି ରିପୋର୍ଟ ମଗାଯିବା ସହିତ ଯେଉଁ ଗାଁଗୁଡ଼ିକରେ ରାସ୍ତା ଖରାପ ହୋଇଯାଇଛି ସେଗୁଡ଼ିକୁ ତୁରନ୍ତ ମରାମତି କରି ଯୋଗାଯୋଗ ବ୍ୟବସ୍ଥା ପୁନସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ପଶୁ ଖାଦ୍ୟ ଯୋଗାଇ ଦେବା ପାଇଁ ପରାମର୍ଶ ଦିଆଯାଇଛି।
ଆକାଶମାର୍ଗରୁ ବନ୍ୟା ଦେଖିଲେ ମୁଖ୍ୟମନ୍ତ୍ରୀ
ରାଜସ୍ବ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ବି ସ୍ଥିତି ଅନୁଧ୍ୟାନ କଲେ
ବନ୍ୟାରେ ୩ଟି ଜିଲ୍ଲାର ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ
୭ଦିନ ପର୍ଯ୍ୟନ୍ତ ମିଳିବ ରନ୍ଧା ଖାଦ୍ୟ
ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କର ଯେପରି କୌଣସି ସମସ୍ୟା ହେବନି ସେଥିପାଇଁ ଶୁଖିଲା ଖାଦ୍ୟ ଏବଂ ଆବଶ୍ୟକସ୍ଥଳେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଏଥିପାଇଁ ବାଲେଶ୍ୱରରେ ୧୬ଟି, ଭଦ୍ରକରେ ୧୦ଟି ଓ ଯାଜପୁରରେ ୩ଟି ମାଗଣା ରୋଷଘର ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରାୟ ୧୦ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଆଗାମୀ ୭ଦିନ ପର୍ଯ୍ୟନ୍ତ ସମସ୍ତଙ୍କୁ ରନ୍ଧା ଖାଦ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାବ୍ୟତୀତ ବନ୍ୟା ପରବର୍ତ୍ତୀ ସମୟରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଡାଇରିଆ ଓ ଅନ୍ୟାନ୍ୟ ଜଳବାହିତ ରୋଗର ନିୟନ୍ତ୍ରଣ ପାଇଁ ଜଳ ଉତ୍ସଗୁଡ଼ିକର ବିଶୁଦ୍ଧକରଣ ଉପରେ ଗୁରୁତ୍ୱ ଦିଆଯାଇଛି। କୌଣସି ପରିସ୍ଥିତିରେ ବି ଯେପରି ଡାଇରିଆ ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସାପ କାମୁଡ଼ା ଭଳି ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପରିମାଣରେ ଆଣ୍ଟିଭେନମ୍ ଓ ଅନ୍ୟାନ୍ୟ ଆବଶ୍ୟକ ଔଷଧ ମହଜୁଦ୍ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ବାଲେଶ୍ବର ଜିଲ୍ଲାରେ ୧୭ଟି ଓଡ୍ରାଫ୍ ଓ ୧୩ଟି ଅଗ୍ନିଶମ ସେବା ଟିମ୍, ଭଦ୍ରକ ଜିଲ୍ଲାରେ ଗୋଟିଏ ଏନ୍ଡିଆର୍ଏଫ୍, ଗୋଟିଏ ଓଡ୍ରାଫ୍ ଓ ୧୩ଟି ଅଗ୍ନିଶମ ସେବା ଟିମ୍, ଯାଜପୁର ଜିଲ୍ଲାରେ ଗୋଟିଏ ଓଡ୍ରାଫ୍ ଓ ୧୪ଟି ଅଗ୍ନିଶମ ସେବା ଟିମ୍ ମୁତୟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତି ଦେବା ସମୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/10/sJM3E00TSt0ulW51hRgA.jpg)