ସରକାରୀ କୋଠା ଏବେ ଭୂତକୋଠି: ସାମାନ୍ୟ ପାଣି ଯୋଗାଣ ପାଇଁ ବ୍ୟବହାର ହୋଇପାରୁନି ଆର୍‌ଆଇ କାର୍ଯ୍ୟାଳୟ

ବୁର୍ଲା : ଆମସଢା କଟାପାଲିସ୍ଥିତ ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଗୋଳଗୁଣ୍ଡା ଠାରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦୁଇ ମହଲା କୋଠା ନିର୍ମାଣ କରିଛନ୍ତି। କୋଠାକୁ ସମ୍ବଲପୁର ରାସ୍ତା ଓ କୋଠା ନିର୍ମାଣ ବିଭାଗ ପକ୍ଷରୁ ତିଆରି କରାଯାଇଥିଲା। ନିର୍ମାଣ କାର୍ଯ୍ୟ ସରିବାର ଦୁଇ ବର୍ଷରୁ ବେଶୀ ସମୟ ଅତିକ୍ରାନ୍ତ ହୋଇଗଲାଣି। କିନ୍ତୁ, କାର୍ଯ୍ୟାଳୟର କିଛି ସାମାନ୍ୟ କାମ ପାଇଁ ଏପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାରିନାହିଁ।

ଏ ବାବଦରେ ରାଜସ୍ବ ନିରୀକ୍ଷକ ହରିବଂଶ ନାୟକଙ୍କୁ ପଚାରିବାରୁ ସେ କହିଲେ, ପ୍ରାୟ ୭/୮ ମାସ ତଳେ ଅଫିସ ସ୍ଥାନାନ୍ତର କରିବା ପାଇଁ ତାଙ୍କ ପାଖକୁ ଏକ ଚିଠି ଆସିଥିଲା। ଚିଠି ମିଳିବା ପରେ ସେମାନେ କାର୍ଯ୍ୟାଳୟ ସ୍ଥାନାନ୍ତର ନିମନ୍ତେ ଉକ୍ତ କୋଠାକୁ ଦେଖିବାକୁ ଯାଇଥିଲେ। କାର୍ଯ୍ୟାଳୟ ପରିସରରେ ନଳକୂପ ଅଛି। ଛାତ ଉପରେ ପାଣିଟାଙ୍କି ବି ରହିଛି। କିନ୍ତୁ, ପାଣି ଯୋଗାଣ ପାଇଁ ସଂଯୋଗ ଦିଆଯାଇନାହିଁ । ସେଥିପାଇଁ ସେମାନେ ପାଣି ଯୋଗାଣ କାର୍ଯ୍ୟ ସରିବା ପରେ କାର୍ଯ୍ୟାଳୟ ସ୍ଥାନ୍ତାନ୍ତର ପାଇଁ କହିଥିଲେ।

ସରକାରୀ ଅବହେଳା ତଥା ରକ୍ଷଣାବେକ୍ଷଣର ଅଭାବରୁ ଏହି ନବନିର୍ମିତ କୋଠା ଏବେ ଏକ ଭୂତକୋଠିରେ ପରିଣତ ହେବାକୁ ଯାଉଛି। ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବାରୁ କୋଠା ବ୍ୟବହୃତ କେତେକ ଜିନିଷ ଚୋରି ହୋଇଯାଇଥିବା ବି କୁହାଯାଇଛି। ବ୍ୟାପକ ଅର୍ଥ ଖର୍ଚ୍ଚ କରି ନିର୍ମିତ ହୋଇଥିବା ଏହି କୋଠାକୁ କାହିଁକି ରାସ୍ତା ଓ କୋଠା ନିର୍ମାଣ ବିଭାଗ କାର୍ଯ୍ୟ ସଂପୂର୍ଣ୍ଣ କରି ରାଜସ୍ବ ବିଭାଗକୁ ହସ୍ତାନ୍ତର କରୁ ନାହିଁ, ତାହା ବୁଝାପଡ଼ୁନାହିଁ।

ସମ୍ବନ୍ଧିତ ଖବର