ଓଡ଼ିଶା ଚାଷୀଙ୍କୁ ସରକାରୀ ଧୋକା, ବିଦ୍ୟୁତ ବଳକା ରାଜ୍ୟରେ ଚାଷୀଙ୍କ ପାଇଁ ସହାନୁଭୂତି ନାହିଁ

ବିଦ୍ୟୁତ ବ୍ୟବହାରରେ ରାଜ୍ୟ ଜାତୀୟ ହାର ଠାରୁ ଢେର ପଛରେ

ଓଆଇଆରସିଙ୍କ ସାମ୍ନାରେ ଚାଷୀଙ୍କ କଥା କିଏ ଉଠାଇବ?
ଆଧୁନିକୀକରଣ ଛୁଇଁଲାନି, ଚାଷୀଙ୍କ ଆୟ ଦୁଇଗୁଣା ଧୂଆଁବାଣ
ଜଳସଂପଦ-କୃଷି-ଶକ୍ତି ବିଭାଗ ଭିତରେ ସମନ୍ବୟ ଅଭାବ ଜଳଜଳ

ଭୁବନେଶ୍ବର : ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ତାଙ୍କ ରିପୋର୍ଟରେ ବାରମ୍ବାର ସୂଚାଉଛନ୍ତି ଯେ ରାଜ୍ୟ ବିଦ୍ୟୁତ କ୍ଷେତ୍ରରେ ଏକ ବଳକା ରାଜ୍ୟ। ଏପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ଲାଗି ସଂକଳ୍ପ ନେଇଛନ୍ତି। ଓଡ଼ିଶା ସରକାର ପାଦେ ଆଗକୁ ଯାଇ ସ୍ବତନ୍ତ୍ର କୃଷି ବଜେଟ୍ କରୁଛନ୍ତି। ହେଲେ ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟିଙ୍କ ସର୍ବଶେଷ ରିପୋର୍ଟରେ ଚାଞ୍ଚଲ୍ୟକର ସୂଚନା ମିଳୁଛି। ଏ ରିପୋର୍ଟର ତଥ୍ୟ କହୁଛି ଯେ ସରକାରଙ୍କ ଯୋଜନା ଓ ବାସ୍ତବତା ଭିତରେ ଯୋଜନ ଯୋଜନ ଦୂରତା ରହିଛି। ଓଡ଼ିଶାର ଚାଷୀ କୃଷି ଆଧୁନିକୀକରଣରେ ଏତେ ପଛୁଆ ଯେ ଏକ୍ଷେତ୍ରରେ ବିଦ୍ୟୁତ ବ୍ୟବହାରରେ ସର୍ବଭାରତୀୟସ୍ତର କଥା ଦୂରେ ଥାଉ; ପଡ଼ୋଶୀ ଓ ସମକକ୍ଷ ରାଜ୍ୟ ତୁଳନାରେ ମଧ୍ୟ ଢେର୍ ପଛରେ।

ଆନ୍ଧ୍ରପ୍ରଦେଶରେ ୨୬.୮୫% ଚାଷୀ ଯେବେ କୃଷି କ୍ଷେତ୍ରରେ ବିଦ୍ୟୁତ ବ୍ୟବହାର କରୁଛନ୍ତି, ତେଲେଙ୍ଗାନାରେ ଏହାର ପରିମାଣ ୩୫.୦୭%ରହିଛି, ଛତିଶଗଡ଼ରେ ୨୨.୩୦% ଚାଷୀ ବିଦ୍ୟୁତ ଉପରେ ନିର୍ଭର କରନ୍ତି, ସେବେ ଓଡ଼ିଶାର ମାତ୍ର ୨.୮% ଚାଷୀ କୃଷି କ୍ଷେତ୍ରରେ ବିଦ୍ୟୁତ ବ୍ୟବହାର କରୁଥିବା ଏହି ରିପୋର୍ଟ କହୁଛି। ଜାତୀୟସ୍ତରରେ ହାରାହାରି ୨୦.୦୮ ପ୍ରତିଶତ ଚାଷୀ କୃଷି କ୍ଷେତ୍ରରେ ବିଦ୍ୟୁତ ବ୍ୟବହାର କରୁଛନ୍ତି। ଦକ୍ଷିଣାଞ୍ଚଳରେ ଚାଷୀ ଅଧିକ (୨୪.୧୨%) ବିଦ୍ୟୁତ ଉପରେ ନିର୍ଭରଶୀଳ। ପୂର୍ବଭାରତ ଏଥିରେ ପଛୁଆ (୨.୬୬%)। କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ବିକାଶ ସ୍ବପ୍ନର ଏହା ଏକ ଉଦାହରଣ ଭାବେ ମଧ୍ୟ ନିଆଯାଇପାରେ।

extremetech.com

ସଂପ୍ରତି ରାଜ୍ୟରେ ବିଦ୍ୟୁତ ଦର ନିର୍ଧାରଣ ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଜନଶୁଣାଣି କରୁଥିବା ପରିପ୍ରେକ୍ଷୀରେ ଏହି ରିପୋର୍ଟକୁ କୃଷି, ଅର୍ଥନୀତି ବିଶେଷଜ୍ଞମାନେ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। କୃଷି ବିଶେଷଜ୍ଞମାନେ କହିଛନ୍ତି ଯେ ଆମ ଚାଷୀଙ୍କୁ ଆଧୁନିକତା ଏଯାଏ ସ୍ପର୍ଶ କରିପାରିଲା ନାହିଁ। ରାଜ୍ୟ ସରକାର ବିଫଳ। ଓଡ଼ିଶା ସରକାର ସ୍ବତନ୍ତ୍ର କୃଷି ବଜେଟ୍ କରୁଛନ୍ତି ସତ, ହେଲେ କୃଷି-ଜଳସଂପଦ-ଶକ୍ତି ବିଭାଗ ମଧ୍ୟରେ ସର୍ବନିମ୍ନ ସମନ୍ବୟ ନାହିଁ।

ଜଣେ ପୂର୍ବତନ କୃଷି ଅଧିକାରୀ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଚାଷରେ ବିଦ୍ୟୁତକରଣ କେମିତି ହେବ? ଯେଉଁ ସବୁ ରାଜ୍ୟରେ ଚାଷୀ ଅଧିକ ବିଦ୍ୟୁତ ବ୍ୟବହାର କରୁଛନ୍ତି, ସେଠାକାର ସରକାର ସବସିଡି ଦେଉଛନ୍ତି। କିଛି ରାଜ୍ୟ ମାଗଣାରେ ବିଦ୍ୟୁତ ଦେଉଛନ୍ତି। ଓଡ଼ିଶାରେ ଚାଷୀ ବାରମ୍ବାର ଦାବି କରୁଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି। ସାଧାରଣ ଉପଭୋକ୍ତା ଯେତିକି ଟଙ୍କାରେ ବିଦ୍ୟୁତ ବ୍ୟବହାର କରୁଛି, ସେତିକି ଟଙ୍କା ଚାଷୀକୁ ମଧ୍ୟ ଦେବାକୁ ପଡ଼ୁଛି। ଏଭଳିସ୍ଥଳେ ଚାଷୀ କେମିତି ଉତ୍ସାହିତ ହେବ?

ଦ୍ବିତୀୟତଃ ଚାଷରେ ବିଦ୍ୟୁତକରଣ ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ସରକାର କୃଷି ବଜେଟ୍ ପ୍ରସ୍ତୁତ କଲାବେଳେ ଚାଷୀର ଆବଶ୍ୟକତାକୁ ଗୁରୁତ୍ବ ଦେଲେ ଏଥିରେ ଅନେକ ପରିବର୍ତ୍ତନ ହୋଇପାରନ୍ତା। ଉପରୁ ଯୋଜନା ଲଦିଦେଲେ, ଚାଷୀ ଗ୍ରହଣ କରୁନାହାନ୍ତି।

kaliaportal.odisha.gov.in

କୃଷି ଅର୍ଥନୀତି ବିଶେଷଜ୍ଞ ନଟବର ଖୁଣ୍ଟିଆ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଯୋଜନା ଗୋଟେ ବାଟରେ ଥାଏ ଓ ଏହାର କାର୍ଯ୍ୟାନ୍ବୟନ ଆଉ ଗୋଟିଏ ବାଟରେ। ବଜେଟ୍ ଯାହା କହିଥାଏ, କ୍ଷେତ୍ରରେ ତାହାର ପ୍ରତିଫଳନ ଘଟେ ନାହିଁ। ରାଜ୍ୟ ସରକାରଙ୍କ କୃଷି ବଜେଟର ୬୦ ପ୍ରତିଶତ ଅର୍ଥ ଜଳସେଚନ ପାଇଁ ଉଦ୍ଦିଷ୍ଟ। ହେଲେ ଆଡ଼ିବନ୍ଧ, କେନାଲରେ ପମ୍ପ ବ୍ୟବସ୍ଥାର ସ୍ଥିତି କଣ? ଖାଲି ଜଳସେଚନର ସାମର୍ଥ୍ୟ ସୃଷ୍ଟି କରିଦେଲେ, କଣ ଚାଷୀ ଉପକୃତ ହୋଇଯିବ ନା କ୍ଷେତରେ ପାଣି ପହଞ୍ଚିଯିବ? ସରକାରଙ୍କ ଯୋଜନାକୁ ଚାଷୀ ପାଖରେ ପହଞ୍ଚାଇବା ଲାଗି କୃଷି ସଂପ୍ରସାରଣ ଅଧିକାରୀଙ୍କର ଏକ ବଡ଼ ଭୂମିକା ରହିଛି। ଆଜି ଦିନରେ ଜଣେ ଜଣେ ଅଧିକାରୀ ଏକାଧିକ ଅଞ୍ଚଳ ଦାୟିତ୍ବରେ ଅଛନ୍ତି। ଅନେକ ସେଠାରେ ରହନ୍ତିନି।

ଢେର୍ ବର୍ଷ ଧରି ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତ କରିଥିବା ଜଣେ ପୂର୍ବତନ ପ୍ରଶାସକଙ୍କ ଯୁକ୍ତି ହେଉଛି ଯେ ଯେବେ ଚାଷୀ ପାଖରେ ପାଣି ନାହିଁ, ସେବେ ବିଦ୍ୟୁତକରଣ କଥା କେଉଁଠୁ ଆସିବ? ରାଜ୍ୟ ସରକାର ୩୫ ପ୍ରତିଶତ ଜଳସେଚନର ସାମର୍ଥ୍ୟ କଥା କହୁଛନ୍ତି। ହେଲେ କେତେ ଜମିରେ ପାଣି ପହଞ୍ଚୁଛି, କେତେ ପରିମାଣରେ ପହଞ୍ଚୁଛି, କେତେ ଦିନ କ୍ଷେତରେ ପାଣି ରହୁଛି ଏ ସଂପର୍କରେ କିଛି ସରକାରୀ ରିପୋର୍ଟ ଅଛି କି? କେବଳ ସେତିକି ନୁହେଁ, କେତେ ଚାଷ ଜମି ପର୍ଯ୍ୟନ୍ତ ବିଦ୍ୟୁତ ଖୁଣ୍ଟ ପଡ଼ିଛି, କୃଷି ଫାର୍ମକୁ ବିଦ୍ୟୁତ ଯୋଗାଣ କରାଯାଇପାରିଛି କି ନାହିଁ, ଏ ସଂପର୍କରେ ଗୋଟିଏ ଶ୍ବେତପତ୍ର ଯେବେ ଆସିବ, ସେବେ ଯାଇ ଜଣାପଡ଼ିବ ଯେ ରାଜ୍ୟର ଚାଷ ଓ ଚାଷୀର ସ୍ଥିତି କେଉଁଠି।

The News International

ଜଣେ ବରିଷ୍ଠ ପ୍ରଶାସକ କହିଛନ୍ତି ଯେ ଓଡ଼ିଶାରେ ଚାଷର ବିଦ୍ୟୁତକରଣ କହିଲେ, କେବଳ ଉଠାଜଳସେଚନକୁ ବୁଝାଉଛି। ଅର୍ଧାଧିକ ଏବେ ଅଚଳ ଅବସ୍ଥାକୁ ଗଲେଣି। ସଂପ୍ରତି ବଣ୍ଟନ କଂପାନି ଦାୟିତ୍ବ ଟାଟା ପାଵାର ନେବା ପରେ ଏ କ୍ଷେତ୍ରରେ ସ୍ଥିତି ଆହୁରି ଗମ୍ଭୀର ହେବାକୁ ଯାଉଛି। ସରକାର ଅଧିକରୁ ଅଧିକ ଆଡ଼ିବନ୍ଧ ନିର୍ମାଣ କଲେ ଓ ଭୂତଳ ଜଳ ଅଧିକ ଥିବା ସ୍ଥାନରେ ବୋର୍େଵଲ ନିର୍ମାଣକୁ ପ୍ରାଥମିକତା ଦେଲେ ଦୁଇଟି ଲାଭ ହେବ। ଚାଷୀ ତୃତୀୟ ଚାଷ ଆରମ୍ଭ କରିପାରିବ ଓ ଗୋଟିଏ ଚକରେ ଏକାଧିକ ଫସଲ ଉତ୍ପାଦନର ରାସ୍ତା ଖୋଲିବ। ଉଭୟ କ୍ଷେତ୍ରରେ ଆମ ବ୍ୟବସ୍ଥା ପଛରେ। ଏବେ ସବୁଠାରୁ ବଡ କଥା ହେଲା, ଏଯାଏ ଚାଷୀ ପାଇଁ ଉତ୍ସର୍ଗୀକୃତ ବିଦ୍ୟୁତ ସେବା ଯୋଗାଣ ସମ୍ଭବ ହୋଇପାରିନାହିଁ। ଯେେହତୁ ମେଗା ଜଳସେଚନ ପ୍ରକଳ୍ପ ଆଉ ବିସ୍ଥାପନ ଏବଂ ଖର୍ଚ୍ଚ ଦୃଷ୍ଟିରୁ ସମ୍ଭବ ନୁହେଁ, ଏଣୁ ବିଲମୁଣ୍ଡକୁ ପାଣି ନେବାକୁ ହେଲେ ଉଠା ଜଳସେଚନକୁ ଅଧିକରୁ ଅଧିକ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରଟିକୁ ଯେତେ ସଶକ୍ତ କରାଯିବ, ଚାଷୀ ଉପକୃତ ହେବ, ଅର୍ଥକରୀ ଫସଲ ହୋଇପାରିବ। ତେବେଯାଇ ଚାଷୀ ଧାନରୁ ବାହାରି କୃଷି ଆଧୁନିକୀକରଣକୁ ଯାଇପାରିବ। ମହଙ୍ଗା ବିଦ୍ୟୁତ ବ୍ୟବହାର କରି ଚାଷୀ ଓଡ଼ିଶାରେ କସ୍ମିନ୍ କାଳେ ଲାଭ କରିପାରିବ ନାହିଁ ବୋଲି ଏହି ଅଧିକାରୀ ଜଣକ କହିଛନ୍ତି।

ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି; ଶିଳ୍ପ ପାଇଁ ସମସ୍ତେ ସବୁଠାରେ ଚାପ ସୃଷ୍ଟି କରୁଛନ୍ତି। ଉପଭୋକ୍ତାଙ୍କୁ ବିଜୁଳି ନ ମିଳିଲେ, ସେମାନେ ରାଜରାସ୍ତାକୁ ଆସିବେ। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସାମ୍ନାରେ ଚାଷୀଙ୍କ ପାଇଁ କିଏ ଦାବି କରିବ?

ସମ୍ବନ୍ଧିତ ଖବର