ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସିରେ ଅଚଳାବସ୍ଥା : ନାହାନ୍ତି ଡାକ୍ତର, କମ୍ପାଉଣ୍ଡର୍‌ ଓ ଅପରେଟର୍‌

ଭୁବନେଶ୍ୱର : ସରକାରୀ ଆୟୁର୍ବେଦିକ ହସ୍ପିଟାଲରେ ଥିବା ଫାର୍ମାସିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫାର୍ମାସିରେ ଡାକ୍ତର, କମ୍ପାଉଣ୍ଡର୍‌ କିମ୍ବା ମେସିନ୍‌ ଚଳାଇବା ପାଇଁ ଅପରେଟର୍‌ ନାହାନ୍ତି। ବର୍ଷକୁ ବର୍ଷ ଅତ୍ୟାଧୁନିକ ମେସିନ୍‌ ଫାର୍ମାସିକୁ ଆସୁଛି। ମାତ୍ର ମେସିନ୍‌ ଚଳାଇବାକୁ ମେସିନ୍‌ ଅପରେଟର୍‌ ନିଯୁକ୍ତି ଦିଆଯାଉ ନାହିଁ। ଏସବୁ ଅତ୍ୟାଧୁନିକ ମେସିନ୍‌ର ଭାଗ୍ୟ ଶ୍ରମିକ ମାନଙ୍କ ଉପରେ ଛାଡ଼ି ଦିଆଯାଇଛି।

ଫାର୍ମାସିରେ ଏଭଳି ଅଚଳାବସ୍ଥା ଔଷଧ ତିଆରି ଉପରେ ପ୍ରଭାବ ପକାଇଛି। ଯଦି ଏଭଳି ପରିସ୍ଥିତି ବେଶ୍‌ କିଛିଦିନ ପାଇଁ ଲାଗି ରହିବ ତେବେ ଫାର୍ମାସିରେ ଔଷଧ ତିଆରି ଏକପ୍ରକାର ବନ୍ଦ ହୋଇଯିବ। ପୂର୍ବ ଓଡ଼ିଶାରେ ଥିବା ଆୟୁର୍ବେଦିକ ହସ୍ପିଟାଲ ଓ ଡିସ୍‌ପେନସାରିଗୁଡ଼ିକ ରାଜଧାନୀସ୍ଥିତ ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସି ଉପରେ ନିର୍ଭରଶୀଳ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଅଣଦେଖା କରାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସି ହେଉଛି ରାଜ୍ୟର ଏକ ପୁରୁଣା ଆୟୁର୍ବେଦିକ ଫାର୍ମାସି। ରାଜ୍ୟର ୨୫୯ଟି ଡିସ୍‌ପେନସାରି ଓ ୨ଟି ଆୟୁର୍ବେଦିକ ହସ୍ପିଟାଲ ଏହା ଉପରେ ନିର୍ଭରଶୀଳ। ହସ୍ପିଟାଲ ନିର୍ମାଣ ସମୟରେ ଫାର୍ମାସିର ସ୍ଥିତି ଯାହା ଥିଲା ଆଜିର ସମୟରେ ସ୍ଥିତି ଆହୁରି ବିଗିଡ଼ି ଯାଇଛି। ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଫାର୍ମାସିରେ ପ୍ରାୟ ୮୦ପ୍ରକାର ଔଷଧ ତିଆରି ପାଇଁ ଅନୁମତି ରହିଛି। ତେବେ ହସ୍ପିଟାଲ ଓ ଡିସ୍‌ପେନସାରିଗୁଡ଼ିକର ଔଷଧ ଆବଶ୍ୟକତା ନେଇ ପ୍ରତିବର୍ଷ ଔଷଧ ପ୍ରସ୍ତୁତ କରାଯାଇଥାଏ।

ପଞ୍ଚଗୁଣା, ବିଷଗର୍ଭ, ନିର୍ଗୁଣ୍ଡି ତେଲଠାରୁ ଆରମ୍ଭ କରି ମଲମ ଓ ଅନ୍ୟାନ୍ୟ ଔଷଧ ଫାର୍ମାସିରେ ତିଆରି କରାଯାଉଛି। ମାତ୍ର ଫାର୍ମାସିରେ ଥିବା ମେସିନ୍‌ ଚଳାଇବାକୁ କେହି ମେସିନ୍‌ ମ୍ୟାନ୍‌ କିମ୍ବା ଅପରେଟର୍‌ ନାହାନ୍ତି। ଏହାସହ ଔଷଧର ଭାଗମାପ ଜାଣିବା ପାଇଁ ଆବଶ୍ୟକ କମ୍ପାଉଣ୍ଡର ପଦବି ମଧ୍ୟ ଖାଲି ପଡ଼ିଛି। ନିକଟରେ ଫାର୍ମାସିରେ ଦାୟିତ୍ୱରେ ଥିବା ଡାକ୍ତର ଅବସର ଗ୍ରହଣ କରିବା ପରେ ଏହା ସଂପୂର୍ଣ୍ଣ ଖାଲି ହୋଇଯାଇଛି। କେବଳ ୪ଜଣ ଶ୍ରମିକ ଫାର୍ମାସିରେ କାର୍ଯ୍ୟ କରୁଛନ୍ତି।

ଫାର୍ମାସିରେ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ଟାବଲେଟ୍‌ ମେସିନ୍‌, ବଟଲ ଓ୍ଵାସିଂ, ଡିଷ୍ଟିଲେଟର, ଆନାଲେଟିକ୍‌ ଓ୍ଵାଟର ପ୍ୟୁରିଫାୟର ଭଳି ଅତ୍ୟାଧୁନିକ ମେସିନ୍‌ ରହିଛି। କିଛିବର୍ଷ ବ୍ୟବଧାନରେ ଆହୁରି ଅନେକ ଅତ୍ୟାଧୁନିକ ମେସିନ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି। ମାତ୍ର ଏହାକୁ ଚଳାଇବା ପାଇଁ ମେସିନ୍‌ ଅପରରେଟର୍‌ ପଦବି ଦୀର୍ଘବର୍ଷ ହେବ ଖାଲି ପଡ଼ିଛି। ଫାର୍ମାସିରେ କାର୍ଯ୍ୟରତ ଶ୍ରମିକମାନେ ଏହାକୁ ଚଳାଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ମେସିନ୍‌ ଓ ଔଷଧ ତିଆରି ପାଇଁ କଞ୍ଚା ମାଲ ଦିଆଯାଉଥିବା ବେଳେ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି। ଫାର୍ମାସିରେ ଏବେ ଅନେକ ପ୍ରକାରର ଔଷଧ ପ୍ରସ୍ତୁତ ହୋଇ ରହିଥିବା ବେଳେ ଏହାକୁ ପ୍ୟାକେଜିଂ କରି କିଭଳି ବିଭିନ୍ନ ଡିସ୍‌ପେନସାରି ଓ ଡାକ୍ତରଖାନାରେ ପହଞ୍ଚିବ ତାହାକୁ ନେଇ ମଧ୍ୟ ସମସ୍ୟା ଦେଖା ଦେଇଛି।

ଅପରପକ୍ଷରେ ଫାର୍ମାସିରେ ଆବଶ୍ୟକ ସଂଖ୍ୟକ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ମଧ୍ୟ ଅଂଶ ରହିଛି। ୨୦୧୩/୧୪ରେ ଏହି ପାଣ୍ଠିରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରହିଥିବା ବେଳେ ୨୦୧୭/୧୮ରେ ଏହା ସାଢ଼େ ୬ଲକ୍ଷ ଟଙ୍କାରେ ପହଞ୍ଚିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହାସତ୍ୱେ ମଧ୍ୟ କର୍ମଚାରୀ ନିଯୁକ୍ତି ହୋଇପାରି ନାହିଁ। କେଉଁ ଢଙ୍ଗରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ସେଥାପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳି ନ ଥିବାରୁ ହସ୍ପିଟାଲ କର୍ତୃପକ୍ଷ ହାତ ବାନ୍ଧି ବସିଛନ୍ତି। ଅପରପକ୍ଷରେ ଫାର୍ମାସିରେ କାର୍ଯ୍ୟରତ ଶ୍ରମିକଙ୍କ କ୍ଷେତ୍ରରେ ଯେଉଁ ସୁବିଧା ସୁଯୋଗ ଉପଲବ୍ଧ ହେବା କଥା ତାହା ମଧ୍ୟ ହେଉନାହିଁ। ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି।

ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଉପ-ସୁପରିନଟେଣ୍ଡେଣ୍ଟ୍‌ ସି.ରାୟଗୁରୁ କହିଛନ୍ତି, ଫାର୍ମାସିରେ ୨ମେସିନ୍‌ ଅପରେଟର, ଜଣେ ମେସିନ୍‌ ମ୍ୟାନ୍‌, ଓ୍ଵାଚ୍‌ ମ୍ୟାନ୍‌ ଓ ସ୍ୱିପର ପଦ ଖାଲି ପଡ଼ିଛି। ଏଥିପାଇଁ ପାଣ୍ଠି ମଧ୍ୟ ରହିଛି। ତେବେ ଏଥିରେ କେନ୍ଦ୍ର-ରାଜ୍ୟ ସରକାରଙ୍କ ଅଂଶୀଦାର ରହିଥିବାରୁ କର୍ମଚାରୀ ନିଯୁକ୍ତି ନେଇ ଅନୁମୋଦନ ମିଳିନାହିଁ। ଅପରପକ୍ଷରେ ନିକଟରେ ଏହାର ଦାୟିତ୍ୱରେ ଥିବା ଡାକ୍ତର ଅବସର ଗ୍ରହଣ କରିଛନ୍ତି। ତେବେ ଫାର୍ମାସିରେ ଦାୟିତ୍ୱ ପାଇଁ ଫାର୍ମାକୋଲୋଜିରେ ପି.ଜି କରିଥିବା ଡାକ୍ତରଙ୍କ ଆବଶ୍ୟକତା ରହିଛି ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ଜଣେ ଡାକ୍ତରଙ୍କ ପୋଷ୍ଟିଂ ହୋଇଛି। ତେବେ ସେ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ବୋଲି ଶ୍ରୀ ରାୟଗୁରୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର