ସରକାରଙ୍କ କଳାପଥର କାରବାର ଏମିତି: ବିକିବେ ୧୪ଶହରେ, କିଣିବେ ୧୩୦ ଟଙ୍କାରେ

ଚୋରି ପାଇଁ ବାଟ ଖୋଲିଛି ରାଜସ୍ବ ବିଭାଗ

ଯାଜପୁର,(ସଂଗ୍ରାମ ସିଂହ): ଲଘୁ ଖଣିଜ ସମ୍ପଦ ନିଲାମରୁ ସରକାର କୋଟି କୋଟି ଟଙ୍କା ରାଜସ୍ବ ପାଉଥିବା ବେଳେ ଶହ ଶହ କୋଟି ଟଙ୍କା ହରାଉଛନ୍ତି। ଏହି କାରବାର ରାଜସ୍ବ ବିଭାଗ ଜାଣ‌ତରେ ଚାଲିଛି। ଲଘୁ ଖଣିଜ ସୈରାତ ନିଲାମ ବେଳେ ସରକାର ସର୍ବାଧିକ ମୂଲ୍ୟ ଦର୍ଶାଇଥିବା ନିଲାମଧାରୀଙ୍କୁ ଅନୁମତି ଦେଉଛନ୍ତି। ଅଥଚ ସରକାରୀ ପ୍ରକଳ୍ପ ନିର୍ମାଣରେ ବ୍ୟବହୃତ ଲଘୁ ଖଣିଜ ସାମଗ୍ରୀର ମୂଲ୍ୟ ସରକାର ଧାର୍ଯ୍ୟ କରିଥିବା ରୟାଲଟି ଅନୁଯାୟୀ ପ୍ରଦାନ କରାଯାଉଛି। ନିକଟରେ ଧର୍ମଶାଳା ତହସିଲର ନିଲାମ ହୋଇଥିବା ୨୭ଟି ଖାଦାନ ମଧ୍ୟରୁ ବିଛାଖଣ୍ଡିର ଏକ ଖାଦାନର କଳାପଥର ଘନମିଟର ମୂଲ୍ୟ ସର୍ବାଧିକ ୧୪ଶହ ଟଙ୍କା ବିଡ୍ ହୋଇଛି। ମାତ୍ର ଏହି ଖାଦାନରୁ ଯଦି ସରକାରୀ ପ୍ରକଳ୍ପକୁ କଳାପଥର ଯୋଗାଣ ହେବ ସେ ୧୩୦ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ। ସରକାରଙ୍କ ଠାରୁ କଳାପଥର ଘନମିଟର ୧୪ଶହ ଟଙ୍କାରେ ନିଲାମ ନେଇଥିବା ଖାଦାନ ମାଲିକ ‌୧୩୦ଟଙ୍କାରେ ବିକିବେ କିପରି? ରାଜସ୍ବ ବିଭାଗ ଅନୁମତି ଦେଇ ଚୋରା ଓ ବେଆଇନ୍ କାରବାର ପାଇଁ ବାଟ ଖୋଲିଛି। ନିଲାମରେ କୋଟିଏ ଟଙ୍କା ରାଜସ୍ବ ଆଦାୟ କରି ବ୍ୟାପକ ଚୋରି ଓ ବେଆଇନ୍ କାରବାରକୁ ଆଖିବୁଜି ଦେଇ ଶହ ଶହ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।

ଲଘୁ ଖଣିଜ ସମ୍ପଦ ଚୋରି ଓ ବେଆଇନ୍ ଚାଲାଣକୁ ନେଇ ଜିଲ୍ଲାର ଆଇନ୍ ଶୃଙ୍ଖଳା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ମାଫିଆମାନଙ୍କ ଆକ୍ରମଣରେ ରାଜସ୍ବ ଓ ବନ ବିଭାଗ କର୍ମଚାରୀମାନେ ଶିକାର ହେଉଛନ୍ତି। ଏପରିକି ସୂଚନା ଅଧିକାର କର୍ମୀ ଓ ସାମ୍ବାଦିକମାନଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରିବାକୁ ମାଫିଆମାନେ ପଛାଉନାହାନ୍ତି। ରାଜସ୍ବ ବିଭାଗର ଦୂରଦୃଷ୍ଟି ଅଭାବ ଓ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ନାହିଁନଥିବା ସ୍ଥିତି ସୃଷ୍ଟି କରିଛି। ସରକାର କଳାପଥର(ଗ୍ରାନାଇଟ୍) ଘନ ମିଟର ୧୩୦ ଟଙ୍କା ଓ ବାଲି, ମାଟି(ସ୍ବତନ୍ତ୍ର) ଓ ମୋରମ ପ୍ରଭୃତି ପାଇଁ ୩୫ଟଙ୍କା ରୟାଲଟି ଧାର୍ଯ୍ୟ କରିଥିବା ବେଳେ ଜିଲ୍ଲାସ୍ତରୀୟ ଅତିରିକ୍ତ ଦେୟ ମଧ୍ୟ ଧାର୍ଯ୍ୟ ହୋଇଛି। ଯାଜପୁର ଜିଲ୍ଲାରେ ଅତିରିକ୍ତି ଦେୟ ଘନମିଟର ପ୍ରତି ୬୦ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଡିଏମଏଫ ଓ ଅନ୍ୟାନ୍ୟ ୨୩ ପ୍ରତିଶତ ଯୋଗ କଲେ କଳାପଥର ଘନମିଟର ପ୍ରାୟ ୨୩୭ଟଙ୍କା ହେଉଛି। ଏହା ଉପରେ ସର୍ବାଧିକ ବିଡ୍‌ କରିଥିବା ଲିଜଧାରୀଙ୍କ୍ ନିଲାମ ଦିଆଯାଉଛି। ନିକଟରେ ଧର୍ମଶାଳା ତହସିଲର ନିଲାମ ହୋଇଥିବା ୨୭ଟି ଖାଦାନ ମଧ୍ୟରୁ ବିଛାଖଣ୍ଡିର ଏକ ସୈରାତ ୧୪ଶହ ଟଙ୍କା ଘନମିଟର ହିସାବରେ ନିଲାମ ହୋଇଛି।

ପ୍ରକାଶଥାଉକି, ସରକାରଙ୍କର କୌଣସି ପ୍ରକଳ୍ପ ପାଇଁ କଳାପଥର ବ୍ୟବହାର କଲେ ୧୩୦ ଟଙ୍କା ମୂଲ୍ୟରେ ବିଲ୍ ହେବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ୧୪ଶହ ଟଙ୍କାରେ ନେଇଥିବା ଲିଜ୍‌ଧାରୀ ଠିକାଦାରଙ୍କୁ କିପରି ‌ଓ କେଉଁ ଉପାୟରେ ୧୩୦ଟଙ୍କାରେ ବିକ୍ରି କରିବ? ଯେତେ ଘନମିଟର ନିଲାମ ହେଉଛି ତାହାର ଶହେ ଗୁଣ ଚୋରା ଓ ବେଆଇନ୍ ଲଘୁ ଖଣିଜ ସମ୍ପଦ ଚାଲାଣ ହେଉଛି। ନାମକୁ ମାତ୍ର ନିଲାମ ଚାଲିଥିବାବେଳେ ଚୋରା ଓ ବେଆଇନ୍ ଖନନ ପାଇଁ ଅଘୋଷିତ ପରୱାନା ଜାରି କରାଯାଇଛି। ଏହାକୁ ନେଇ କେତେକ ପଥର ବ୍ୟବସାୟୀ ନିଜର ନାମ ଗୋପନ ରଖି କହିଛନ୍ତି ଚୋରା ଓ ବେଆଇନ୍ ଖାଦାନ ଖନନ ପାଇଁ ପ୍ରଶାସନ ବାଟ ଖୋଲିଦେଇଛି। ଯାହା ଫଳରେ ବ୍ୟାପକ ଜଙ୍ଗଲ, ପାହାଡ଼ ସତ୍ତା ହରାଇଲେଣି। ଲଘୁ ଖଣିଜ ସମ୍ପଦ ନୂତନ ନିୟମ ପ୍ରହସନରେ ପରିଣତ ହୋଇଛି। ନିଲାମର ଶହେ ଗୁଣ ଅଧିକ ଲଘୁ ଖଣିଜ ସମ୍ପଦ ଚୋରା ଓ ବେଆଇନ୍ ଚାଲାଣ ହେଉଛି ବୋଲି ବ୍ୟବସାୟୀମାନେ ସ୍ବୀକାର କରୁଛନ୍ତି। ଏହାକୁ ତୁରନ୍ତ ବନ୍ଦ କରାନଗଲେ, ଯାଜପୁର ଭଳି ଲଘୁ ଖଣିଜ ସମ୍ପଦ ଭରପୁର ଅଞ୍ଚଳରେ ମାଫିଆରାଜ ଚରମ ସୀମାରେ ପହଞ୍ଚିବା ସହିତ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

କଳାପଥର କେଳେଙ୍କାରୀ: ଧରପଗଡ଼ ଆରମ୍ଭ
ଯାଜପୁର/ଧର୍ମଶାଳା : ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର(ଗ୍ରାନାଇଟ୍) ‌କେଳେଙ୍କାରୀକୁ ନେଇ ଲୋକାୟୁକ୍ତରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଆଜି ଆରୁହା ପାହାଡ଼ରେ ତଦନ୍ତକାରୀ ଦଳ ପହଞ୍ଚି ଖୋଳତାଡ ଆରମ୍ଭ କରିଛନ୍ତି। ଆରୁହା ପାହାଡ଼ର ମାତ୍ର ୩ଏକର ନିଲାମ ହୋଇଥିବା ବେଳେ ୧୫୩ ଏକର ଅଞ୍ଚଳକୁ ମାଫିଆମାନେ କବଜା କରି କଳାପଥର ଲୁଟୁଛନ୍ତି। ଲୋକାୟୁକ୍ତଙ୍କ ଦ୍ବାରା ଗଠିତ ତଦନ୍ତକାରୀ ଦଳ ଆଜି ଆରୁହା ପାହାଡ଼ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜଣେ ଖଣି ଉପନିର୍ଦ୍ଦେଶକଙ୍କ ସମେତ ୪ଜଣ ଅଧିକାରୀ ସାମିଲ ଥିଲେ । ତଦନ୍ତକାରୀ ଦଳକୁ ଧର୍ମଶାଳା ଭାରପ୍ରାପ୍ତ ତହସିଲଦାର ଦେବୀ ପ୍ରସାଦ ମହାନ୍ତି, ଆରୁହା ଓ ଶ୍ରୀନଗର ଆରଆଇ ଓ ପୁଲିସ କର୍ମଚାରୀ ସହଯୋଗ କରି ଘଟଣାସ୍ଥଳ ଦେଖାଇଥିଲେ। ତଦନ୍ତକାରୀ ଦଳ କ୍ଷେତ୍ର ଅନୁସନ୍ଧାନ କରିବା ପରେ ଧର୍ମଶାଳା ଥାନାରେ ପହଞ୍ଚି କଳାପଥର ଚୋରା କାରବାର ଓ ବେଆଇନ ଖନନ ସମ୍ପର୍କରେ ବୁଝିଥିଲେ। ପ୍ରକାଶ ଥାଉକି ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରା ଆରୁହା ପାହାଡ଼ରେ ବ୍ୟାପକ କଳାପଥର ଚୋରାଚାଲାଣ ନେଇ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର